Latest Odisha News

ହୋମିଓପ୍ୟାଥିକ ଚିକିତ୍ସାର ପ୍ରାମାଣିକତା

ବିଶ୍ୱ ହୋମିଓପ୍ୟାଥି ଦିବସ ଉପଲକ୍ଷେ

ରାଜେନ୍ଦ୍ର କୁମାର ଦାଶ

ହୋମିଓପ୍ୟାଥି ଚିକିତ୍ସା, ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନାଦୃତ ଚିକିତ୍ସା ବ୍ୟବସ୍ଥା । ଏହି ଚିକିତ୍ସାବିଜ୍ଞାନର ସୃଷ୍ଟି ହୁଏ ୧୭୯୬ ମସିହାରେ ଜର୍ମାନ ଦେଶରେ, ଏକ ତତ୍‌କାଳୀନ ପାରମ୍ପରିକ ବା ଏଲୋପ୍ୟାଥିକ୍ ଚିକିତ୍ସକ ଡା. ସାମୁଏଲ ହ୍ୟାନିମାନଙ୍କ ଦ୍ୱାରା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହା ଦୀର୍ଘ ୨୨୮ ବର୍ଷ ଧରି ବିଶ୍ୱର କୋଣ ଅନୁକୋଣରେ ରୋଗ ପ୍ରପୀଡିତ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛି । ଅନେକ ସମୟରେ ପ୍ରଶ୍ନ ଉଠେ ହୋମିଓ ଚିକିତ୍ସା ବିଜ୍ଞାନ ପ୍ରାମାଣିକ ତ? ଏହି ଚିକିତ୍ସା ପଦ୍ଧତ୍ତିର ପ୍ରାମାଣିକତା ରହିଛି ତ? ଏହି ଚିକିତ୍ସାରେ ଗବେଷଣା ବା ଅନୁସନ୍ଧାନ ପ୍ରକ୍ରିୟା ରହିଛି କି? ଏପରି ଅନେକ କିଛି ପ୍ରଶ୍ନ ଏହି ଚିକିତ୍ସା ପଦ୍ଧତ୍ତିକୁ ନେଇ ଜନ ସାଧାରଣଙ୍କ ମନରେ ରହିଛି । ସେହି ପ୍ରସଙ୍ଗରେ ଆସନ୍ତୁ କିଛି ଆଲୋଚନା କରିବା ।

ପ୍ରଥମ ଆଲୋଚ୍ୟ ବିଷୟ ହେଉଛି ଏହି ଚିକିତ୍ସା ପଦ୍ଧତ୍ତିର ମୌଳିକ ଦର୍ଶନ; ଯାହାକି ବିଭିନ୍ନ ପ୍ରାକୃତିକ ନିୟମ ଆଧାରିତ । ଏହି ଚିକିତ୍ସା ପଦ୍ଧତ୍ତିର ପ୍ରଥମ ମୌଳିକ ଦର୍ଶନ ହେଉଛି ଗୋଟିଏ ଦୁର୍ବଳ ସମ୍ବେଦନାକୁ ଅନ୍ୟ ଗୋଟିଏ ସବଳ ଏବଂ ସଦୃଶ ସମ୍ବେଦନା ଦ୍ୱାରା ପ୍ରତିହତ କରାଯାଇପାରେ । ଯେପରିକି ରସଗୋଲା ଖାଇଲା ପରେ ଚା ମିଠା ନଲାଗିବା ବା କୌଣସି ଏକ ଲଘୁ ମାନସିକ ଦୁଃଶ୍ଚିନ୍ତାକୁ ତୀବ୍ର ମାନସିକ ଦୁଃଶ୍ଚିନ୍ତା ଦ୍ୱାରା ଲୋପ ପାଇଯିବା ବା କୌଣସି ଦୁର୍ଗନ୍ଧକୁ ହଟାଇବା ନିମନ୍ତେ ତୀବ୍ର ସୁଗନ୍ଧି ଦ୍ରବ୍ୟର ବ୍ୟବହାର କରିବା ଇତ୍ୟାଦି ।

