Latest Odisha News

BREAKING NEWS

ଲକ୍ଷ୍ମୀ ବସ୍ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼: ଅଡିଟ୍‌ ଘେରରେ ପରିବହନ ବିଭାଗ, ଜବାବ ମାଗିଲେ ଅକାଉଣ୍ଟାଣ୍ଟ ଜେନେରାଲ

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ସରକାରଙ୍କ ଅନ୍ୟତମ ଯୋଜନା ଲକ୍ଷ୍ମୀ ବସ୍ ଯୋଜନା ବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍‌ ସେବା ଏବଂ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଓଡ଼ିଶାର ଅକାଉଣ୍ଟାଣ୍ଟ ଜେନେରାଲ୍‌ ବା ଏଜି ପକ୍ଷରୁ ଏହି ଦୁଇଟି ଯୋଜନାରେ ହୋଇଥିବା ଅର୍ଥ ବ୍ୟୟ ଏବଂ ପ୍ରଶାସନିକ ନିଷ୍ପତ୍ତି ଉପରେ କଡ଼ା ଆପତ୍ତି ପ୍ରକାଶ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗକୁ ଏକାଧିକ ଚିଠି ପଠାଯାଇ ପାଣ୍ଠିର ବ୍ୟବହାର, ପରାମର୍ଶଦାତା ନିଯୁକ୍ତି ଏବଂ ମାଗଣା ବସ୍ ଯାତ୍ରା ସମ୍ପର୍କରେ ସ୍ପଷ୍ଟୀକରଣ ମଗାଯାଇଛି। ଏହା ପରେ ଏବେ ସରକାରୀ ସ୍ତରରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି।

 

ଅଡିଟ୍‌ ରିପୋର୍ଟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ଲକ୍ଷ୍ମୀ ବସ୍ ସେବା ପାଇଁ ମୋଟ ୨୮୦୬ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଅନୁଦାନର ଏକ ବଡ଼ ଅଂଶ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ନହୋଇ ପଡ଼ି ରହିଥିଲା। ତଥ୍ୟ ଅନୁଯାୟୀ ପ୍ରଥମ ବର୍ଷ ୧୫୩ କୋଟିରୁ ଅଧିକ, ଦ୍ୱିତୀୟ ବର୍ଷ ୩୬୯ କୋଟିରୁ ଅଧିକ ଏବଂ ଶେଷ ବର୍ଷରେ ପ୍ରାୟ ୪୭୮ କୋଟି ଟଙ୍କା ଅବ୍ୟବହୃତ ରହିଥିଲା। ପୂର୍ବ ଟଙ୍କା ଖର୍ଚ୍ଚ ହୋଇନଥିବା ବେଳେ ବାରମ୍ବାର କେଉଁ ଆଧାରରେ ନୂଆ ପାଣ୍ଠି ମଞ୍ଜୁର କରାଯାଉଥିଲା, ସେ ନେଇ ଏଜି ପ୍ରଶ୍ନ କରିଛନ୍ତି। ଏହା ସହିତ ଓଏସଆରଟିସି ପକ୍ଷରୁ ନିର୍ଦ୍ଦିଷ୍ଟ ସମୟରେ ୟୁଟିଲାଇଜେସନ୍ ସର୍ଟିଫିକେଟ୍ ବା ୟୁସି ଦାଖଲ କରାଯାଇ ନଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

 

ଯୋଜନା ପାଇଁ ପରାମର୍ଶଦାତା ଭାବେ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟିମୋଡାଲ୍ ଟ୍ରାନ୍ସିଟ୍ ସିଷ୍ଟମ୍ ବା ଡିଆଇଏମଟିଏସର ନିଯୁକ୍ତିକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହି ସଂସ୍ଥାକୁ ମାସିକ ୨ କୋଟି ୧୪ ଲକ୍ଷ ଟଙ୍କାର ମୋଟା ଅଙ୍କର ଫି ବଦଳରେ ଛଅ ମାସ ପାଇଁ ଦାୟିତ୍ୱ ଦିଆଯାଇଥିଲା ଏବଂ ପରେ ଏହାର ଅବଧିକୁ ଆଉ ଛଅ ମାସ ବଢ଼ାଇ ଦିଆଯାଇଥିଲା। ଏହି ଚୟନ ପୂର୍ବରୁ କୌଣସି ବଜାର ସର୍ଭେ କିମ୍ବା ଟେଣ୍ଡର ପ୍ରକ୍ରିୟା ଆପଣାଯାଇଥିଲା କି ନାହିଁ ଏବଂ ସଂସ୍ଥାର ଯୋଗ୍ୟତା କଣ ଥିଲା, ତାହାର ସମ୍ପୂର୍ଣ୍ଣ ବିବରଣୀ ଅଡିଟ୍ ସଂସ୍ଥା ମାଗିଛି।

 

ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ମାଗଣା ବସ୍ ଯାତ୍ରା ଯୋଜନା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ହୋଇଛି। ପୂର୍ବରୁ ଭଡ଼ାରେ ୫୦ ପ୍ରତିଶତ ରିହାତି ମିଳୁଥିବା ବେଳେ ଗତ ବର୍ଷ ଡିସେମ୍ବର ମାସରେ ଏହାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଥିଲା। ଏହି ସୁବିଧା ନେଉଥିବା ଛାତ୍ରଛାତ୍ରୀଙ୍କ ସତ୍ୟତା ଯାଞ୍ଚ କରିବା ପାଇଁ କି ବ୍ୟବସ୍ଥା ରହିଛି ଏବଂ ଏହା ଦ୍ୱାରା ସରକାରଙ୍କର କେତେ ରାଜସ୍ୱ କ୍ଷତି ହୋଇଛି, ତାହାର ମାସିକ ରିପୋର୍ଟ ତଲବ କରାଯାଇଛି। ଏହି ଯୋଜନା ଯୋଗୁଁ ସ୍କୁଲ ଓ କଲେଜରେ ପିଲାଙ୍କ ଡ୍ରପ୍‌ଆଉଟ୍ ବା ପାଠପଢ଼ା ଛାଡ଼ିବା ହାର କମିଛି କି ନାହିଁ, ତାହାର କୌଣସି ଅଧ୍ୟୟନ କରାଯାଇଛି କି ବୋଲି ଏଜି ପଚାରିଛନ୍ତି।

 

କେବଳ ବସ୍ ସେବା ନୁହେଁ, ବରଂ ଆମ ବସ୍‌ଷ୍ଟାଣ୍ଡ ଯାହା ଏବେ ଅଟଳ ବସ୍‌ଷ୍ଟାଣ୍ଡ ନାମରେ ନାମିତ ହୋଇଛି, ତାହାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ଉପରେ ମଧ୍ୟ ଅଡିଟ୍ ନଜର ରହିଛି। ଏହି ଯୋଜନାର ଅର୍ଥ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସେହିପରି ଲକ୍ଷ୍ମୀ ଯୋଜନା ଅଧୀନରେ ଜଳ ପରିବହନ ବ୍ୟବସ୍ଥା, ଫେରି ଘାଟ ନିର୍ମାଣ ଏବଂ ବେସରକାରୀ ଡଙ୍ଗା ନିଯୁକ୍ତି ବାବଦରେ ହୋଇଥିବା ଖର୍ଚ୍ଚର ସମସ୍ତ ବିବରଣୀ ପ୍ରଦାନ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.