Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲ୍: ଉତ୍ତର-ପୂର୍ବାଞ୍ଚଳରେ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ଯାହାର ପ୍ରଭାବ ଆସାମର ବିଭିନ୍ନ ସ୍ଥାନରେ ପଡିଛି । ବିକ୍ଷୋଭକାରୀମାନେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ପେତୃକ ଘରେ ଉପରେ ଢେଲାମାଡ କରିବା ସହ କେନ୍ଦ୍ରମନ୍ତ୍ରୀ ରାମଶ୍ୱେର ତେଲୀଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ତିନସୁକିୟା ଜିଲ୍ଲାର ପାନିଟୋଲା ରେଳ ଷ୍ଟେସନ ଓ ଚବୁଆ ରେଳ ଷ୍ଟେସନରେ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି । ଯାହାଫଳରେ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବାକୁ ଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୌହାଟୀରେ ଅନିଶ୍ଚିତକାଳ ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି ।

ଅଧିକ ପଢନ୍ତୁ: ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ଏପରିକି ଆସାମର କିଛି ସ୍ଥାନରେ ସେନା ମୁତୟନ ହେବା ସହ ଦେବ୍ରୁଗଡରେ ମଧ୍ୟ କର୍ଫୁ ଲଗାଯାଯାଇଛି । ବିଗୁଡୁଥିବା ସ୍ଥିତିକୁ ଦେଖି ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହ ଏକ ବୈଠକ ଅନୁଷ୍ଠିତ କରିଛନ୍ତି ।

କୌଣସି ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ଆସାମ ସରକାରଙ୍କ ପକ୍ଷରୁ ୧୦ଟି ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରିଥିବା ବେଳେ କେତେକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି ।
ଏହବ୍ୟତିତ ଉତ୍ତର-ପୂର୍ବାଞ୍ଚଳର ଅନେକ ସ୍ଥାନରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରାଯାଉଛି ।

ସୂଚନାଯୋଗ୍ୟ, ଅଣମୁସଲିମ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିଲେ ଉତ୍ତରପୂର୍ବ ରାଜ୍ୟର ଲୋକମାନେ ସେମାନଙ୍କର ଜୀବିକା ହରାଇବେ ବୋଲି ଆଶାଙ୍କା କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଏହି ରାଜ୍ୟଗୁଡିକରେ ଅଧିକାଂଶ ଅଣମୁସଲିମ୍ ଶରଣାର୍ଥୀ ରହୁଛନ୍ତି ।

Leave A Reply

Your email address will not be published.