(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ ହଳକର୍ଷିତ ଭୂମିରେ ଦେଖାଦେବ ଜଳର ସମାହାର । ମାଟିରୁ ଆସେ ବାସ୍ନା । କୃଷକର ମନରାଇଜ ଆନନ୍ଦରେ ନାଚିଉଠେ । ବିପିତ ବିହନ ଗଜାମେଲେ ଆଉ ଆରମ୍ଭ ହୁଏ ବୁଣାବେଉଷଣାର ପର୍ବ ତେବେ ଏହିସବୁ ଭିତରେ ଅତିବୃଷ୍ଟି କି ଅନାବୃଷ୍ଟି ହେଲେ ଚାଷୀ ମୁଣ୍ଡରେ ଚଡକ ପଡେ ।
ଜନସଂଖ୍ୟାର ଚକ୍ରବୃଦ୍ଧି ସହ ମୃତ୍ତିକାର ଉର୍ବରତା ହ୍ରାସ, ଜଳଧାରଣ କ୍ଷମତା ହ୍ରାସ, କୃଷି ଭୂମିର ସଂକୋଚନ, ଖାଦ୍ୟାଭାବ ଓ ପ୍ରାକୃତିକ ଦୁର୍ବିପାକ ହେତୁ କୃଷିର ଅବନତି ଘଟିବା ଆରମ୍ଭ ହୁଏ । ତେଣୁ ବିଜ୍ଞାନର ଉପଯୋଗହିଁ ଏହାର ମୁଖ୍ୟ ସଂସ୍କାର ।
କୃଷକମାନଙ୍କ ପାରମ୍ପରିକ କୃଷିବିଧିର ପରିବର୍ତ୍ତନ ଆବଶ୍ୟକ । ଏଥିପାଇଁ କୃଷି ଓ ପଶୁପାଳନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ଶିକ୍ଷାର୍ଥୀଙ୍କୁ କୃଷି ସେବାରେ ନିୟୋଜିତ କରାଗଲା । ଉନ୍ନତ କିସମର ଧାନ, ଖରାଦିନେ ଜଳସେଚନ ମାଧ୍ୟମରେ ସ୍ୱଳ୍ପ ସମୟରେ ଉନ୍ନତ ଚାଷ ସହିତ କୃଷି ପାଇଁ ମୃତ୍ତିକା ପରୀକ୍ଷା, ବିହନ ବିଶୋଧନ ପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟବି କରାଗଲା । ଅମଳ ଫସଲକୁ ଶୀତଳଭଣ୍ଡାରରେ ସୁରକ୍ଷିତ କରିବା ସହ, ବିହନ ବୁଣା ମେସିନ୍, ଧାନ କଟା ମେସିନ୍, ଜମି ସମତୁଲ ପାଇଁ ଟ୍ରାକ୍ଟର୍ ଓ ପାୱାରଟିଲର୍ର ବ୍ୟବହାର କରାଗଲା । ବିଜ୍ଞାନୀଙ୍କ ମତରେ ଓଡିଶା ବର୍ଷକୁ ୩୦୦ରୁ ଅଧିକ ଦିନ ପ୍ରକୃଷ୍ଟ ପରିମାଣରେ ସୂର୍ଯ୍ୟାଲୋକ ପାଇଥାଏ, ଏହା ଛଡା ରାଜ୍ୟରେ ଭୂତଳ ଜଳ ସମ୍ପଦ ବିନିଯୋଗ ପାଇଁ ଅଧିକରୁ ଅଧିକତର ସୁବିଧା ସୁଯୋଗ ଅଛି । ରାଜ୍ୟରେ ୯୦ ଶତକଡ଼ାରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତିି । ଯେମିସୀ ସୈାର ଜଳନିଧି ଯୋଜନା ଦ୍ୱାରା ଚାଷୀମାନେ ସେମାନଙ୍କ ସେଚ କୂପରେ ସୌରଚାଳିତ ପମ୍ପ ଲଗାଇ ୦.୩ରୁ ୦.୫ ଏକର ଚାଷ ଜମିରେ ଖରିଫ ଓ ରବି ଋତୁରେ ବିଭିନ୍ନ ପନିପରିବ ଚାଷ କରିପାରିବେ । ରାଜ୍ୟରେ ଯେଉଁ କ୍ଷେତ ସହ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହିଁ, ସେହି ଜାଗାରେ ସୌରଶକ୍ତି ବିନିଯୋଗ କରିପାରିବା ସହ ଉପଯୁକ୍ତ ଜଳସେଚନ ମଧ୍ୟ ମିଳିପାରିବ ।
