Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର

କ୍ୟାନବେରା:ଅଷ୍ଟ୍ରେଲିଆରେ ୟୁରୋପୀୟ ଠେକୁଆଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବଂ ସେମାନଙ୍କ ଯୋଗୁଁ ହେଉଥିବା ବ୍ୟାପକ କ୍ଷତି ଏବେ ଦେଶ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । କୃଷି, ପରିବେଶ ଏବଂ ସ୍ଥାନୀୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଏବେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ବୋନ୍ ବୋନ୍ ରିଜର୍ଭ ଅଞ୍ଚଳରେ ଠେକୁଆଙ୍କୁ ନିୟନ୍ତ୍ରଣ କରିବା ପାଇଁ ତାଲିମପ୍ରାପ୍ତ କୁକୁରଙ୍କୁ ନିୟୋଜିତ କରାଯାଇଛି । ଏହି କୁକୁରଗୁଡ଼ିକ ଦିନକୁ ପ୍ରାୟ ୨୦ କିଲୋମିଟର ଦୌଡ଼ିଥାନ୍ତି । ସେମାନଙ୍କର କାମ ଠେକୁଆଙ୍କୁ ଶିକାର କରିବା ନୁହେଁ, ବରଂ ସେମାନଙ୍କୁ ଡରାଇ ପୁଣି ଗାତ ଭିତରକୁ ପଠାଇବା ଏବଂ ଗାତଗୁଡ଼ିକର ସଠିକ୍ ସନ୍ଧାନ ନେବା, ଯାହାଦ୍ୱାରା କର୍ମଚାରୀମାନେ ସେଗୁଡ଼ିକୁ ସହଜରେ ନଷ୍ଟ କରିପାରିବେ । ଶୀତଦିନିଆ ବର୍ଷା ପରେ ବାବୁଲ ଓ ମୁଲଗା  ଭଳି ଗଛର ନୂଆ ପତ୍ର ଠେକୁଆଙ୍କ ମୁଖ୍ୟ ଆହାର ପାଲଟିଛି, ଯାହା ସେମାନଙ୍କ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରୁଛି ।

ଦକ୍ଷିଣ-ପଶ୍ଚିମ ଅଷ୍ଟ୍ରେଲିଆର ଆଲବାନୀ , କ୍ୟାନବେରା, ଏଡିଲେଡ୍ ଏବଂ କ୍ୱିନ୍ସଲ୍ୟାଣ୍ଡରେ ଠେକୁଆଙ୍କ ଉପଦ୍ରବ ସବୁଠାରୁ ଅଧିକ । ଆଲବାନୀର ଚାଷଜମି ଏବଂ ପ୍ରସିଦ୍ଧ ଗୋଲ୍ଫ କୋର୍ସଗୁଡ଼ିକରେ ଠେକୁଆ ଗାତ ଖୋଳି ପ୍ରଚୁର କ୍ଷତି ପହଞ୍ଚାଉଛନ୍ତି । ୧୭୮୮ ମସିହାରେ ବ୍ରିଟିଶ ପ୍ରଥମ ଜାହାଜ ବାହିନୀ ସହ ଏହି ଠେକୁଆ ଆସିଥିଲେ । ପରବର୍ତ୍ତୀ ସମୟରେ ୧୮୫୯ ମସିହାରେ ଥୋମାସ ଅଷ୍ଟିନ୍ ନାମକ ଜଣେ ବ୍ୟକ୍ତି ଆଣିଥିବା ୨୪ଟି ଠେକୁଆଙ୍କ ଯୋଗୁଁ ସମଗ୍ର ମହାଦେଶରେ ଏମାନଙ୍କ ବଂଶ ବିସ୍ତାର ହୋଇଥିଲା ।  ବର୍ତ୍ତମାନ ଅଷ୍ଟ୍ରେଲିଆରେ ଠେକୁଆଙ୍କ ସଂଖ୍ୟା ପ୍ରାୟ ୨୦ କୋଟିରେ ପହଞ୍ଚିଛି ।  ଠେକୁଆଙ୍କ ଯୋଗୁଁ ଅଷ୍ଟ୍ରେଲିଆର କୃଷି କ୍ଷେତ୍ରକୁ ପ୍ରତିବର୍ଷ ପ୍ରାୟ ୨୦ କୋଟି ଅଷ୍ଟ୍ରେଲୀୟ ଡଲାରର କ୍ଷତି ସହିବାକୁ ପଡ଼ୁଛି । ବିଶେଷଜ୍ଞଙ୍କ ମତରେ, ଯଦି ସମୟ ଥାଉ ଥାଉଏମାନଙ୍କୁ ନିୟନ୍ତ୍ରଣ କରା ନ ଯାଏ, ତେବେ ଅନେକ ସବୁଜିମା ଓ ସ୍ଥାନୀୟ ଜୀବଜନ୍ତୁଙ୍କ ଅସ୍ତିତ୍ୱ ବିପନ୍ନ ହୋଇପଡ଼ିବ ।

Leave A Reply

Your email address will not be published.