Latest Odisha News

BREAKING NEWS

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଗୌହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ନଅଟି ଜିଲ୍ଲାରେ ବନ୍ୟା ଯୋଗୁଁ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ହେଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅଧିକାରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚଳିତ ବର୍ଷର ବନ୍ୟା ପରିସ୍ଥିତି ପ୍ରଥମ ଥର ପାଇଁ ତିନି ଜଣ ପ୍ରାଣ ହରାଇଛନ୍ତି। ଏଏସଡିଏମଏ ରିପୋର୍ଟ ଅନୁଯାୟୀ, ବକସା, ବାରପେଟା, ଦରାଙ୍ଗ, ଧୁବ୍ରି, ଗୋଲପାରା, କାମ୍ରୁପ, ଲକ୍ଷ୍ମୀପୁର, ନାଲବାଡୀ ଏବଂ ଉଦଲଗୁରି ଜିଲ୍ଲାରେ ୪,୦୭,୭୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

କିଛି ଅଞ୍ଚଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ବୋଲି ଅଧିକାରୀ କହିଛନ୍ତି। ପ୍ରଶାସନ ଏହି ଜିଲ୍ଲାଗୁଡିକରେ ୧୦୧ରିଲିଫ୍ କ୍ୟାମ୍ପ ଚଳାଉଛି, ଯେଉଁଠାରେ ୮୧,୩୫୨ ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ପାଞ୍ଚଟି ଜିଲ୍ଲାର ୧୧୯ ଟି ରିଲିଫ୍ ବଣ୍ଟନ କେନ୍ଦ୍ର ଚଳାଉଛନ୍ତି ସରକାର। ଏଏସଡିଏମଏ କହିଛି ଯେ ବର୍ତ୍ତମାନ ୧,୧୧୮ ଟି ଗାଁ ପାଣି ଘେରରେ ରହିଥିବା ବେଳେ ଆସାମରେ ୮,୪୬୯.୫୬ ହେକ୍ଟର ଫସଲ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଏଥିରେ କୁହାଯାଇଛି ଯେ ବକସା, ବାରପେଟା, ସୋନିତପୁର, ଧୁବ୍ରି, କାମ୍ରୁପ, କୋକରାଜ, ନାଲବାଡୀ, ଦକ୍ଷିଣ ସଲମାରା ଏବଂ ଉଦଲଗୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବନ୍ୟା ଜଳ ଦ୍ୱାରା ଅନେକ ରାସ୍ତା ଓ ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଦରାଙ୍ଗ, ସୋନିତପୁର, କାମ୍ରୁପ, ଗୋଲାଘାଟ, ନାଲବାଡୀ, ବାରପେଟା, ବକସା, ବଙ୍ଗାଇଗାଓଁ, ଧୁବ୍ରି, ଗୋଲପାରା, କରିମଗଞ୍ଜ, କୋକରାଜ, ଉଦଲଗୁରୀ ଏବଂ ଲକ୍ଷ୍ମୀପୁରରେ ବନ୍ୟାଜଳ, ରାସ୍ତା, ବ୍ରିଜ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଦରାଙ୍ଗ ଜିଲ୍ଲାର ଅନେକ ସ୍ଥାନରେ ସହରାଞ୍ଚଳଗୁଡିକ ଜଳବନ୍ଦୀ ହୋଇ ରହିଥିଲା । ବ୍ରହ୍ମପୁତ୍ର ତେଜପୁର ଏବଂ ନେମାଟିଘାଟରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହୋଇଥିଲା ବୋଲି ଏଏସଡିଏମଏ କହିଛି।

Leave A Reply

Your email address will not be published.