Latest Odisha News

BREAKING NEWS

୭୭୧ ରନ, ୬୫ ଚୌକା, ୩୨ ଛକା ଓ ୨ ଶତକ ସବୁ କିଛି ଗୋଟିଏ ମ୍ୟାଚରେ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟର ସବୁଠାରୁ ରୋମାଂଚକର ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚର ଫଳାଫଳ ପାଇଁ ଦର୍ଶକଙ୍କୁ ଶେଷ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଅବଶ୍ୟ ପୁନର୍ବାର ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ନିରାଶ କରିଥିଲା । ଏହି ମ୍ୟାଚରେ ଉଭୟ ଟିମ ଦ୍ୱାରା ୭୭୧ ରନ ସଂଗୃହୀତ ହୋଇଥିଲା । ବିଶ୍ୱକପରେ ଏହା ସର୍ବାଧିକ ମିଳିତ ସ୍କୋର । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ସଂସ୍କରଣରେ ୭୫୪ ରନ ସଂଗୃହୀତ ହୋଇଥିଲା । ଏହି ମ୍ୟାଚରେ ୬୫ ଚୌକା ଓ ୩୨ ଛକା ମରାଯାଇଥିଲା । ଅଷ୍ଟ୍ରେଲିଆ ୩୨ ଚୌକା ଓ ୨୦ ଛକାରେ ୩୮୮ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୩୩ ଚୌକା ଓ ୧୨ ଛକାରେ ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା କ୍ରମାଗତ ୪ର୍ଥ ବିଜୟ ।

ଡେଭିଡ ୱାର୍ଣ୍ଣର ଓ ଟ୍ରେଭିସ ହେଡ ୧୯ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୭୫ ରନ ସଂଗ୍ରହ କରି ନେଇଥିଲେ । ଏକଦା ଅଷ୍ଟ୍ରେଲିଆ ୪୫୦ ରନ କରିବା ସମ୍ଭାବନା ସୃଷ୍ଟି କରିଥିଲା । ଗ୍ଲେନ ଫିଲିପ୍ସ ୩୭ ରନରେ ୩ଟି ୱିକେଟ ନେଇ ଏହି ଝଡକୁ ରୋକିଥିଲେ । ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳୁଥିବା ହେଡ ୫୯ ବଲରେ ୧୦ ଚୌକା ଓ ୭ ଛକା ସହାୟତାରେ ଦ୍ରୁତ ଶତକ ହାସଲ କରିଥିଲେ । ବିଶ୍ୱକପ ପଦାର୍ପଣରେ ସେ ଦ୍ରୁତ ଶତକ ହାସଲରେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଦ୍ରୁତ ଶତକ ହାସଲରେ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଗ୍ଲେନ ମ୍ୟାକ୍ସୱେଲ ୪୦ ବଲରେ ଶତକ ମାରିଥିଲେ ।

Leave A Reply

Your email address will not be published.