Latest Odisha News

ଭୋଗମଣ୍ଡପର କାରୁକାର୍ଯ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ବିିଭିନ୍ନ ପାଗର ଭିନ୍ନ ଭିନ୍ନ ସ୍ତରରେ ଖାଖରା ମୁଣ୍ଡି ଓ ପୀଢ଼ ମୁଣ୍ଡି ଭିତରେ ଏବଂ ବିିଭିନ୍ନ ସନ୍ଧି ଓ ଖୋପ ମଧ୍ୟରେ ମୁଗୁନି ପଥରର ସୁନ୍ଦର ସାନ ବଡ଼ ମୂର୍ତ୍ତି  ସବୁ ବିଦ୍ୟମାନ । ବଉଳମାଳିଆ ପଥରର କାରୁକାର୍ଯ୍ୟରେ ବାରମ୍ବାର ଗେରୁ ରଙ୍ଗ ବୋଳାଯାଇ କାମର ସୂକ୍ଷ୍ମତା ସାମାନ୍ୟ ଲୁଚି ଯାଉଥିଲେ ମଧ୍ୟ ଏହି ମୁଗୁନି ପଥରର ମୂର୍ତ୍ତିଗୁଡ଼ିକ ଶୃଙ୍ଖଳିତ ଭାବରେ ବିଭିନ୍ନ ସ୍ତରରେ ରହି ଶୋଭାବର୍ଦ୍ଧନ କରୁଅଛି ।
ଏଥିରେ ବିଭିନ୍ନ ବିଷୟବସ୍ତୁ ସମ୍ବଳିତ ପ୍ୟାନେଲଗୁଡ଼ିକ ସହିତ ଅନେକ ସଖୀ, ନାୟିକା ତଥା ପ୍ରାଞ୍ଜଳ ଭାବେ ଖୋଦିତ ରସାତ୍ମକ ମୈଥୁନ ମୂର୍ତ୍ତିମାନ ରହିଛି । ସର୍ବୋପରି ପୀଠର ନିମ୍ନରେ ପା’ଭାଗର ପ୍ରାୟ ଆଠ ଇଞ୍ଚ ଓସାରର ଧଡ଼ିରେ ଏବଂ ଉପର ମୁଣ୍ଡରେ ଥିବା ବସନ୍ତର ଧଡ଼ିରେ ଯେଉଁ ଧାରାବାହିକ ବିଷୟଭିତ୍ତିକ ଭାସ୍କର୍ଯ୍ୟ ସୃଷ୍ଟି କରାଯାଇଛି ତା’ର ପଟାନ୍ତର ନାହିଁ ।

ଗୋଟିକରେ କୃଷ୍ଣଲୀଳାର ବିଭିନ୍ନ କଥାବସ୍ତୁ ପ୍ରକଟିତ ହୋଇଥିବା ବେଳେ ଅନ୍ୟଟିରେ ଗଜପତି ରାଜାଙ୍କର ଯୁଦ୍ଧଯାତ୍ରାର କାହାଣୀ
ନିଖୁଣ ଭାବେ ପରିସ୍ଫୁଟିତ ହୋଇଛି । ନିମ୍ନରେ ଥିବା ଧଡ଼ିରେ କ୍ରମାଗତ ଭାବରେ ଅନେକ ଗୁଡ଼ିଏ ଅଶ୍ୱ ଓ ହସ୍ତୀ ଆଗକୁ ମାଡ଼ି ଚାଲିବା ଶୈଳୀରେ ରହିଛନ୍ତି । ଉପରେ ଥିବା ଧଡ଼ିରେ କୃଷ୍ଣାବତାର କାଳର ଅଷ୍ଟମଲ୍ଲ ବଧ ତଥା ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳା ଚିତ୍ରିତ ହୋଇଅଛି । ଏଥିରେ ସର୍ବନିମ୍ନ ଚାରି ଆଙ୍ଗୁଳ ଉଚ୍ଚତା ବିଶିଷ୍ଟ ରୂପ ମଧ୍ୟ ଉତ୍କୀର୍ଣ୍ଣ ହୋଇଛି ଯାହା ଏହି ସ୍ଥାପତ୍ୟର ମର୍ଯ୍ୟାଦା ବୃଦ୍ଧି କରୁଅଛି । ଶିଳ୍ପୀମାନେ ନିଜର ଶାସ୍ତ୍ରଜ୍ଞାନ ସହିତ କଳ୍ପନାଶକ୍ତି ପ୍ରୟୋଗ କରି ଯେଉଁ ଚିତ୍ର ପରିବେଷଣ କରିଛନ୍ତି ତାହା ଆମ ଶିଳ୍ପ ଐତିହ୍ୟର ଜ୍ୱଳନ୍ତ ନିଦର୍ଶନ ହୋଇ ରହିବ । କଳା ପିପାସୁମାନଙ୍କ ପାଇଁ ଏହା ଶିଳ୍ପତୀର୍ଥ ଭାବରେ ଅଭିହିତ ।