ପ୍ରାକୃତିକ ନିୟମ ସମସ୍ତ କାଳରେ ସଠିକ ଓ ସମମାତ୍ରାରେ ପ୍ରଭାବୀ ରହିଥାଏ । ଏହି ଦର୍ଶନ ଆଧାରରେ ରୋଗୀର ଲକ୍ଷଣ ସମୁôଚ୍ଚ଼ୟ ସହିତ ସଦୃଶତମ ସମ୍ପର୍କ ରହିଥିବା ଔଷଧଟିକୁ ପ୍ରଦାନ କରାଯାଇଥାଏ । ମାହାତ୍ମା ହ୍ୟାନିମାନ ଆକସ୍ମିକ ଭାବରେ ଏହି ସିଦ୍ଧାନ୍ତର ସମ୍ମୁଖୀନ ହୋଇଥିଲେ । ସେ ଯେତେବେଳେ ତତ୍‌କାଳୀନ ଜଣେ ପ୍ରତିଷ୍ଠିତ ଲେଖକଙ୍କର ଔଷଧୀୟ ଦ୍ରବ୍ୟଗୁଣ ଆଧାରିତ ଏକ ପୁସ୍ତକ ଅନୁବାଦ କରୁଥିଲେ, ସେତେବେଳେ ସେ ଗୋଟିଏ ତଥ୍ୟର ସମ୍ମୁଖୀନ ହେଲେ ଯେ, ନିର୍ଦ୍ଧିଷ୍ଟ ଗୋଟିଏ ବୃକ୍ଷର ଛାଲି ଏହାର ପିତାଗୁଣ ଯୋଗୁଁ ମ୍ୟାଲେରିଆ ପରି ଜ୍ୱରକୁ ଆରୋଗ୍ୟ କରିଥାଏ । ମାତ୍ର ଏହା ତାଙ୍କର ଅନୁସନ୍ଧିତ୍ସୁ ମନରେ ଆଲୋଡନ ସୃଷ୍ଟି କରିଥିଲା ଯେ, ଅନେକ ପିତା ଦ୍ରବ୍ୟ ଥିଲେ ମଧ୍ୟ ଅନ୍ୟ କେହି ମ୍ୟାଲେରିଆ ଜ୍ୱରକୁ ଆରୋଗ୍ୟ କରୁନଥିବା ସମୟରେ ଏହି ନିର୍ଦ୍ଧିଷ୍ଟ ଔଷଧୀୟ ଦ୍ରବ୍ୟ କିପରି ଏହାକୁ ଆରୋଗ୍ୟ କରୁଛି? ଏହାପରେ ସେ କୌତୁହଳବଶତଃ ସେହି ନିର୍ଦ୍ଧିଷ୍ଟ ଔଷଧକୁ ନିଜେ ଖାଇବା ପରେ ନିଜ ଉପରେ ମ୍ୟାଲେରିଆ ପରି ଜ୍ୱରର ଲକ୍ଷଣମାନ ପ୍ରକାଶ ପାଇଲା । ସମୟକ୍ରମେ ନାନା ପରୀକ୍ଷା ନିରୀକ୍ଷା ପରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଔଷଧୀୟ ଦ୍ରବ୍ୟର ରୋଗସୃଷ୍ଟିକାରୀ ଗୁଣ ହିଁ ରୋଗ ଆରୋଗ୍ୟକାରୀ ଗୁଣ; ଯାହାହିଁ ହୋମିଓପ୍ୟାଥି ଦର୍ଶନର ମୌଳିକ ଭିତ୍ତିଭୂମି ।

ଏହାଛଡା ଅନ୍ୟାନ୍ୟ ଦାର୍ଶନିକ ପୃଷ୍ଟଭୂମି ଯଥା ସୂକ୍ଷ୍ମମାତ୍ରାର ଔଷଧ ପ୍ରୟୋଗ, ଔଷଧକୁ ସ୍ୱତନ୍ତ୍ର ପ୍ରଣାଳୀରେ ସୂକ୍ଷ୍ମସ୍ତରକୁ ଆଣିବା, ସାମଗ୍ରିକ ଦୃଷ୍ଟିକୋଣରୁ ରୋଗୀକୁ ବିଚାର କରିବା, ରୋଗୀର ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ସବୁବେଳେ ସତ୍ୟ ଯେ ସୂକ୍ଷ୍ମତତ୍ତ୍ୱ ସ୍ଥୂଳତତ୍ତ୍ୱକୁ ନିୟନ୍ତ୍ରିତ ଓ ପରିଚାଳିତ କରିଥାଏ; ଅନ୍ୟଥା ସମ୍ଭବ ନୁହେଁ । ନିର୍ଦ୍ଧିଷ୍ଟ ଆଇନ ବା ଦେଶର ସମ୍ବିଧାନ ସୂକ୍ଷ୍ମ ଏବଂ ଏହା ଦେଶ, ରାଜ୍ୟକୁ ପରିଚାଳିତ କରିଥାଏ । ସୂକ୍ଷ୍ମମାତ୍ରାର ଅନ୍ତଃସ୍ରାବୀ ଗ୍ରନ୍ଥିକ୍ଷରଣ ଜନିତ ରାସାୟନିକ ସାମଗ୍ରୀ ସ୍ଥୂଳ ଶରୀରକୁ ନିୟନ୍ତ୍ରଣ

