ଯାଜପୁର: ଆକାଶରେ ମେଘ ନାହିଁ… ଚାଷ ଜମି ଶୁଖିଲା ପଡ଼ିଛି… ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ । ଏମିତି ସମୟରେ ବର୍ଷାର ଦେବତାଙ୍କୁ ଖୁସି କରିବା ପାଇଁ ଗାଁ ଲୋକେ ଆୟୋଜନ କରିଛନ୍ତି ଏକ ନିଆରା ବିବାହ ‘ଅଣ୍ଡିରା ବିବାହ’ । ଯେଉଁଥିରେ କନିଆ ଓ ବର ଦୁହେଁ ପୁରୁଷ । ଯାହାର ଉଦ୍ଦେଶ୍ୟ ହେଉଛି ଗୋଟିଏ ଭଲ ବର୍ଷା, ଆଉ ଚାଷୀର ହସ ଫେରିଆସୁ।
ତେବେ କହିରଖୁଛୁ, ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଚେତାଇ ଦିଆଯାଇଛି । ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଯାହାର ଝଲକ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହ ଏଯାବତ୍ ଜାରି ରହିଛି । ରଜ ଆରମ୍ଭରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରିଥିବା ବେଳେ ବର୍ଷାର ନାଁ ଗନ୍ଧ ନାହିଁ । ମନ ହେଲେ କାଁ ଭାଁ କେଉଁଠି ଗାଜି ଚାଲିଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଏହି ଫିସିରି ଫିସିରି ମେଘରେ ଏଥର ଚାଷ ହେବ କେମିତି? ଯାହାକୁ ନେଇ ଯାଜପୁର ଜିଲ୍ଲା ସ୍ଥିତ ଗହ୍ମାରିଆ ଗାଁରେ ଏବେ ଏକ ପରମ୍ପରା ଜୀବିତ ରହିଛି, ଯେ ‘ଅଣ୍ଡିରା ବିବାହ’ କରାଇଲେ ସ୍ୱାଭାବିକ ବର୍ଷା ହୁଏ । ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଗହ୍ମାରିଆ ଗାଁରେ ବସୁମତୀ ସ୍ନାନ ଅବସରରେ ଦେଖିବାକୁ ମିଳିଛି ଏହି ନିଆରା ପରମ୍ପରା। ଗାଁର ଦୁଇ ଜଣ ପୁରୁଷଙ୍କୁ ବର ଓ କନିଆ ବେଶରେ ସଜାଯାଇଥିଲା। ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ମଧ୍ୟସ୍ଥତାରେ ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପାଇଁ ଗହ୍ମାରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦେ୍ଧଶ୍ୱରୀଙ୍କ ପୀଠରେ ବେଦି ପ୍ରସ୍ତୁତ କରାଯାଇଥିଲା । ସାରା ଗ୍ରାମବାସୀ ବିବାହ ଆୟୋଜନରେ ମାତିଲେ । ପରେ ଆରମ୍ଭ ହୋଇଥିଲା ପୂରା ବିବାହ ଆୟୋଜନ। ବାଜା, ବାଣ, ରୋଷଣୀ ଓ ନାଚଗୀତରେ କମ୍ପି ଉଠିଥିଲା ଗାଁ ଦାଣ୍ଡ। ବରଯାତ୍ରୀ ଧୁମଧାମରେ କନିଆ ଘରକୁ ପହଞ୍ଚିଥିଲେ। ଠିକ୍ ଯେମିତି ସାଧାରଣ ବିବାହରେ ହୁଏ, ସେମିତି ସବୁ ରୀତିନୀତି ପାଳନ କରାଯାଇଥିଲା। ହେଲେ ଏହି ହସଖୁସି ଭିତରେ ଲୁଚି ରହିଥିଲା ଚାଷୀର ଏକ ଗଭୀର ପ୍ରାର୍ଥନା।
ଗାଁ ଲୋକଙ୍କ ଭାଷାରେ ଏହା ହେଉଛି “ଅଣ୍ଡିରା ବିବାହ”। ଶହ ଶହ ବର୍ଷ ଧରି ବସୁମତୀ ସ୍ନାନ ଦିନରେ ଏହି ପରମ୍ପରା ପାଳନ କରାଯାଉଛି। ବିଶ୍ୱାସ ରହିଛି, ଏହି ପ୍ରତୀକାତ୍ମକ ବିବାହ ଦେବାଦେବୀଙ୍କୁ ପ୍ରସନ୍ନ କରେ ଓ ସମୟରେ ବର୍ଷା ଆଣିଥାଏ। ଏନେଇ ଗାଁର ବୟସ୍କ ଲୋକେ କୁହନ୍ତି, ବର୍ଷା ହେଲେ ଫସଲ ଭଲ ହୁଏ, ଫସଲ ଭଲ ହେଲେ ଚାଷୀର ଘରେ ହସ ଫେରେ। ସେଥିପାଇଁ ବର୍ଷା ଓ କୃଷି ସହ ଜଡ଼ିତ ଏହି ପରମ୍ପରାକୁ ଆଜି ବି ସେମାନେ ଜୀବନ୍ତ ରଖିଛନ୍ତି।
ଆଧୁନିକତାର ଦୌଡ଼ ଭିତରେ ଅନେକ ପୁରୁଣା ପରମ୍ପରା ହଜି ଯାଉଥିବା ବେଳେ, ଗହ୍ମାରିଆ ଗାଁ ଆଜି ବି ନିଜ ମାଟି, ନିଜ ବିଶ୍ୱାସ ଓ ନିଜ ସଂସ୍କୃତିକୁ ଧରି ରଖିଛି। କାରଣ ସେମାନଙ୍କ ପାଇଁ ଏହା କେବଳ ଏକ ବିବାହ ନୁହେଁ, ବରଂ ଆକାଶକୁ ଦେଇଥିବା ବର୍ଷାର ନିମନ୍ତ୍ରଣ।
