Latest Odisha News

ଅର୍ଚ୍ଚନା ମାମଲାରେ କମିଶନରେଟ୍ ପୋଲିସର ଅସହଯୋଗ ନା ଇଡି କରୁନି ଭରସା ?

ଭୁବନେଶ୍ୱର: କୋର୍ଟରେ ଖଗେଶ୍ୱର, ହେଲେ ନଥିଲା କମିଶନରେଟ୍ ପୋଲିସ । ଜେଲରୁ ଖଗେଶ୍ୱରଙ୍କୁ ଏସ୍କର୍ଟ କରି ଆଣିଥିଲେ ସିଆରପିଏଫ୍ । ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ଗଲା ପରେ କମିଶନରେଟ ପୋଲିସ କରୁଛି କି ଅସହଯୋଗ ? ନା କମିଶନରେଟ ପୋଲିସକୁ ଭରସାକୁ ନେଇ ପାରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ?

ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରଥମରୁ କମିଶନରେଟ ପୋଲିସ ଉପରେ ଥିବା ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି । ପ୍ରଥମେ ଅର୍ଚ୍ଚନା ନାଗ ଗିରଫ ନେଇ ପୋଲିସ ମୁହଁ ନ ଖୋଲିବା, ଦୀର୍ଘ ଦିନ ଧରି ଜଗବନ୍ଧୁଙ୍କୁ ଗିରଫ ନ କରି ବାହାରେ ଖୋଲାଖୋଲି ଛାଡ଼ିଦେବା, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଆଦୌ ଜେରା ନ କରିବା, ଅର୍ଚ୍ଚନା ନାଗଙ୍କୁ ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର କରିବାକୁ ନେଇ କମିଶନରେଟ ପୋଲିସ ଉପରେ କରାଯାଉଥିବା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ମାମଲା ହାତକୁ ନେବା ପରେ ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ଇଡି ଏକକାଳୀନ ରେଡ୍ କରିଥିଲା । ଆଉ ରେଡ୍ ବେଳେ ପୋଲିସ ବଦଳରେ ଇଡିକୁ ସହଯୋଗ କରିଥିଲେ ସିଆରପିଏଫ୍ ଯବାନ । ଆଉ ଏବେ ଖଗେଶ୍ୱରକୁ କୋର୍ଟରେ ହାଜର ଓ ରିମାଣ୍ଡରେ ଇଡି ନେବା ବେଳେ କମିଶନରେଟ୍ ପୋଲିସ ବଦଳରେ ସିଆରପିଏଫ୍ ଯବାନ ଏସ୍କର୍ଟ କରି ଆଣିଥିଲା । ସେହିଭଳି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର୍ କାର୍ ମିଳିବା ପରେ ବି ଇଡିକୁ ସହଯୋଗ କରିନଥିଲା ପୋଲିସ ।

ପ୍ରଥମେ ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରୁଥିବା କମିଶନରେଟ ପୋଲିସକୁ ଇଡି ସମସ୍ତ କାଗଜପତ୍ର ସହ କଣ ସବୁ ଜବତ ହୋଇଛି ତାର ତାଲିକା ମାଗିଥିବା ବେଳେ ପୋଲିସ ଦିନ ଗଡ଼ାଇ ଚାଲିଛି । ଯାହାକୁ ନେଇ କମିଶନରେଟ୍ ପୋଲିସକୁ ଇଡି ସନ୍ଦେହ କରୁଥିବା କୁହାଯାଉଛି ।

ଅନ୍ୟପଟେ ଅର୍ଚ୍ଚନା ନାଗ ସହ ଅନେକ ନେତା, ମନ୍ତ୍ରୀ, ଅଧିକାରୀ, ଶିଳ୍ପପତି ଓ ଫିଲ୍ମ ପ୍ରଯୋଜକଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିବା ବେଳେ ପ୍ରଥମରୁ ଶିଥିଳ ଥିଲା ପୋଲିସର ତଦନ୍ତ । ଏବେ ଇଡି ମାମଲାକୁ ହାତକୁ ନେବା ପରେ ଖଗେଶ୍ୱରଙ୍କୁ ଗିରଫ କରି ୧୦ ଦିନ ରିମାଣ୍ଡରେ ନେଇ ଜେରା କରିଛି । ଜେରା ପରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଏକାଧିକ ଗୁମର ଇଡି ହାତରେ ଲାଗିଥିବା ବେଳେ ସମ୍ପୃକ୍ତଙ୍କୁ ଜେରା ପାଇଁ ନୋଟିସ୍ କରିଛି ।

Leave A Reply

Your email address will not be published.