କରିଥାଏ ଏବଂ ସୂକ୍ଷ୍ମସ୍ତରର ମନ ସ୍ଥୂଳ ଶରୀରକୁ ପରିଚାଳିତ କରିଥାଏ । ଏହି କ୍ରମରେ ସୂକ୍ଷ୍ମ ଔଷଧର ଆବଶ୍ୟକତା ହୋଇଥାଏ ଏବଂ ନିର୍ଦ୍ଧିଷ୍ଟ ଔଷଧକୁ ସୂକ୍ଷ୍ମସ୍ତରକୁ ଆଣିବା ପାଇଁ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଓ ଗାଣିତିକ ପ୍ରକ୍ରିୟା ଅବଲମ୍ବନ କରାଯାଇଥାଏ ।

ହୋମିଓପ୍ୟାଥି ଔଷଧର ଦ୍ରବ୍ୟଗୁଣ ଜନିତ ପରିଚୟର ମୂଳ ଆଧାର ହେଉଛି ସୁସ୍ଥ ମନୁଷ୍ୟ ପରୀକ୍ଷଣ । ନିର୍ଦ୍ଦିଷ୍ଟ ଔଷଧିୟ ଦ୍ରବ୍ୟକୁ ନିଦ୍ଦିଷ୍ଟ ମାତ୍ରାରେ ବିଭିନ୍ନ ବର୍ଗର ସୁସ୍ଥମାନବଙ୍କ ଉପରେ ପରୀକ୍ଷଣ କରାଯାଇଥାଏ । ସୁସ୍ଥ ମଣିଷଙ୍କ ଉପରେ ପ୍ରକାଶ ପାଇଥିବା ଲକ୍ଷଣ ସମୁଚ୍ଚ଼ୟ ଆଧାରରେ ଔଷଧକୁ ରୋଗୀ ଉପରେ ପ୍ରୟୋଗ କରାଯାଇଥାଏ । ଏହି ସୁସ୍ଥମାନବ ପରୀକ୍ଷଣ ଏକ ଅତିସ୍ୱତନ୍ତ୍ର ଏବଂ କଠୋର ମାନଦଣ୍ଡ ସମ୍ବଳିତ ପଦ୍ଧତ୍ତି । ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କର ପରୀକ୍ଷଣ ପୂର୍ବବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ପରୀକ୍ଷଣ ପରବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷଣ ମଧ୍ୟ କରାଯାଇଥାଏ । ଏହା ଏକ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତ୍ତି ଏବଂ ସଠିକ ପ୍ରଣାଳୀ । ପଶୁମାନଙ୍କ ଉପରେ ଔଷଧର ପରୀକ୍ଷଣ ବା ନିର୍ଦ୍ଧିଷ୍ଟ ଯାନ୍ତ୍ରିକ ପଦ୍ଧତ୍ତିରେ ଔଷଧ ପରୀକ୍ଷଣ ଠାରୁ ଏହା ଅତ୍ୟନ୍ତ ଉତ୍ତମ; ଯାହାକି ଜୀବନ୍ତ ପ୍ରୟୋଗ ଶାଳାରେ ପରୀକ୍ଷିତ ।

