ଭୁବନେଶ୍ୱର: ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ବୋଲି କୁହାଯାଏ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ ସାରାଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି।
ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ।
ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି ଦେଇଥିବା କ୍ରନ୍ତିକାରୀମାନଙ୍କ ସ୍ମରଣ ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ‘ଅଗଷ୍ଟ କ୍ରାନ୍ତି ଦିବସ’ ତଥା‘ଭାରତ ଛାଡ ଆନ୍ଦୋଳନ’ ଭାବେ ପାଳନ କରାଯାଇଥାଏ।
କୁହାଯାଏ, ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ଲାଗି ଜାତିର ପିତା ମହାତ୍ମା ଗାନ୍ଧୀ ଆଜିର ଦିନରେ ହିଁ ଶଙ୍ଖନାଦ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବ୍ରିଟିଶ୍ ସରକାରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା ।
୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ଲୋଡି ଇଂରେଜମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଜ୍ଞା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ କଥାରୁ ଓହରି ଯାଇଥିଲେ। ଯାହାଫଳରେ ଇଂରେଜଙ୍କ ଠାରୁ ସ୍ୱାଧିନତା ଛଡାଇ ଆଣିବା ଲାଗି ସେତେବେଳେ ଗାନ୍ଧିଜୀ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ।
୧୯୪୨ ମସିହାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସମିତି ପକ୍ଷରୁ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା। ଏସମ୍ପର୍କରେ ଜାଣିପାରି ଇଂରେଜମାନେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସର ବନ୍ଦୀ କରି ରଖିଥିଲେ, ଖାଲି ସେତିକି ନୁହେଁ ଏହି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସମସ୍ତ ନେତା, ଅନ୍ୟ କ୍ରାନ୍ତିକାରୀ ଏବଂ ସଂଗ୍ରାମୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଗାନ୍ଧିଜୀ ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ ସତ, ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଏବେ ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ପୂରା ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ।