ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଦହଗଞ୍ଜ ହେଉଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର କହିଛି ଯେ ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନ ଯାଏ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମେ’ ୧ ସୁଦ୍ଧା ସ୍ଥିତିରେ ପରିବର୍ତ୍ତନ ଆସିବ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ପ୍ରଭାବି ହେବ। ମେ’ ୪ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପରେ ୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସବୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା କ୍ରମଶଃ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି କହିଛନ୍ତି, ମେ ୪ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ। ତେଣୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀ ନଯିବା ଦରକାର ।
ଜେନାମଣିଙ୍କ କହିବାନୁସାରେ, ଓଡ଼ିଶା ଓ ଉତ୍ତର ଭାରତରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହର କାରଣ ହେଉଛି ଆଫଗାନିସ୍ତାନ, ପାକିସ୍ତାନ ଓ ରାଜସ୍ଥାନରୁ ଆସୁଥିବା ପଶ୍ଚିମା ପବନ, କାରଣ ସେଠାରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହିଛି।
Comments are closed.