ସମଗ୍ରତା ହିଁ ଜୀବନର ମୌଳିକ ପୃଷ୍ଟଭୂମି; ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ, ସମସ୍ତ କୋଷ ବା ଅବୟବ ବା ନିର୍ଦ୍ଧିଷ୍ଟ ଶରୀର ସଂରଚନା ଜନିତ ବ୍ୟବସ୍ଥା ଏହି ସମଗ୍ରତାରେ ହିଁ ଆବଦ୍ଧ । କେହି କାହାଠାରୁ ସ୍ୱତନ୍ତ୍ର ନୁହଁନ୍ତି । ଶରୀର ଏବଂ ମନ ଅଙ୍ଗାଙ୍ଗୀ ଭାବରେ ଜଡିତ । ମାନସିକ ଦୁଶ୍ଚିନ୍ତା, ବିଷାଦ ବା ଅବସାଦର ପ୍ରତିକ୍ରିୟା ଶରୀର ଉପରେ ଗଭୀର ଭାବରେ ଅନୁଭୂତ ହୋଇଥାଏ । ନିର୍ଦ୍ଧିଷ୍ଟ ଅଙ୍ଗଟିଏ ଅନ୍ୟ ଅଙ୍ଗ ଉପରେ ନିର୍ଭରଶୀଳ । ଅତ୍ୟଧିକ ଶାରୀରିକ ଶ୍ରମପରେ ତତ୍‌ଜନିତ ପରିବର୍ତ୍ତନର ସଫଳ ମୁକାବିଲା ପାଇଁ ହୃତପିଣ୍ଡଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ ସମସ୍ତେ କାମରେ ଲାଗିଯାଇଥାନ୍ତି । ଏପରି ଦାର୍ଶନିକ ପୃଷ୍ଟଭୂମିରେ ନିର୍ଦ୍ଧିଷ୍ଟ ରୋଗକୁ କେବଳ ସେହି ନିର୍ଦ୍ଧିଷ୍ଟ ଅଙ୍ଗ ବା ଅବୟବର ବିକୃତି ବୋଲି ନଭାବି ଏକ ସାମଗ୍ରିକ ଦୃଷ୍ଟିକୋଣରେ ଦେଖାଯାଇଥାଏ ।

ସଂସାରରେ କେହି ଦୁଇଟିଲୋକ ଏକାପରି ନୁହଁନ୍ତି; ଏପରିକି ଗୋଟିଏ ଯୁଗ୍ମଜ ସମ୍ଭୁତ ଦୁଇଗୋଟି ଯମଜ ସନ୍ତାନ ମଧ୍ୟ ଏକାପରି ନୁହଁନ୍ତି । ସେମାନଙ୍କ ବ୍ୟକ୍ତିତ୍ୱରେ ଅନେକ ଫରକ ରହିଥାଏ । ସମସ୍ତ ଜୀବସତ୍ତାଙ୍କର ଏକ ସ୍ୱତନ୍ତ୍ରତା ରହିଥାଏ । ନିର୍ଦ୍ଧିଷ୍ଟ ରୋଗରେ ଆକ୍ରାନ୍ତ ଏକାଧୀନ ବ୍ୟକ୍ତିଙ୍କର ଲକ୍ଷଣ ଅଲଗା ଅଲଗା ହୋଇଥିବା ସ୍ଥଳେ ସେମାନଙ୍କୁ କିପରି ଏକା ପ୍ରକାର ଔଷଧ ଦିଆଯାଇପାରିବ? ବ୍ୟକ୍ତିର ସ୍ୱତନ୍ତ୍ରତା ଆଧାରରେ ନିର୍ଦ୍ଧିଷ୍ଟ ରୋଗୀ ପାଇଁ ନିର୍ଦ୍ଧିଷ୍ଟ ଔଷଧ ଚୟନ କରାଯାଇଥାଏ, ଯାହାକି ଏହି ଚିକିତ୍ସା ପଦ୍ଧତ୍ତିର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ।

ଅନେକ ସମୟରେ ଏପରି ଶୁଣିବାକୁ ମିଳିଥାଏ ଯେ ହୋମିଓଚିକିତ୍ସାରେ ନିଦାନର ଆବଶ୍ୟକତା ହୋଇନଥାଏ, ଏହା ସମ୍ପୂର୍ଣ୍ଣ ଭୁଲ । ହୋମିଓପ୍ୟାଥିକ୍ ଚିକିତ୍ସା ନିମନ୍ତେ ବିଭିନ୍ନ ପ୍ରକାର ପରୀକ୍ଷଣ ଅପରିହାର୍ଯ୍ୟ । ଚିକିତ୍ସାପୂର୍ବରୁ, ଚିକିତ୍ସାର ମଧ୍ୟଭାଗରେ ଏବଂ ଚିକିତ୍ସା ସମାପନ ପରେ ଏହାର ଆବଶ୍ୟକତା ରହିଥାଏ । ରୋଗର ଚିହ୍ନଟ, ରୋଗର ପ୍ରଗତି ଜନିତ ପୂର୍ବାନୁମାନ, ରୋଗୀର ଦିନଚର୍ଯ୍ୟା ଇତ୍ୟାଦି ନିମନ୍ତେ ନିଦାନର ଆବଶ୍ୟକତା ଯଥେଷ୍ଟ ଅଧିକ । ଅନେକ ସମୟରେ ନିଦାନ ଆଧାରରେ ହିଁ ଔଷଧ ନିରୂପଣ କରାଯାଇଥାଏ । ଚିକିତ୍ସାର ଫଳାଫଳର ଆକଳନ ଓ ତତ୍ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଆବଶ୍ୟକୀୟ ନିଦାନ ଉପରେ ନିର୍ଭର କରିଥାଏ । ସମସ୍ତ ପ୍ରକାର ଅତ୍ୟାଧୁନିକ ନିଦାନ ବ୍ୟବସ୍ଥାର ଉପଯୋଗ ହୋମିଓପ୍ୟାଥି ଚିକିତ୍ସାରେ କରାଯିବା ସହିତ ଗବେଷଣା କ୍ଷେତ୍ରରେ ଏହାର ପ୍ରୟୋଗ ମଧ୍ୟ ଯଥେଷ୍ଟ ଭାବରେ ହୋଇଥାଏ ।