 

ଭୋଗମଣ୍ଡପର କଳା ଓ ସ୍ଥାପତ୍ୟର ଅନୁଶୀଳନ କଲେ ସ୍ଥୁଳ ଭାବରେ ଏହାକୁ ପୀଠ, ବାଡ଼, ପୀଢ଼-ଶିଖର ଓ ଦ୍ୱାରବନ୍ଧ, ଏହି ଭଳି ଚାରିଭାଗରେ ବିଭକ୍ତ କରାଯାଇପାରେ । ପୁନଶ୍ଚ ପୀଠ ଓ ବାଡ଼କୁ ମଧ୍ୟ ପାଶ୍ୱର୍ ଅନୁସାରେ ଦେଖାଯାଇପାରେ କାରଣ ଦୃଶୀଭୁତ ହେଉଥିବା ପୂର୍ବ ଓ ଉତ୍ତର ପାଶ୍ୱର୍ର ବାଡ଼ରେ ରହିଥିବା ଭାସ୍କର୍ଯ୍ୟଗୁଡ଼ିକର ବିଷୟବସ୍ତୁ ଭିନ୍ନ କେବଳ ସ୍ଥାପତ୍ୟର ବିଭାଜନ ନିୟମାନୁସାରେ ହୋଇଥିବାରୁ ସ୍ଥୂଳ ଦୃଷ୍ଟିରେ ଦେଖିଲେ ବିଶେଷ ପ୍ରଭେଦ ବାରି ହୁଏନି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଜଣାଯାଏ ଭାସ୍କର୍ଯ୍ୟଗୁଡ଼ିିକ ଭିନ୍ନ ଭାବରେ ଉତ୍କୀର୍ଣ୍ଣ ହୋଇ ବିପୁଳ ଶୈଳ୍ପୀକ କଳାତ୍ମକତାର ବିଶେଷ ପରିପ୍ରକାଶ ଘଟିଅଛି । ବାଡ଼ର ବିଭିନ୍ନ ପାଗର ବିିଭିନ୍ନ ସ୍ତରରେ ରହିଥିବା ମୁଗୁନି ପଥରର ବିଷୟଭିତ୍ତିକ ପ୍ୟାନେଲ ଗୁଡ଼ିକର ପୂର୍ଣ୍ଣ ପ୍ରକାଶିତ ଚିତ୍ରଣ ଅତୀବ କମନୀୟ । ପୂର୍ବ ଉତ୍ତର ପାଶ୍ୱର ବାଡ଼ର ଉଭୟ ପଟେ ପ୍ରତି ପାଗର ତଳ ଜଙ୍ଗା ଓ ଉପର ଜଙ୍ଘାରେ ଦୁଇଗୋଟି କରି ଏହି ପ୍ୟାନେଲ ପ୍ରତି ପାଶ୍ୱରେ ଆଠଟି ସଂଖ୍ୟାରେ ସମୁଦାୟ ଷୋହଳଗୋଟି ଦୃଶୀଭୂତ ହୋଇଥାଏ । ଏଥିରେ ବିଭିନ୍ନ ପୌରାଣିକ କଥାବସ୍ତୁ ସହିତ ତତ୍‌କାଳୀନ ରାଜାମାନଙ୍କର ଶାସନ ଓ ଯୁଦ୍ଧଯାତ୍ରା କଥା ଉତ୍କୀର୍ଣ୍ଣ ହୋଇଛି । ଏହି ପ୍ୟାନେଲଗୁଡ଼ିକ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଉତ୍କୃଷ୍ଟ ନମୁନା ଭାବେ ଦୃଶ୍ୟମାନ ହୁଏ । ଗୋଟିଏ ପ୍ୟାନେଲରେ ଦଣ୍ଡାୟମାନ ରାଜାଙ୍କ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ମା’ ଦୁର୍ଗାଙ୍କର କ୍ଷୁଦ୍ର ବିଗ୍ରହ ରହିଥିବା ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନାର ପ୍ରାଚୀନତା ପ୍ରମାଣିତ କରେ । ପୂର୍ବ ପାଶ୍ୱର୍ର କନିକ ପାଗରେ ରହିଥିବା ଏକ ପ୍ୟାନେଲରେ ଶ୍ରୀକୃଷ୍ଣଙ୍କ ନାବକେଳିର ଦୃଶ୍ୟ ଆକର୍ଷଣୀୟ । ଅନ୍ୟ ଏକ ପ୍ୟାନେଲରେ ଆଗ ପଛ ହୋଇ ତିନି ଚାରିଗୋଟି ହସ୍ତୀଙ୍କ ସହିତ ଗଜପତି ରଜାଙ୍କ ଯୁଦ୍ଧଯାତ୍ରା ବର୍ଣ୍ଣନା କରାଯାଇଛି ।

ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କ ଦ୍ବାରା କୃତ ଭୋଗମଣ୍ଡପ ପୂର୍ବ ବାଡର ଅବିକଳ ନକଲ ।

ଉତ୍ତର ପାଶ୍ୱର୍ର କନିକ ପାଗରେ ରଜାଙ୍କୁ ବିମାନରେ ବସାଇ ଲୋକମାନେ କାନ୍ଧରେ ବୋହିନେବାର ଦୃଶ୍ୟ ସମ୍ବଳିତ ଏକ ପ୍ୟାନେଲ ରହିଅଛି । ଏହି ପ୍ୟାନେଲ ଗୁଡ଼ିକରେ ବ୍ୟବହୃତ ପଥରର ମୋଟେଇ ଅଧିକ ହେଇଥିବାରୁ ଏଥିରେ ଉତ୍କୀର୍ଣ୍ଣ ରୂପ ଗୁଡ଼ିକ ପ୍ରାଞ୍ଜଳ ଭାବେ ଫୁଟିଉଠିଛି । ଦକ୍ଷିଣ ପାଶ୍ୱର୍ର ବାଡ଼ରେ ମଧ୍ୟ ଅନୁରୂପ ଭାସ୍କର୍ଯ୍ୟମାନ ରହିଅଛି । ‘ଅଚିନ୍ତା ପହଣ୍ଡ’ ବା ଛେକ ବୁହା ବାଟର ଉତ୍ତର ପାଶ୍ୱର୍
କାନ୍ଥ ଓ ଭୋଗ ମଣ୍ଡପ ବାଡ଼ ମଧ୍ୟରେ ରହିଥିବା ସାମାନ୍ୟ ଫାଙ୍କରୁ ଯାହା ଦୃଶୀଭୂତ ହୁଏ ସେତକ ଅଧ୍ୟୟନ ପାଇଁ ଯଥେଷ୍ଟ ନୁହେଁ ।ପୀଠର ପାଗ ଅନୁସାରେ ବିଭାଜିତ ଅଂଶର ଉପରିଭାଗରେ ପରସ୍ପରକୁ ସାମନା କରୁଥିବା ଦୁଇଟି ଲେଖାଏଁ ରଥରେ ଜଣେ ଜଣେ ଯୋଦ୍ଧା ଧନୁତୀର ଉଠାଇ ରହିଛନ୍ତି । ଏଥିରେ ରାମାୟଣରେ ରାମ ରାବଣ ଏବଂ ମହାଭାରତର ବିଭିନ୍ନ ଯୋଦ୍ଧାଙ୍କ ଯୁଦ୍ଧ ବେଳର ଚିତ୍ରଣ ରହିଅଛି । ରାମଚନ୍ଦ୍ରଙ୍କ ରଥ ନିକଟରେ ବାନର ସେନାଙ୍କ ରୂପ ଓ ରାବଣଙ୍କ ରଥ ନିକଟରେ ଅସୁରମାନଙ୍କ ରୂପ ଖୋଦିତ ହୋଇଛି । ଏହି ରଥଦ୍ୱୟର ଦୁଇପାଶ୍ୱର୍ରେ ଦୋପିଚା ଗଜସିଂହ ଦୁଇଟି ଲେଖାଏଁ ରହି ବିଭାଜନକୁ ଚିହ୍ନିତ କରୁଅଛି । ପ୍ରତି ପାଗର ବିଭିନ୍ନ ସ୍ତରରେ ମୁଗୁନି ପଥରରେ ବିଭିନ୍ନ ଶୈଳୀର ନାୟିକା ତଥା ମିଥୁନ ମୂର୍ତ୍ତି ସ୍ଥାନ ପାଇଛି ।

