Latest Odisha News

ଦୁଇ ମାସ ହେବ ଦରମା ପାଇନାହାନ୍ତି ପାର୍ବତୀ ଗଣନାଟ୍ୟର କଳାକାର, ଟିଭିରେ ମାଲିକ ପଢ଼ାଉଛନ୍ତି ଅନୁଶାସନର ପାଠ!

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତରେ ବିବାଦର ଅନ୍ତ ଘଟୁନାହିଁ। ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ଉତ୍ତରଶାସନରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଦରମା ନ ମିଳିବାରୁ ଅଟକି ରହିଛନ୍ତି। ଦୁଇ ମାସରୁ ଅଧିକ ସମୟ ଧରି ପାରିଶ୍ରମିକ ନ ମିଳିବାରୁ ଅସନ୍ତୁଷ୍ଟ କଳାକାରମାନେ ଯାତ୍ରା ପ୍ରଦର୍ଶନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ପାର୍ବତୀ ଗଣନାଟ୍ୟକୁ ୧୪ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ଉତ୍ତରଶାସନରେ ପ୍ରଦର୍ଶନ ପାଇଁ ଚୁକ୍ତି କରାଯାଇଥିଲା। କିନ୍ତୁ ୧୪ ଏପ୍ରିଲରେ କଳାକାରମାନେ ସମୟରେ ପହଞ୍ଚି ନ ପାରିବାରୁ ସେଦିନର ପ୍ରଦର୍ଶନ ବାତିଲ ହୋଇଥିଲା। ପରେ ୧୫ରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ତିନି ଦିନ ପ୍ରଦର୍ଶନ ଚାଲିଥିଲେ ମଧ୍ୟ, ଦରମା ନ ମିଳିବାରୁ କଳାକାର ଓ ଗାଡ଼ି ମାଲିକମାନେ ଆଗକୁ ଯିବାକୁ ମନା କରି ଦେଇଛନ୍ତି।

ଜଣେ କଳାକାର କହିଛନ୍ତି, “ଦୁଇ ମାସ ହେଲା ଆମେ ଦରମା ପାଇନାହୁଁ। ମାଲିକ ବାରମ୍ବାର ମିଛ ଆଶ୍ବାସନା ଦେଇ ଆସୁଛନ୍ତି।” ଆଉ ଜଣେ କର୍ମଚାରୀ କହିଛନ୍ତି, “ଆମେ ୧୫ରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ପ୍ରଦର୍ଶନ କରିଛୁ, କିନ୍ତୁ ତା’ପରେ ଦରମା ନ ମିଳିବାରୁ ଏଠାରେ ଅଟକି ରହିଛୁ।”

କଳାକାରମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ସେମାନେ ଆଗକୁ ପ୍ରଦର୍ଶନ ବନ୍ଦ କରିବେ ଏବଂ ମଞ୍ଚକୁ ଫେରିବେ ନାହିଁ। ଅନ୍ୟପକ୍ଷରେ, ପାର୍ବତୀ ଗଣନାଟ୍ୟର ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ବିଷୟ ସେମାନଙ୍କ ଧ୍ୟାନକୁ ଆସିଛି ଏବଂ ମାଲିକଙ୍କ ସହ ଆଲୋଚନା କରି ଏକ ସମାଧାନ ଖୋଜାଯିବ। ତେବେ, ଅଭିଯୋଗ ସମ୍ପର୍କରେ ଅନ୍ୟ କୌଣସି ବିବୃତି ମିଳି ପାରିନାହିଁ।

ବଡ଼ କଥା ହେଉଛି ପାର୍ବତୀ ଗଣନାଟ୍ୟର ମାଲିକ ଟିଭି ଚ୍ୟାନେଲରେ ବସି କାଳକାର ଓ ତାଙ୍କ ସଂଘକୁ ଚେତାବନୀ ଦେଇଛନ୍ତି । କଳାକାର ମାନେ ସଂଘ କରି ଯାତ୍ର ବନ୍ଦ କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଅନୁଶାସନରେ ରହିବାକୁ କହିଥିଲେ । ଏହାପରେ ଯାତ୍ରା ଜଗତର ଲୋକପ୍ରିୟ କଳାକାର ତଥା ରଙ୍ଗମହଲର କଳାକାର ବାପି ପଣ୍ଡା ପବିତ୍ର ପାତ୍ର ବାବୁଙ୍କୁ କହିଥିଲେ କଳାକାରଙ୍କ ବିନା ସେ କେମିତି ଯାତ୍ରା କରିବେ କରି ଦେଖାନ୍ତୁ । ଏହାପରେ ପବିତ୍ର ବାବୁ କହିଥିଲେ ମାଲିକ ନ ଚାହିଁଲେ କଳାକାର କିଛି କରିପାରିବ ନାହିଁ କି ରୋଜଗାର କରିପାରିବ ନାହିଁ । ଏହାରି ଭିତରେ ପବିତ୍ର ବାବୁ କିଭଳି ତାଙ୍କ କର୍ମଚାରୀଙ୍କୁ ଦରମା ନଦେଇ ଶୋଷଣ କରୁଛନ୍ତି ତାହା ସାମ୍ନାକୁ ଆସିଛି ।

Comments are closed.