୫୦୦୦ କୃଷକ ପରିବାର ଏହି ଯୋଜନା ଦ୍ୱାରା ଲାଭବାନ ହେବା ସହ ଜଳସେଚନ ଦିଗରେ ଏହା ଏକ ନବଦିଗନ୍ତ ଅଟେ । ଏଥିପାଇଁ ମୋଟ ୨୭.୧୮ କୋଟି ଟଙ୍କାର ବଜେଟ ମଧ୍ୟ ପ୍ରସ୍ତୁତ ହୋଇଛି । ଯୋଜନାରେ ସରକାର ସୌର ପମ୍ପ ପାଇଁ ୫୪୦୦୦ ଟଙ୍କା ଚାଷୀକୁ ରିହାତି ଯୋଗାଇବେ । ଏଥିରେ ଭୁପୃଷ୍ଠ ପମ୍ପ ଓ ଭୂତଳ ଜଳ ବିନିଯୋଗ ପାଇଁ ବି ଅର୍ଥ ରହିବ । ଏହା ଦ୍ୱାରା ବର୍ଷରେ ୩ରୁ ଅଧିକ ଫସଲ ଚାଷ କରାଯିବା ସହ ଚାଷୀଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ହୋଇପାରିବ ।
ଆଗରୁ ଆମ ବାପା ଜେଜେ ଅମଳରେ କେବଳ ଚାଷକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ । ଚାଷ ଥିଲା ପ୍ରମୁଖ ଆୟର ମାଧ୍ୟମ । ସେତେବେଳର ସମୟ ଲୋକ ଚାଷକୁ ଆଗ୍ରହ ସହକାରେ ଗ୍ରହଣ କରୁଥିଲେ । ମନରେ ଅହେତୁକ ନିଶା ଥିଲା ଚାଷ ପାଇଁ । କିନ୍ତୁ ଏବର ସମୟରେ ଆଉ କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ବେହି ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ବଡ଼ ବଡ଼ କଲେଜରୁ ଡ଼ିଗ୍ରୀ ହାସଲ ପରେ ଚାକିରୀ ପଛରେ ଗୋଡ଼ାଇ ଶେଷରେ କେଇଟା ପଇସାରେ କାମ କରିବା ବ୍ୟତୀତ ଆଉ କିଛି ଉପାୟ ନଥାଏ । କିନ୍ତୁ ଆମେ ଯଦି ଚାହିଁବା କୃଷି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିବା । ଜଣେ ଜୈବିକ ଉପାୟରେ ଚାଷ କରି ନିଜ ଆୟକୁ ଦ୍ୱିଗୁଣ କରିପାରିବ । ଜୈବିକ ଉପାୟରେ ଚାଷ କରି ଫସଲର ଗୁଣବତ୍ତା ଆଉ ମାଟିର ମାନ ବି ବଢ଼ାଇପାରିବ । ଅଳ୍ପ ଟଙ୍କା ଆଉ ସ୍ୱଳ୍ପ ସମୟ ଭିତରେ ଅଧିକ ଅମଳ କରିପାରିବା । କୃଷି କ୍ଷେତ୍ରରେ ବିଭି୍ନ ନୂତନ ପ୍ରଣାଳୀମାନକୁ ବ୍ୟବହାର କରି ଆମେ ନିଜ କର୍ମମୟ ଜୀବନରେ ବେଶ କିଛି ରୋଜଗାର କରିପାରିବା । ଏସବୁ ଭିତରେ ରୁଫଟପ ଗାର୍ଡ଼େପିଂ , ପାକଶାଳା ବଗିଚା , ସମନ୍ୱିତ କୃଷି , ହାଇଡ଼୍ରୋପନିକ୍ସ ପ୍ରଭୃତି ଆମକୁ ସ୍ୱାବଲମ୍ବୀ ହେବାର ମାର୍ଗ ଦେଖାଇପାରିବ । ଏଠାରେ ମୁଁ ଏସବୁର ଉପଯୋଗିତା ବିଷୟରେ ସମ୍ୟକ ତଥ୍ୟ ଦେବାକୁ ଚାହୁଁଛି ।
