Latest Odisha News

BREAKING NEWS

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ୩୪ଟି ନୂଆ ଅଦାଲତ। ଏଥିପାଇଁ ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଗୁରୁବାର ଏହି ପ୍ରସ୍ତାବକୁ ଅର୍ଥ ମଞ୍ଜୁରୀ ମିଳିଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଏହି କମିଟିରେ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏବଂ ଆଇନ୍‍ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠାପାଇଁ ଅନୁମୋଦନ ମିଳିଛି। ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି । ଏଥି ମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋରୋ ଓ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କୋରାପୁଟ ଏବଂ ଗଜପତି ଜିଲ୍ଲାର ଆର. ଉଦୟଗିରି ଠାରେ ରହିଛି । ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟ(ସିନିଅର ଡିଭିଜନ)କୁ ଅନୁମୋଦନ ମିଳିଛି ।

ନୟାଗଡ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡା ଏବଂ ସୋନପୁର ଜିଲ୍ଲାର ରାମପୁର ଠାରେ ହେବ । ଏଗାରଟି ସ୍ଥାନରେ ସିଭିଲ ଜଜ କୋର୍ଟ (ଜୁନିୟର ଡିଭିଜନ) ସ୍ଥାପନ ହେବ ।

ବଲାଙ୍ଗିର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋରୋ, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ ଜିଲ୍ଲାର ବାରକୋଟ, ଜଗତ୍‍ସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡାରେ ପ୍ରତିଷ୍ଠା ହେବ ।

ଏଥି ସହିତ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ଏଗୁଡିକ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍‍ ରିଜର୍ଭ ଅଦାଲତ ହେବ ।

ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍‍କୁ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍‍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍‍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଛି।ଏବଂ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍‍ କୋର୍ଟ (ସିନିଅର ଡିଭିଜନ) କୁ ଅନୁମୋଦନ କରାଯାଇଛି । ତେବେ ଆଇନ୍‍ ବିଭାଗ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି । ଓଡିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ୟାୟ କ୍ରମେ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.