ନୂଆଦିଲ୍ଲୀ: ଭାରତରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଟ୍ବିଟର ପକ୍ଷରୁ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା।
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଆମେରିକାର ଡିଜିଟାଲ୍ ମିଲେନିୟମ୍ କପିରାଇଟ୍ ଆକ୍ଟ ର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଆକାଉଣ୍ଟକୁ ପାଖାପାଖି ଏକ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୨୦୦୭ ମସିହାର ଏକ ଟୁଇଟକୁ ନେଇ ରବି ଶଙ୍କର ପ୍ରସାଦଙ୍କ ଉପରେ ଟ୍ୱିଟର ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୦୭ ମସିହାରେ ରବି ଶଙ୍କର ପ୍ରସାଦ ବିଜୟ ଦିବସ ଅବସରରେ ଏ ଆର୍ ରହମାନଙ୍କ ଗୀତ ‘ମା ତୁଝେ ସଲାମ’ର ଭିଡିଓ ପୋଷ୍ଟ କରିବା ସହ ଏକ କ୍ୟାପସନ୍ ଲେଖିଥିଲେ।ହେଲେ ସେହି ଗୀତର କପିରାଇଟ୍ ସୋନି ମ୍ୟୁଜିକ୍ ପାଖରେ ଥିବା ବେଳେ ଗୀତର ବ୍ୟବହାର ନେଇ ସୋନି ମ୍ୟୁଜିକ୍ ଟ୍ୱିଟରରେ ଅଭିଯୋଗ କରିଛି।
କପିରାଇଟ୍ ଅନୁରୋଧ ଉପରେ ନଜର ରଖୁଥିବା ଲୁପାଇନ୍ ନାମକ ଏକ ୱେବସାଇଟ୍ ଅନୁଯାୟୀ, କପିରାଇଟକୁ ନେଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Comments are closed.