ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତିରେ ପୋଲିସକୁ ନେଇ ଜୋର ଧରିଲା ରାଜନୀତି । ଦିଲ୍ଲୀରୁ ପଞ୍ଜାବ ପୋଲିସ ହଟିବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ପ୍ରଥମେ ଦିଲ୍ଲୀରୁ ପଞ୍ଜାବ ପୋଲିସ ହଟିବା ପରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ନିୟୋଜିତ ଥିବା ଅତିରିକ୍ତ ପଞ୍ଜାବ ପୋଲିସକୁ ମଧ୍ୟ ହଟାଇ ଦିଆଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଏବଂ ଦିଲ୍ଲୀ ପୋଲିସର ପରାମର୍ଶ ପରେ ଏହି ଡେଭଲପମେଣ୍ଟ ହୋଇଛି ।
ସେପଟେ ପଞ୍ଜାବ ପୋଲିସ ହଟିବା ପରେ ଦିଲ୍ଲୀରେ ଗୁଜରାଟ ପୋଲିସକୁ ମୁତୟନ କରାଯାଇଥିବା କହିଛନ୍ତି କେଜ୍ରିୱାଲ । ଗୁଜରାଟ ଷ୍ଟେଟ୍ ରିଜର୍ଭ ପୋଲିସ୍ ଫୋର୍ସର ୮ କମ୍ପାନି ଦିଲ୍ଲୀରେ ମୁତୟନ ହୋଇଥିବା କେଜ୍ରିୱାଲ କହିଛନ୍ତି । ଯାହା ଉପରେ ଗୁଜରାଟ SRPF କମାଣ୍ଡାଣ୍ଟ, ମତ ରଖି ସାରିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତ ୧୩ ତାରିଖରୁ ଏହି ୮ କମ୍ପାନି ଫୋର୍ସ, ଦିଲ୍ଲୀରେ ମୁତୟନ ହୋଇଥିବା କହିଛନ୍ତି ।
କେଜ୍ରିୱାଲଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ମଧ୍ୟ ସ୍ପଷ୍ଟୀକରଣ ଦେଇଛି । ଦିଲ୍ଲୀ ନିର୍ବାଚନ ପାଇଁ ଅଢ଼େଇ ଶହ କମ୍ପାନି ଫୋର୍ସର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨୦ କମ୍ପାନି ଦିଲ୍ଲୀରେ ମୁତୟନ ହୋଇ ସାରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି CRPF, BSF, SSB, ITBP, CISF ଏବଂ RPF ଫୋର୍ସ । ରାଜସ୍ଥାନ, ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଚଣ୍ଡିଗଡ଼ ଏବଂ ହିମାଚଳ ପ୍ରଦେଶରୁ ୭୦ କମ୍ପାନି ଫୋର୍ସ, ଏହି ୨୨୦ କମ୍ପାନି ଫୋର୍ସଙ୍କ ମଧ୍ୟରେ ଅଛନ୍ତି ।
Comments are closed.