ପୀଢ଼ ଶିଖରରେ ମଧ୍ୟ ଅନୁରୂପ ଶୈଳୀରେ ବିଭାଜନ ଘଟି ପୀଢ଼ଗୁଡ଼ିକ ତିନିଗୋଟି ସ୍ତର ବା ପଟଳରେ ଚାରିପାଶ୍ୱର୍ରୁ ଉର୍ଦ୍ଧ୍ୱମୁଖା ହେଇ କେନ୍ଦ୍ର ଆଡ଼କୁ କ୍ରମ ସଙ୍କୁଚିତ ହୋଇ ରହିଛନ୍ତି । ନିମ୍ନ ପଟଳରେ ପାଞ୍ଚ ପୀଢ଼, ମଧ୍ୟମ ପଟଳରେ ଚାରି ପୀଢ଼ ଓ ଉଦ୍ଧ୍ୱ ପଟଳରେ ତିନି ପୀଢ଼ର ସମସ୍ତ କୋଣମାନଙ୍କରେ ଉର୍ଦ୍ଧ୍ୱମୁଖା ତ୍ରିଭୁଜାକାର କାନୁସ ବା ଟାଙ୍କୁଗୁଡ଼ିକ ଶିଖରର ଶୋଭାବର୍ଦ୍ଧନ କରୁଅଛି । ଏହି ତିନିଗୋଟି ପଟଳର ମଧ୍ୟରେ ରହିଥିବା ସଂକ୍ଷିପ୍ତ ଉଲମ୍ବ ଅଂଶ କାଣ୍ଟିଘର ସାମାନ୍ୟ ଭିତରକୁ ରହି ଉପର ପଟଳର ନିମ୍ନ ପୀଢ଼ ସେହି ଭଳି ଆଗକୁ ବଢ଼ି ରହିଛି । ସେହି ସ୍ଥାନରେ ସମବ୍ୟବଧାନ ରକ୍ଷା କରି ଅନେକ ଗୁଡ଼ିଏ ସଖୀ ରହିଛନ୍ତି । ପୀଢ଼ ଶୀର୍ଷରେ ବୃତ୍ତାକାର ଘଣ୍ଟା ସଦୃଶ ସ୍ଥାପତ୍ୟ ବିଦ୍ୟମାନ । ଉକ୍ତ ଘଣ୍ଟାର ନିମ୍ନରେ ପ୍ରତି ଦିଗରେ ମନ୍ଦିରଚାରିଣୀ ଓ କୋଣମାନଙ୍କରେ ଦୋପିଚା ସିଂହ ମୂର୍ତ୍ତିମାନ ରହିଅଛି । ତହିଁର ଉପରିଭାଗରେ ଅଁଳା ଏବଂ ତଦୁର୍ଦ୍ଧରେ ଧାତବ କଳସ ରହିଅଛି । ଉକ୍ତ ଧାତବ କଳସର ଅନନ୍ୟ ସ୍ଥାପନ ପଛରେ ଭିନ୍ନ ମତ ରହିଛି ।କିଛି ଗବେଷକଙ୍କ ମତରେ ବ୍ରାହ୍ମଣ ପଣ୍ଡିତମାନଙ୍କ ତନ୍ତ୍ରବିଦ୍ୟା ବଳରେ ବୌଦ୍ଧମାନଙ୍କୁ ପରାଜୟର ମାଧ୍ୟମ ସାଜିଥିଲା ଏହି କଳସ ।

