Latest Odisha News

BREAKING NEWS

ବାହାନଗା ଦୁର୍ଘଟଣା: ଡିଏନଏ ରିପୋର୍ଟକୁ ଅପେକ୍ଷା କରି ଗେଷ୍ଟ ହାଉସରେ ମୃତକଙ୍କ ପରିବାର

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ତିନି ସପ୍ତାହ। ୨୯୨ ଜଣଙ୍କ ଜୀବନ ନେଇଥିବା ଏହି ଦୁର୍ଘଟଣା ପରେ ଚିହ୍ନଟ ହୋଇପାରିନଥିବା ମୃତକଙ୍କ ପରିବାର ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଘର ବାହାର ରାଜ୍ୟର ହୋଇଥିଲେ ମଧ୍ୟ ଏବେ ଏମ୍ସ ପାଖାପାଖି ଭଡା ନେଇ ଦୁଇ ସପ୍ତାହ ହେବ ରହିଛନ୍ତି।

ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ (ସିଏଫ୍ଏସ୍ଏଲ୍)ରୁ ପରୀକ୍ଷା ରିପୋର୍ଟ ଆସିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଭୁବନେଶ୍ୱର ଏମ୍ସରେ କଣ୍ଟେନରରେ ଗଚ୍ଛିତ ରହିଛି ୮୧ଟି ମର ଶରୀର। ପରିଚୟ ମିଳିନଥିବାରୁ ହସ୍ତାନ୍ତର କରିବାକୁ ଅନ୍ୟ କୌଣସି ବିକଳ୍ପ ନାହିଁ।

ଏମ୍ସ କ୍ୟାମ୍ପସଠାରୁ ଅଳ୍ପ ଦୂରରେ ଥିବା ଏକ ଗେଷ୍ଟ ହାଉସରେ ବିହାରର ବେଗୁସରାଇ ଜିଲ୍ଲାର ବାସନ୍ତୀ ଦେବୀ ରହିଛନ୍ତି। ତାଙ୍କ ସ୍ବାମୀ ଜଣେ ଠିକା ଶ୍ରମିକ। ସ୍ୱାମୀ ଯୋଗେନ୍ଦ୍ର ପାଶଓ୍ୱାନ (୪୧)ଙ୍କ ଶବ ପାଇବା ଆଶାରେ ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ବେଙ୍ଗାଲୁରୁ-ହାଓ୍ୱାଡା ସୁପରଫାଷ୍ଟ ଏକ୍ସପ୍ରେସରେ ଘରକୁ ଫେରୁଥିବା ବେଳେ ବାହାନଗା ବଜାରରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେ ଦାବି କରିଛନ୍ତି।

ଜୁନ୍ ୧୦ ତାରିଖରେ ଡିଏନ୍ଏ ନମୁନା ଦେବା ପରେ ସେମାନେ ଘରକୁ ଚାଲିଯାଇଥିଲେ ଏବଂ ଦୁଇ ଦିନ ତଳେ ପୁଣି ଏଠାରେ ପହଞ୍ଚିଛନ୍ତି। କାରଣ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସପ୍ତାହରୁ ୧୦ ଦିନ ମଧ୍ୟରେ ରିପୋର୍ଟ ପହଞ୍ଚିବ।

ମୃତକଙ୍କ ପୁଅ ଅଙ୍କୁଶଙ୍କ ରକ୍ତ ନମୁନାକୁ ଡିଏନ୍ଏ କ୍ରସ୍ ମ୍ୟାଚିଂ ପାଇଁ ପଠାଯାଇଛି। ଶବର ଅଧା ଭାଙ୍ଗି ଯାଇଥିବା ଡାହାଣ ହାତର ମଝି ଆଙ୍ଗୁଠି ଏବଂ ଅଣ୍ଟାରୁ ଶବକୁ ଚିହ୍ନିଥିଲୁ ବୋଲି ପରିବାର ସଦସ୍ଯ କହିଛନ୍ତି। କିନ୍ତୁ ଅନ୍ୟ ଏକ ପରିବାର ମଧ୍ୟ ସମାନ ଶବକୁ ନେଇ ଦାବି କରିଥିବାରୁ ଅଧିକାରୀମାନେ ଶବ ହସ୍ପାନ୍ତର ନକରି ଡିଏନ୍ଏ ଟେଷ୍ଟ କରାଇଛନ୍ତି।

ସେହିପରି ଅନ୍ୟାନ୍ୟ ଗେଷ୍ଟ ହାଉସରେ ୩୫ ଜଣ ଡେରା ପକାଇଥିବା ଜଣାପଡ଼ିଛି। ଡିଏନ୍ଏ ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ଅନ୍ୟ ୧୫ ଜଣ ଘରକୁ ଚାଲି ଯାଇଛନ୍ତି।

Leave A Reply

Your email address will not be published.