ପ୍ରଥମତଃ ରୁଫଟଫ ଗାର୍ଡ଼େନିଂ – ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । ଏବେ ସମସ୍ତେ ନିଜ ଘରେ ଛାତ ଉପରେ ବଗିଚା ସୃଷ୍ଟି କରିବାରେ ଲାଗିଗଲେଣି । ଏହା ମନକୁ ହାଲୁକା ରଖିବା ସହ ଘର ଛାତର ସୌନ୍ଦର୍ଯ୍ୟ ବି ବଢ଼ିପାରିବ । ହାଇଡ଼୍ରୋପନିକ୍ସ- ଏହା କୃଷି ଉପାôଦନର ଏକ ଉନ୍ନତ ପଦ୍ଧତି । ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ । ବିନା ମୃତ୍ତିକା ସାହାଯ୍ୟରେ ଉଦ୍ଭିଦ ବଢାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ । ଏହି ପ୍ରଣାଳୀରେ କେବଳ ପାଣିରେ ସମସ୍ତ ବୃକ୍ଷ ବଢିପାରିବ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୌଣସି ଗଛ ବଢାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହାର ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ ।ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ ।
ସ୍ୱଳ୍ପ ସ୍ଥାନ ଏବଂ ଖୁବ କମସମୟରେ ଅଧିକ ଫସଲ ଅମଳ କରାଯାଇପାରିବ । ଏହା ଦ୍ୱାରା ଜୌବିକ ଫସଲ ଉତ୍ପାଦନ କରାଯାଇପାରିବ । ଏହା ବ୍ୟତୀତ ସମନ୍ୱିତ ଚାଷ ହେଉଛି ଏକ ପ୍ରକାରର ମିଶ୍ରିତ ଚାଷ । ଏହି ପଦ୍ଧତିରେ ସମସ୍ତ ପ୍ରକାର ଚାଷର ମିଶ୍ରଣରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରାଯାଇ ପାରିବ । ସମନ୍ୱିତ ଚାଷର ମୌଳିକ ତଥ୍ୟ ହେଉଛି ଏକ ସିମିତ ଜାଗାରେ ସମସ୍ତ ପ୍ରକାର ଚାଷ କରାଯାଇ ପାରିବ ଯେଉଁଭଳି ଗୋଟିଏ ଚାଷର ଅତିରିକ୍ତ ଉପାଦାନ ଅନ୍ୟ ଏକ ଚାଷର ମୁଖ୍ୟ ଉତ୍ପାଦନ ଭାବରେ ବ୍ୟବହାର କରାଯାଇ ପାରିବ । ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ସହିତ ନିୟମିତ ଭାବରେ ରୋଜଗାର ପ୍ରଦାନ ଓ ଅର୍ଥ ଉପାର୍ଜନ କରିହେବ । ସମନ୍ୱିତ ଚାଷ ପଦ୍ଧତି ଦ୍ୱାରା ଜମିର ଉତ୍ପାଦତା ବଢ଼ିଥାଏ । ସୀମିତ ଜମିରୁ ଅଧିକ ଲାଭ ହୋଇଥାଏ । ଚାଷ ଚିରନ୍ତନ ହୋଇଥାଏ ଏବଂ ଋତୁକାଳୀନ ଚାଷର କ୍ଷତି ହ୍ରାସ ପାଇଥାଏ । ଚାଷି ପରିବାର କର୍ମନିଯୁକ୍ତି ହୋଇଥାଏ । କ୍ଷୁଦ୍ର ବା ମଧ୍ୟମ ଧରଣର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଥାଏ । ଅଳ୍ପବିନିଯୋଗରେ ପ୍ରତିବର୍ଷ ଲାଭ ବଢ଼ିଥାଏ । ଏହା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇଥାଏ ।
