ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ ‘ଚାମେଲି ରାଜନୀତି’ ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ମହାକାଳପଡ଼ା ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିରୋଧୀ ଶିବିର ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ଚାମେଲି ନାମକ ଜଣେ ମହିଳାଙ୍କୁ ମୋହରା ବନାଇ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଧରଣର ପ୍ରୟାସ ଚାଲିଥିବା ମଞ୍ଚ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ମହାକାଳପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଏବଂ ତିଖିରି ସମିତି ସଭ୍ୟ ଅରୁଣା ରାଉତ ଉପସ୍ଥିତ ଥିଲେ। ସେମାନଙ୍କ ସହିତ ବଡ଼କୂଳ ସରପଞ୍ଚ ପ୍ରଜ୍ଞାପରମିତା କର, ମହାକାଳପଡ଼ା ସରପଞ୍ଚ ରତିକାନ୍ତ ପଣ୍ଡା, ରାମନଗର ସରପଞ୍ଚ ମିଲନ ଦେବନାଥ, ଦେଉଳିପଡ଼ା ସମିତି ସଭ୍ୟ ସରୋଜ କୁମାର ପରିଡ଼ା, ସୁନୀତ ସରପଞ୍ଚ ଭଗବତୀ ମଣ୍ଡଳ ଏବଂ ବଢି ସମିତି ସଭ୍ୟ ଅଲେଖ ପ୍ରଧାନ ମଧ୍ୟ ଏହି ପ୍ରେସମିଟ୍ ରେ ଯୋଗ ଦେଇ ବିଧାୟକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି।
ମଞ୍ଚର ସଦସ୍ୟମାନେ ସିଧାସଳଖ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ଭାବେ ଅଭିଯୋଗ କରାଯାଇଛି ଯେ ନିର୍ବାଚନରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହେବା ପରେ ଅତନୁ ସବ୍ୟସାଚୀ ନାୟକ ସମ୍ପୂର୍ଣ୍ଣ ଅସହିଷ୍ଣୁ ହୋଇପଡ଼ିଛନ୍ତି। ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ସେ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ରଚନା କରିଛନ୍ତି ବୋଲି ସ୍ଥାନୀୟ ପ୍ରତିନିଧିମାନେ ଦାବି କରିଛନ୍ତି।
“ଚାମେଲି ଜଣେ ଭଲ ଅଭିନେତ୍ରୀ । ସେ ୨୦୧୭ ମସିହାରୁ ନିଜକୁ ବିଜେପିର କର୍ମୀ ବୋଲି କହିଆସୁଛନ୍ତି ଏବଂ ଏହାକୁ ଆମେ ଅସ୍ୱୀକାର କରୁନାହୁଁ। କିନ୍ତୁ ସେ ପୂର୍ବତନ ମନ୍ତ୍ରୀ ଅତନୁ ବାବୁଙ୍କ ସହ ମଧ୍ୟ ଅତ୍ୟନ୍ତ ଘନିଷ୍ଠ।” ସାମ୍ବାଦିକ ସମ୍ମିଳନୀରେ କିଛି ଫଟୋ ଦେଖାଇ ସେ ପ୍ରଶ୍ନ କରିଛନ୍ତି ଯେ, ଯେଉଁ ଚାମେଲି ଗତ ୮ ଦିନ ଧରି ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ, ସେ ହଠାତ୍ କାଲି କେମିତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଭାବେ ଚାଲି ଚାଲି ବାହାରିଲେ? ଏହା କେବଳ ଜଣକ ସ୍ୱାର୍ଥ ପୂରଣ ପାଇଁ କରାଯାଉଥିବା ଏକ ଯୋଜନାବଦ୍ଧ ନାଟକ।
ତିଖିରି ସମିତି ସଭ୍ୟ ଅରୁଣା ରାଉତ ମଧ୍ୟ ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନୀ ପରାଜୟର ଏତେ ବଡ଼ ମାର୍ଜିନକୁ ସହଜରେ ହଜମ କରିନପାରି ବିରୋଧୀ ଗୋଷ୍ଠୀ ଏଭଳି ଅପମାନଜନକ ରାଜନୀତି କରୁଛନ୍ତି। କିନ୍ତୁ ସେମାନଙ୍କର ଏହି କୁତ୍ସିତ ପ୍ରୟାସ କଦାପି ସଫଳ ହେବ ନାହିଁ ବୋଲି ମଞ୍ଚ ସ୍ପଷ୍ଟ କରିଛି।
