Latest Odisha News

BREAKING NEWS

ସୋନାରପୁରରେ ଅଭିଷେକ ବନାର୍ଜୀଙ୍କ ଉପରେ ଆକ୍ରମଣ ମାମଲା, ୫ ଜଣଙ୍କୁ ଗିରଫ କଲା ପୋଲିସ

କୋଲକାତା: ପଶ୍ଚିମବଙ୍ଗର ସୋନାରପୁରରେ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଓ ସାଂସଦ ଅଭିଷେକ ବନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ବଡ଼ ପଦକ୍ଷେପ ନେଇଛି। ଘଟଣା ସହ ଜଡିତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ତପନ ମାଇତି ଓ ଆକାଶ ନାମକ ଦୁଇ ଜଣ ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ ଘଟଣାସ୍ଥଳର ଭିଡିଓରେ ଦେଖାଯାଇଥିବା ଦାବି କରାଯାଉଛି।

ପୋଲିସ ସୂତ୍ର ଅନୁସାରେ, ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି।

ଶନିବାର ଅଭିଷେକ ବନାର୍ଜୀ ସୋନାରପୁର ଅଞ୍ଚଳକୁ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରଭାବିତ ପରିବାରମାନଙ୍କୁ ଭେଟିବା ପାଇଁ ଯାଇଥିଲେ। ସେହି ସମୟରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଘେରି ଯାଇଥିଲେ। ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ଏବଂ ତାଙ୍କ ଉପରକୁ ଅଣ୍ଡା ଓ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲେ।

ଘଟଣା ପରେ ଅଭିଷେକ ବନାର୍ଜୀ ଏହାକୁ ବିଜେପି ପ୍ରାୟୋଜିତ ଆକ୍ରମଣ ବୋଲି ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ, ପୂର୍ବରୁ ତାଙ୍କ ଗସ୍ତ ସମ୍ପର୍କରେ ପ୍ରଶାସନକୁ ସୂଚନା ଦିଆଯାଇଥିଲା, କିନ୍ତୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା। ସେ ଦାବି କରିଛନ୍ତି ଯେ ତାଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ଏବଂ ଘଟଣାର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳର ନେତାମାନେ କହିଛନ୍ତି ଯେ ରାଜ୍ୟରେ ତୃଣମୂଳ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ଏବଂ ସେହି କାରଣରୁ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଘଟଣାକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଯାଇଛି। ତୃଣମୂଳ ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହୁଥିବା ବେଳେ ବିଜେପି ତାହାକୁ ଜନଅସନ୍ତୋଷର ପ୍ରତିଫଳନ ବୋଲି ଦାବି କରୁଛି। ଏହି ଘଟଣା ପରେ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତିଆରୋପ ଆହୁରି ତୀବ୍ର ହୋଇଛି।

ଏପରିସ୍ଥିତିରେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ଜଡିତ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଭିଡିଓ ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.