Latest Odisha News

BREAKING NEWS

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଶଙ୍ଖ ବିକାଶର ପରିଚୟ

ନବରଙ୍ଗପୁର: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ ଜିତାଇବାକୁ ନିବେଦନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଏତେ ସୁବିଧା ଦେଉଛନ୍ତି ବୋଲି ସେମାନେ ରାଗରେ ଜର୍ଜର ହେଉଛନ୍ତି । ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ । ପାଣ୍ଡିଆନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି । କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି,  ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର ୫-Tରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି ।

ପାଣ୍ଡିଆନ କହିଛନ୍ତି ଯେ, ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି । ପଡୋଶୀ ରାଜ୍ୟ ଛତିଶଗଡରେ ବାରମ୍ବାର ସରକାର ବଦଳୁଛି କିନ୍ତୁ ଶାନ୍ତି ନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି ।

ଉମରକୋଟରେ ବର୍ତ୍ତମାନ ୨୧୨ କୋଟି ଟଙ୍କାର କାମ ଚାଲିଛି । ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି । ଉମରକୋଟରେ ଡାଇଲିସିସ୍‌ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ ଟି ରାସ୍ତା କାମ ଚାଲିଛି । ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି। ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ  ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ  ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି କହିଛନ୍ତି ପାଣ୍ଡିଆନ ।

 

Leave A Reply

Your email address will not be published.