Latest Odisha News

BREAKING NEWS

କଟକଣାରେ ଖୋଲିଲା ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର !

ଆସାମ: କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଆସାମର ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର । ତେବେ ବହୁଦିନର ବ୍ୟବଧାନ ପରେ ଶେଷରେ କୋଭିଡ୍ କଟକଣା ମଧ୍ୟରେ ରବିବାର ମନ୍ଦିର ଖୋଲାଯାଇଛି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଏକାଧିକ କଟକଣା ଶ୍ରଦ୍ଧାଳୁଙ୍କୁ ସାମାନ୍ୟ ନିରାଶ କରିଛି ।

ଶ୍ରଦ୍ଧାଳଙ୍କୁ କେବଳ ମନ୍ଦିର ପରିକ୍ରମା କରିବାକୁ ଅନୁମତି ମିଳିଛି । ଅପରପକ୍ଷରେ ଗର୍ଭଗୃହ କିନ୍ତୁ ବନ୍ଦ ରଖାଯାଇଛି । ମନ୍ଦିରର ମୁଖ୍ୟଦ୍ୱାର ସମ୍ମୁଖରେ ହିଁ ପୂଜାର୍ଚ୍ଚନା କରିବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶ ରହିଛି ।

ମନ୍ଦିର ଖୋଲା ହେବାର ପ୍ରଥମ ଦିନରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ସେହିଭଳି ମନ୍ଦିର ପରିସରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସାନିଟାଇଜେସନ୍ ପ୍ରକ୍ରିୟା ଦେଇ ଯିବାକୁ ପଡିଥିଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ସାନିଟାଇଜେସନ ଚାମ୍ବର ମଧ୍ୟ ପ୍ରସ୍ତୁତ କରାଯାଇଛି ।

ତେବେ ଗତ ତିନିଦିନ ମଧ୍ୟରେ ଯେଉଁମାନେ କୋଭିଡ୍ ଟେଷ୍ଟ କରାଇଥିଲେ, ସେମାନଙ୍କୁ ସିଧାସଳଖ ମନ୍ଦିର ପରିସରକୁ ପ୍ରବେଶ ଅନୁମତି ମିଳିଥିଲା । ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସର ମଧ୍ୟରେ ରହିବାକୁ କେବଳ ୧୫ମିନିଟ ସମୟ ଦିଆଯାଇଛି । ସକାଳୁ ୮ଟାରୁ ମନ୍ଦିର ଖୋଲା ହୋଇ ସଂଧ୍ୟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ମିଳିଛି । ତେବେ ନବରାତ୍ରୀ ଓ ଦୁର୍ଗା ପୂଜାରେ ମନ୍ଦିର ଖୋଲା ହେବାର ସମୟ ବଦଳିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.