କୃଷି ସଂସ୍କାର ପାଇଁ ଭୂ-ଉନ୍ନୟନ ଏକ ବିଧିବଦ୍ଧ ବ୍ୟବସ୍ଥା । ଜମିର କିସମ ନିର୍ଣ୍ଣୟ କରି କ୍ଷୁଦ୍ର କ୍ଷେତକୁ ବୃହତ୍ତର କରାଗଲା । ଗଭୀର ଚାଷ କରାଗଲା । ଜୈବିକ ପଦ୍ଧତିରେ ଚାଷ ପାଇଁ ପ୍ରଶିକ୍ଷଣ ଦିଆଗଲା । ପରନ୍ତୁ ଦୁଃଖର ବିଷୟ ଆଜି ରାଜରାସ୍ତାରେ ଚାଷୀ, ବରଗଡ଼ରେ ଚାଷୀ ଆତ୍ମହତ୍ୟା ଚକଡା ପାଇଁ ଜମିର ଶସ୍ୟ ଜାଳିଦିଆଗଲା । ପୋଲିସ ଓ ଚାଷୀର ଖଣ୍ଡ ଯୁଦ୍ଧ ଆଉ ଶେଷରେ ଧାରା ୧୪୪ । ରାଜଧାନୀ ରାଜରାସ୍ତାରେ ଚାଷୀଙ୍କୁ ଯିବା ମନା ହୋଇଗଲା । ନିଜର କିଛିଟା ଆବଶ୍ୟକତାକୁ ପୁରଣ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆଢୁଆଳକୁ ଆସୁଥିଲେ ଚାଷୀ । ହେଲେ ୧୪୪ ଧାରା ସବୁକିଛି ଭଣ୍ଡୁର କଲା । ଯିଏ ଦିନେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାର ମଙ୍ଗୁଆଳ ଧରିଥିଲା ଆଜି ସେ ରାଜରାସ୍ତାରେ ।
ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ଆଉ କିଛିଟା ପଦକ୍ଷେପ ନେଲେ କୃଷି ସଂସ୍କାର ହେବା ସହ ଓଡିଶା କୃଷି କ୍ଷେତ୍ରରେ ନୂତନ ପାରଦର୍ଶିତା ଦେଖାଇ ପାରିବ । ସମୟର ସାରାଂଶରେ ଆଜି କୃଷି ସଂସ୍କାର ଏକ ଆହ୍ୱାନ ହୋଇପଡିଛି । କୃଷିର ବିକାଶ, କୃଷକର ବିକାଶ ଆଉ ସଶକ୍ତ ଓଡିଶା ସଶକ୍ତ କୃଷକ ଏହାହିଁ ଆମର ମୂଳମନ୍ତ୍ର । କୃଷକର ବିକାଶ ପାଇଁ ସଦାସର୍ବଦା ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଆସିଛନ୍ତି । ନୂତନ ଉଦ୍ଭାବନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ସମ୍ମାନ, କୃଷି ବୀମା ଯୋଜନା ସହିତ ବିଭିନ୍ନ ସରକାରୀ ଯୋଜନା କୃଷିର ବିକାଶ ଦିଗରେ ଉପସ୍ଥାପନା କରିଆସୁଛନ୍ତି । କହିବା ପ୍ରସଙ୍ଗ ଏହିକି ଯେ – କୃଷି କେବଳ ଯୋଜନା ଦ୍ୱାରା ଅତିବାହିତ ହୁଏନାହିଁ, ବରଂ ଏଥିପାଇଁ ଆବଶ୍ୟକ ବିଭିନ୍ନ ଦୃଷ୍ଟିଦାୟକ ଆବଶ୍ୟକତା ।
ସମ୍ପାଦକ (ଶ୍ୟାମଳ ସୁବର୍ଣ୍ଣ, ବାସୁଦେବପୁର, ଭଦ୍ରକ), ମୋ-୯୪୩୮୪୬୭୦୭୯
Comments are closed.