Latest Odisha News

BREAKING NEWS

Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!

ଭୁବନେଶ୍ବର: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା

କିଏ ରହିବେ…କିଏ କଟିବେ?

୨ରୁ ମୁଖ୍ୟମନ୍ତ୍ରୀ ପରଖିବେ ରିପୋର୍ଟ କାର୍ଡ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ଚେହେରାଙ୍କୁ ମିଳିପାରେ ସୁଯୋଗ । ସେପଟେ ନିଜ ପଦ ବଞ୍ଚାଇବା ପାଇଁ ନିଜ ନିଜ ବିଭାଗର ରିପୋର୍ଟ କାର୍ଡକୁ ସୁଦୃଢ କରିବାରେ ଲାଗିଛନ୍ତି ମନ୍ତ୍ରୀ । ଆସନ୍ତା ୨ରୁ ସବୁ ବିଭାଗର ରିପୋର୍ଟ କାର୍ଡକୁ ତନତନ କରି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହା ପ୍ରଦର୍ଶନ ଭଲ ଥିବ, ସିଏ ରହିବେ । ଆଉ ଯାହାର କାମରେ ଢିଲା ଦେଖିବାକୁ ମିଳିବ, ତାଙ୍କ ସ୍ଥାନ ନେବେ ନୂଆ ଚେହେରା । ଯାହାକୁ ନେଇ ଏବେ ଚାଲିଛି ଅଙ୍କକଷା ।

ତେବେ କୁହାଯାଉଛି, ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ଆଖିରେ ରଖି ଦୁଇଟି ପ୍ରମୁଖ ମାନଦଣ୍ଡ ସ୍ଥିର କରାଯାଇଛି । ଗୋଟିଏ ହେଉଛି ଦକ୍ଷତା ଏବଂ ଅନ୍ୟଟି ହେଉଛି ଆନୁଗତ୍ୟ । ଏହି ଦୁଇଟି ମାନଦଣ୍ଡକୁ ଯିଏ ସୂଚାରୁ ରୂପେ ଚଳାଉଥିବେ ସେମାନେ ହିଁ ମୋହନଙ୍କ କ୍ୟାବିନେଟର ପ୍ରଥମ ପସନ୍ଦ ହେବେ । ଆଉ ସରକାରଙ୍କ ଭାବମୂର୍ତ୍ତିକୁ ଆଞ୍ଚ୍‌ ପହଞ୍ଚାଉଥିବା ନେତାଙ୍କ ସ୍ଥାନ ମୋହନ ମନ୍ତ୍ରିମଣ୍ଡଳରେ କଦାପି ନାହିଁ । ଏମିତି କଠୋର ନୀତି ସହ ମନ୍ତ୍ରୀମାନଙ୍କର ଦକ୍ଷତା ମୂଲ୍ୟାୟନ କରୁଛନ୍ତି ମୋହନ ସରକାର । ଯାହାର ଚର୍ଚ୍ଚା ପାୱାର୍‌ କରିଡର୍‌ରେ ଜୋର ଧରିଛି । କୁହାଯାଉଛି, ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ହୋଇପାରେ । ଏନେଇ ଆସନ୍ତା ଜୁନ୍‌ ୨ରୁ ମନ୍ତ୍ରୀମାନଙ୍କର ଦକ୍ଷତାର ସିଧା ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗ୍ୟତା, ଦକ୍ଷତା ମୂଲ୍ୟାୟନ ପାଇଁ ୧୬ ପୃଷ୍ଠାର ଫର୍ମାଟରେ ନିଜ ବିଭାଗର ୨ବର୍ଷର ସଫଳତା, ଉପଲବ୍ଧି ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ ବର୍ଷ ଭିତରେ ସରକାରଙ୍କ ପ୍ରତିଶ୍ରୁତି ଏବଂ ଗ୍ରାଉଣ୍ଡ ଜିରୋରେ ବାସ୍ତବରେ କେତେ ସମସ୍ୟାର ସମାଧାନ ହୋଇଛି ତାହାର ହିସାବକିତାବ ଦେବେ ମନ୍ତ୍ରୀ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଭାଗର କାର୍ଯ୍ୟକାରିତା ଓ ଦକ୍ଷତାର ସମୀକ୍ଷା କରାଯିବ । ଜୁନ୍‌ ୯ ତାରିଖ ମଧ୍ୟରେ ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜେପି ସରକାରଙ୍କୁ କାର୍ଯ୍ୟକାଳକୁ ଆସନ୍ତା ଜୁନ୍‌ ୧୨ ତାରିଖରେ ୨ ବର୍ଷ ପୂରିବ । ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟବାସୀଙ୍କ ଆଗରେ ଦୁଇ ବର୍ଷର ଉପଲବ୍ଧି ଉପସ୍ଥାପନ କରପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଏହି ସମୟରେ ସରକାରଙ୍କ ଦ୍ୱିତୀୟ ବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର କରିପାରନ୍ତି ।

ଜୁନ୍ ୧୨, ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣ ଅନ୍ୟ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, କିନ୍ତୁ ସେବେଠାରୁ ଏପର୍ଯ୍ୟନ୍ତ ୬ଟି ପଦବୀ ଖାଲି ରହିଛି। ନିୟମ ଅନୁଯାୟୀ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ସମେତ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ରାଜ୍ୟର ମୋଟ ବିଧାୟକଙ୍କ ସଂଖ୍ୟାର ୧୫ ପ୍ରତିଶତ ମଧ୍ୟରେ ରହିବା ଉଚିତ। ଯେହେତୁ ଓଡ଼ିଶାରେ ୧୪୭ ଜଣ ବିଧାୟକ ଅଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରୀଙ୍କ ସଂଖ୍ୟା ୨୨ ମଧ୍ୟରେ ହେବା ଉଚିତ। ତେଣୁ, ମୋହନ ମାଝୀ ତାଙ୍କ ମନ୍ତ୍ରୀ ପରିଷଦରେ ଆଉ ଛଅ ଜଣ ସଦସ୍ୟଙ୍କୁ ଯୋଡି ପାରିବେ।

ଆଉ ଏହା ବି ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିବା ବେଳେ ତାଙ୍କ ଇଚ୍ଛା ଅନୁସାରେ ମନ୍ତ୍ରୀମାନଙ୍କୁ ହଟାଇବା ଏବଂ ବାଛିବା କାର୍ଯ୍ୟ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉପରୁ ଗ୍ରୀନ ସିଗନାଲ ମିଳିସାରିଛି ।  କୁହାଯାଉଛି, ଅତି କମ୍‌ରେ ୬ ଜଣଙ୍କ ଦକ୍ଷତା ଏବଂ ଆନୁଗତ୍ୟ ଉପରେ ମୋହନ ସରକାର ଖୁସି ନାହାନ୍ତି । ସେମାନଙ୍କ ଚୌକି ଏବେ ବିପଦରେ । ଅର୍ଥାତ୍ ଏବେ ମୋଟ ୧୨ ମନ୍ତ୍ରୀ ପଦ ନେଇ କସରତ ଚାଲିଛି । କାହା ମୁଣ୍ଡରେ ସୁନା କଳସି ଢାଳିବେ ମୋହନ? ତାଙ୍କୁ ନେଇ କଳ୍ପନାଜଳ୍ପନା ବଢିଛି ।

Leave A Reply

Your email address will not be published.