ଆଇଚି-ନାଗୋୟା : ଜାପାନର ନାଗୋୟାସ୍ଥିତ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବରେ ୨୦ତମ ଏସୀୟ କ୍ରୀଡ଼ାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି । ଜାପାନର ସମ୍ରାଟ ନାରୁହିତୋ ଏହି ବହୁପ୍ରତୀକ୍ଷିତ କ୍ରୀଡ଼ା ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଛନ୍ତି । ଏହି ରଙ୍ଗାରଙ୍ଗ ମାର୍ଚ୍ଚ ପାଷ୍ଟରେ ଦ୍ବିଗୁଣିତ ଅଲିମ୍ପିକ୍ ମେଡାଲ ବିଜେତା ନିଶାଣବାଜ ମନୁ ଭାକର ଏବଂ କବାଡି ତାରକା ପୱନ ସେହରାୱତ ଭାରତୀୟ ଦଳର ଧ୍ବଜାବାହକ (ଫ୍ଲାଗ୍-ବେୟରର) ଭାବେ ତ୍ରିରଙ୍ଗା ଧରି ଶୋଭାଯାତ୍ରାର ନେତୃତ୍ବ ନେଇଛନ୍ତି । ସମ୍ରାଟ ନାରୁହିତୋଙ୍କ ସହ ସାମ୍ରାଜ୍ଞୀ ମାସାକୋ, ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ ସଭାପତି ଶେଖ୍ ଜୋଆନ୍ ବିନ୍ ହାମାଦ୍ ଅଲ୍ ଥାନୀ ଏବଂ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି କିର୍ଷ୍ଟି କୋଭେଣ୍ଟ୍ରି ଉପସ୍ଥିତ ଥିଲେ । ଏହି ସଂସ୍କରଣର ଅଫିସିଆଲ୍ ମାସ୍କଟ ହୋନୋହୋନକୁ ଦର୍ଶକଙ୍କ ସହ ପରିଚିତ କରାଯାଇଥିଲା । ପ୍ରାଚୀନ ଜାପାନୀ ଶବ୍ଦ ଶିଖାରୁ ଆସିଥିବା ଏହି ମାସ୍କଟ୍ ଆଥଲେଟ୍ମାନଙ୍କ ଉତ୍ସାହ ଓ ପ୍ରତିବଦ୍ଧତାର ପ୍ରତୀକ ।
ଚଳିତ ଏସୀୟ କ୍ରୀଡ଼ାରେ ଭାରତ ୫୦୧ ଜଣିଆ ଆଥଲେଟ୍ ଦଳ ପଠାଇଛି, ଯେଉଁମାନେ ୩୬ଟି ଭିନ୍ନ ଭିନ୍ନ କ୍ରୀଡ଼ାରେ ପ୍ରତିଦ୍ବନ୍ଦ୍ବିତା କରିବେ । ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ଭାରତ ୨୮ଟି ସ୍ବର୍ଣ୍ଣ ସହ ମୋଟ ୧୦୬ଟି ମେଡାଲ ଜିତି ଐତିହାସିକ ସଫଳତା ହାସଲ କରିଥିଲା । ଚଳିତ ସଂସ୍କରଣରେ ଏହି ରେକର୍ଡ ଭାଙ୍ଗିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି । ଆନୁଷ୍ଠାନିକ ଉଦ୍ଘାଟନ ପୂର୍ବରୁ ହିଁ କିଛି ପ୍ରତିଯୋଗିତା ଆରମ୍ଭ ହୋଇସାରିଛି । ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆୟୋଜକ ଜାପାନକୁ ୮ ୱିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିସାରିଛି ।ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୪୫ଟି ଏସୀୟ ଦେଶର ପ୍ରାୟ ୧୧,୦୦୦ ଆଥଲେଟ୍ ୪୬୯ଟି ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ।

