Latest Odisha News

BREAKING NEWS

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ: ବିଜେପି ଉପରେ ବର୍ଷିଲେ ମମତା, ସାହାଯ୍ୟର ହାତ ବଢ଼ାଇଲେ ରାହୁଲ

କୋଲକାତା: ପଶ୍ଚିମବଙ୍ଗର ସୋନାରପୁରରେ ତୃଣମୂଳ କଂଗ୍ରେସ ବା ଟିଏମସି ନେତା ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଛି। ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରାଣ ହରାଇଥିବା ଜଣେ ଦଳୀୟ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ତାଙ୍କ ଉପରେ ଆକ୍ରମଣ କରିଥିଲା। ତାଙ୍କୁ ଠେଲାପେଲା କରିବା ସହ ଅଣ୍ଡା ଏବଂ ପଥର ମାଡ଼ କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟି ଉପରେ ସିଧାସଳଖ ନିଶାନା କରି ଏହାକୁ ଏକ ପ୍ରାୟୋଜିତ ଆକ୍ରମଣ ବୋଲି କହିଛନ୍ତି। ଶାସକ ଏବେ ହତ୍ୟାକାରୀ ସାଜିଛନ୍ତି ବୋଲି ମମତା ଅଭିଯୋଗ କରିବା ସହ ବିଜେପି ସମର୍ଥିତ ଗୁଣ୍ଡାମାନେ ଏହି କାଣ୍ଡ ଭିଆଇଥିବା ସେ କହିଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଅଭିଷେକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

 

ଅନ୍ୟପଟେ ଏହି ଘଟଣା ପରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରି ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି। ରାହୁଲ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଏହା କେବଳ ଜଣେ ସାଂସଦଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି।

 

ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଭଳି ବହୁ ବିଶିଷ୍ଟ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି। ବିଜେପି ସରକାରର ପ୍ରତିଶୋଧମୂଳକ ରାଜନୀତି ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଜାତୀୟ ରାଜନୀତିରେ ବେଶ୍ ସରଗରମ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.