ପ୍ରକାଶଯୋଗ୍ୟ ଯେ ଅନ୍ୟ କୌଣସି ମନ୍ଦିର ଶିଖରରେ ଏଭଳି କଳସ ସ୍ଥାପନ ହୋଇଥିବା ଦେଖାଯାଏ ନାହିଁ । ଏହି ବିଶାଳ ସ୍ଥାପତ୍ୟର ଗଣ୍ଡି ବା ଶିଖରରେ ଚତୁଃପାଶ୍ୱର୍ର ରାହାପାଗରେ ଥିବା ପ୍ରତ୍ୟେକ ପଟଳର ମଝି ଅଂଶରେ ଗୋଟିଏ ସ୍ୱତନ୍ତ୍ର ପିଷ୍ଟ ଉପରେ ବୃହଦାକାର ଉଦ୍ୟତ ସିଂହମାନେ ଆଗ ଡାହାଣ ଗୋଡ଼ ଟେକି ରହିଛନ୍ତି । ଏହି ସିଂହଗୁଡ଼ିକ ପ୍ରତ୍ୟେକ ପାଶ୍ୱର୍ରେ ତିନି ଥାକରେ ତିନୋଟି କରି
ସମୁଦାୟ ବାରଗୋଟି ସଂଖ୍ୟାରେ ଅଳଙ୍କରଣ ସଦୃଶ ରହିଛନ୍ତି । ସିଂହଗୁଡ଼ିକର ନିମ୍ନରେ ଓ ଦୁଇ ପାଶ୍ୱର୍ରେ କ୍ଷୁଦ୍ର ମୁଗୁନି ପଥରର ବିିଭିନ୍ନ କାରୁକାର୍ଯ୍ୟ ମଣ୍ଡିତ ମୂର୍ତ୍ତିସବୁ ରହିଛି ।

 

ସମଗ୍ର ଭୋଗମଣ୍ଡପର କଳା ଓ ସ୍ଥାପତ୍ୟକୁ ଅନୁଶୀଳନ କଲେ ତତ୍‌କାଳୀନ ଶିଳ୍ପୀମାନଙ୍କର ଶିଳ୍ପଜ୍ଞାନ ଆଗରେ ନତମସ୍ତକ ହେବାକୁ ପଡ଼େ । ଏହି ବୃହତ୍ ସ୍ଥାପତ୍ୟର ପରିକଳ୍ପନା, ପ୍ରାକ୍ ଅଙ୍କନ, ବିସ୍ତୃତ ନକ୍ସା ତଥା କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ରୂପେ ପାରମ୍ପରିକ ଜ୍ଞାନକୌଶଳର ଆଧାରରେ କରାଯାଇଛି । ଏହିସବୁ ବିଭବରେ ସେହି ଶିଳ୍ପୀମାନେ ଦକ୍ଷ ଓ ପାରଙ୍ଗମ ଥିଲେ । ଆଧୁନିକ ଯୁଗରେ ସ୍ଥପତି ବୋଲାଉଥିବା ବୃତ୍ତିଧାରୀ ଯନ୍ତ୍ରୀମାନଙ୍କ ଭଳି ସେମାନଙ୍କ ପାଖରେ ନା ଥିଲା କୌଣସି ବୈଷୟିକ ଜ୍ଞାନ ବା ଉପକରଣ । ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହ ଭାସ୍କର୍ଯ୍ୟର ପ୍ରାଚୁର୍ଯ୍ୟଯୁକ୍ତ ସ୍ଥାପତ୍ୟ ଆମ ଶିଳ୍ପ ଐତିହ୍ୟର ଏକ ଗୌରବମୟ ନମୁନା । ଏହାର କଳା ସ୍ଥାପତ୍ୟର ଗଭୀର ଅନୁଶୀଳନ କରି ଗବେଷକ ଡ଼ଃ କୃଷ୍ଣଚନ୍ଦ୍ର ମିଶ୍ର ତାଙ୍କ ପ୍ରଣୀତ ଶ୍ରୀମନ୍ଦିରର କଳା ସ୍ଥାପତ୍ୟ’ ଗ୍ରନ୍ଥରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ଓଡ଼ିଆ ଜାତି ଏହି କୃତବିଦ୍ୟ ସାଧକଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed, but trackbacks and pingbacks are open.