Latest Odisha News

BREAKING NEWS

ଅପହଞ୍ଚ ଇଲାକାରେ ଆଶାର କିରଣ ଆଶାଦିଦି, ଯାହାର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବଢିଲା ନଦୀର ସୁଅ

ରାୟଗଡା: ଅପହଞ୍ଚ ଇଲାକାରେ ଆଶାର କିରଣ ସାଜିଛନ୍ତି ଆଶା ଦିଦି ସଞ୍ଜିତା ନାଏକ । ବିପଦ ସଙ୍କୁଳ ଅବସ୍ତାରେ ନଦୀ ପାର ହୋଇ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସଞ୍ଜିତାଙ୍କର ନିଜର ଘର ସଂସାର ଥିଲେ ମଧ୍ୟ ସେ ନିଜର କର୍ମକୁ ହିଁ ତାଙ୍କର ସଂସାର ଭାବନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଝୋଡ଼ିପଦର ଗ୍ରାମର ଆଶା ଦିଦି ସଞ୍ଜିତା ନାଏକଙ୍କୁ ଖାଲି ଆଶା ଦିଦି କହିଲେ ଭୁଲ ହେବ, କାରଣ ସେ ଦୁର୍ଗମ ବଣପାହାଡ଼ ଇଲାକାରେ ମାଟି ମାଆ ପାଈଁ ସମର୍ପିତ ଜଣେ ଜାଗ୍ରତ ପହରୀ । ଯେଉଁ ଇଲାକାକୁ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରେ ନାହିଁ ସେଠାରେ ସେ ପ୍ରତିଦିନ ସେବା ପହଞ୍ଚେଇଥାନ୍ତି । ଆଶା ଦିଦିଙ୍କୁ ଦେଖିଲେ ସେଠାରେ ଥିବା ସ୍ଥାନିୟ ଲୋକଙ୍କ ମୁହଁରେ ଫୁଟି ଉଠେ ହସ । ଏକୁଟିଆ ମଣିଷଟେ ମଧ୍ୟ ମନରେ ସାହାସ ବାନ୍ଧେ ଆଶା ଦିଦିଙ୍କ ସାହାର୍ଯ୍ୟ ପାଇ ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟସାଧ୍ୟ ହୋଇଥାଏ । ସେହି ଉପାନ୍ତ ଅଞ୍ଚଳ ମାନଙ୍କୁ ଆଶା ଦିଦି ମାନେ ସାଧାରଣତଃ ଗ୍ରାମାଞ୍ଚଳରେ ପହଞ୍ଚି ସେବା ଯୋଗାଇ ଦେଇଥାନ୍ତି । ନେଟୱର୍କ ନଥିଲେ ମଧ୍ୟ ଆମ୍ବୁଲାନ୍ସ ପାଈଁ ପାହାଡ଼ ଚଢି ନେଟୱର୍କ ଖୋଜି ଆମ୍ବୁଲାନ୍ସକୁ ଯୋଗାଯୋଗ କରନ୍ତି ସେହି ଗାଁର ଲୋକେ । ନଦୀ ନାଳ ମଧ୍ୟ ପାରି ହେବା ପାଈଁ ସମସ୍ତ ଉଦ୍ୟମ କରି କିପରି ସୁରକ୍ଷିତରେ ଡାକ୍ତରଖାନାକୁ ରୋଗୀ ପହଁଚିବେ ସେଥିନିମନ୍ତେ ପ୍ରାଣପଣେ ଚେଷ୍ଟା କରିଥାନ୍ତି ।

ଆଶା ଦିଦି ସଞ୍ଜିତା ନାଏକ କରୋନା ମହାମାରୀ ହେଉ ବା ହଇଜା ସମୟରେ କରିଥିବା ତାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଞ୍ଚଳ ବାସି ମତ ପ୍ରକାଶ କରିଛନ୍ତି | ସଞ୍ଜିତା ଏହି କିଛିଦିନ ତଳେ ଅଡ଼ଜାଲ ଗ୍ରାମକୁ ଏକ ନଦୀ ପାର ହୋଇ ଯାଉଥିବାର ଦେଖିବାକୁ ମିଳିଥିଲା । ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଆଣିବା ସମୟରେ ନଦୀ କୂଳରେ ଗର୍ଭପାତ ହୋଇ ଦୁଇଟି ସନ୍ତାନ ଜନ୍ମ ହୋଇଥିବା କଥା ଚର୍ଚ୍ଚାକୁ ଆସିଥିଲା । ସଞ୍ଜିତା ତାଙ୍କ ସ୍ୱାମୀଗଙ୍ଗାଧରଙ୍କ ସହଯୋଗରେ ନଦୀ ପାର ହୋଇ ଅଡଜାଲ ଗ୍ରାମକୁ ଯାଇ ସେବା ପହଞ୍ଚେଇବା କଥା ସମସ୍ତଙ୍କୁ ଚକିତ କରିଥିଲା |

ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ଯାହାକୁ ପ୍ରମାଣିତ କରିଛନ୍ତି ଆଶାଦିଦି ସଞ୍ଜିତା । ତାଙ୍କର ଦୃଢ ଇଚ୍ଛାଶକ୍ତି ଆଗରେ ସତେ ଯେପରି ହାର ମାନିଛି ବଢିଲା ନଦୀର ସୁଅ । ଏଭଳି ଅନେକ ସଞ୍ଜିତା ଆଜି ମଧ୍ୟ ଓଡିଶାର ଅନେକ ଦୁର୍ଗମ ଅଞ୍ଚଳରେ ସେବାକୁ ନିଜର ବ୍ରତ କରି ଉଦାହରଣ ପାଲଟିଛନ୍ତି । ଏଭଳି ବଣ ମଲ୍ଲିକୁ ଚିହ୍ନଟ କରି ଉଚିତ ସମ୍ମାନିତ କରାଗଲେ ତେବେ ନିଶ୍ଚିତ ଭାବେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ । ତେବେ ସମାଜକୁ ସୁସ୍ଥ ରଖିବା ନିମନ୍ତେ ସଞ୍ଜିତା ଆଶାଦିଦିଙ୍କ ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି |

Leave A Reply

Your email address will not be published.