ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ରାଜ୍ୟ ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ, ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ଦାବୀ କରିଛି । ୨୦୧୯ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ଇତି ମଧ୍ୟରେ ୪ବର୍ଷ ବିତି ଗଲାଣି ଏବଂ ରାଜ୍ୟର ବରିଷ୍ଠ କାରିଗରଙ୍କୁ ମାସିକ ଆର୍ଥିକ ସହୟତା ମିଳିପାରିନାହିଁ । ଯାହାକୁ ନେଇ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ସହ ୨ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା, ଭୂମିହୀନ କାରିଗରଙ୍କୁ ଘରଢିହ, ପିଲାଙ୍କୁ ଛାତ୍ରବୃତି ଓ ବିନା ସୁଧରେ ଋଣ , ଜୀବନ ବୀମା, ଭୁବନେଶ୍ୱରରେ ସାମୟିକ ରହଣୀ ପାଇଁ କାରିଗର ହଷ୍ଟେଲ ,କାରିଗର କଲ୍ୟାଣ ପାଣ୍ଠି,ରାସ୍ତା କଡରେ ଥିବା ଶିଳ୍ପୀ ଓ ବୟନ ଗ୍ରାମ ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସା୍ଥ ଓ ଜାତୀୟ ରାଜପଥ କଡରେକାରିଗର ହାଟ ଆଦିର ବ୍ୟବସ୍ଥା କରିବାକୁ ଆଜିର ସମାବେଶରେଦାବୀ ଉତଥାପନ କରାଯାଇଥିଲା । ତତସହିତ ଗୋପାଳପୁର ବୁଣାକାରଙ୍କୁ ଟସର ଯୋଗାଇବାରେ ବିଭାଗୀୟ ଅଧିକାରୀ ବିଫଳ ହୋଇଥିବାରୁ ମହାସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ବୁଣାକାରଙ୍କୁ ରିହାତି ଦରରେ ଟସର , ସୂତା ଓ ରଙ୍ଗ ଏବଂ ରାଜ୍ୟର
ପଥର କାରିଗରଙ୍କୁ ସ୍ୱଳ୍ପ ମୂଲ୍ୟରେ କାରିଗରୀ ଉପଯୁକ୍ତ ପଥର ଯୋଗାଇଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା ।
ଏହି କାରିଗର ସମାବେଶରେ ରାଜ୍ୟ ଗ୍ରାମ ଉନ୍ନୟନ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବରେ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବରେ, ଶିଳ୍ପୀ ସଙ୍ଗଠକ ଶିଶିର ସାହୁ,ଖୋର୍ଦ୍ଧା ଜିଲ୍ଲା ଉପ ନିର୍ଦ୍ଦେଶିକା ହସ୍ତଶିଳ୍ପ ପ୍ରବୀଣା ନାୟକ, କେନ୍ଦ୍ର ବୟନଶିଳ୍ପ ମନ୍ତ୍ରାଳୟ ଅଧିନସ୍ଥ ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସେବା କେନ୍ଦ୍ରର ସହ ନିର୍ଦ୍ଦେଶକ ଏକେ ହୋତା, ଡିଜାଇନର ଜ୍ଞାନେଶ ମିଶ୍ର, ଭୁବନେଶ୍ୱର ସ୍ଥିତ ମନ୍ଦାକିନୀ ଅନୁଷ୍ଠାନର ପ୍ରତିଷ୍ଠାତା ମଧୁଛନ୍ଦା ବଳ ଓ ଡିଜାଇନର ଶିବାନନ୍ଦ ଭୋଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ ।
ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଓାଲର୍ଡ ସ୍କିଲ ସେଣ୍ଟର ପକ୍ଷରୁ ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବାକୁ ବିଶେଷ ତାଲିମ ପ୍ରଦାନ କରିବ ବୋଲି ଏହାର ସାଧାରଣ ପରିଚାଳକ ଜିତେନ୍ଦ୍ର ମୋହନ ସାହୁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଂଜନ କର ମଞ୍ଚ ପରିଚାଳନା କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ଗଗନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.