ଅନେକ ସମୟରେ ପ୍ରଶ୍ନ ଉଠିଥାଏ, ଏହି ଚିକିତ୍ସା ବିଜ୍ଞାନ; ସମ୍ମତ କି? ରୋଗୀକୁ ସାମଗ୍ରୀକ ଦୃଷ୍ଟିକୋଣରୁ ବିଚାର କରିବା, ରୋଗୀର ମନଃସ୍ଥିତିକୁ ଗୁରୁତ୍ତ୍ୱ ଦେବା, ରୋଗର ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେବା, ରୋଗୀର ନିଜସ୍ୱ ଅନୁଭୂତିକୁ ଗୁରୁତ୍ୱ ଦେବା, ରୋଗ ସମ୍ବନ୍ଧୀୟ ବିଶଦ ସୂଚନା ସଂଗ୍ରହ କରିବା, ରୋଗର ଇତିହାସକୁ ଗୁରୁତ୍ୱ ଦେବା ଇତ୍ୟାଦି ମଧ୍ୟରୁ କେଉଁ ଗୋଟିଏ ବି ଅବୈଜ୍ଞାନିକ ନୁହେଁ ବରଂ ଏହା ବିଜ୍ଞାନର ଏକ ବିଶେଷ ଅନୁସନ୍ଧାନାତ୍ମକ ଦିଗକୁ ଦୃଷ୍ଟି ନିକ୍ଷେପ କରେ । ଅଧିକନ୍ତୁ ହୋମିଓପ୍ୟାଥି ଚିକିତ୍ସା ପଦ୍ଧତ୍ତିରେ କୌଣସି ଏକ ଔଷଧର ନିରୂପଣ ଏକ ବୈଜ୍ଞାନିକ ଓ ଗାଣିତିକ ପ୍ରକ୍ରିୟା ମାଧ୍ୟମରେ କରାଯାଇଥାଏ । ଅନେକ ସମ୍ଭାବ୍ୟ ବା ସଦୃଶ ଔଷଧମାନଙ୍କର ସୂଚୀ ପ୍ରସ୍ତୁତ କରାଯାଇ ତନ୍ମଧ୍ୟରୁ ସର୍ବ ସଦୃଶ ଔଷଧଟିକୁ ଚୟନ କରାଯାଇଥାଏ । କେବଳ ଔଷଧ ଚୟନ ନୁହେଁ ଔଷଧ ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ବୈଜ୍ଞାନିକ ଓ ଗାଣିତିକ ପ୍ରକ୍ରିୟାରେ କରାଯାଇଥାଏ ।

ହୋମିଓପ୍ୟାଥିକ୍ ଔଷଧ ପ୍ରସ୍ତୁତି ପୂର୍ବରୁ ଏବଂ ପରେ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଦାରଣ ସହିତ ବିଭିନ୍ନ ବୈଜ୍ଞାନିକ ପ୍ରକ୍ରିୟାର ସାହାଯ୍ୟ ନିଆ ଯାଇଥାଏ । ରୋଗୀର ବିବରଣୀଠାରୁ ଆରମ୍ଭ କରି ଔଷଧ ନିରୂପଣ, ଔଷଧର ମାତ୍ରା ନିରୂପଣ, ଔଷଧ ସେବନ ପରବର୍ତ୍ତୀ ଆକଳନ ଇତ୍ୟାଦି ସମସ୍ତ ପ୍ରକ୍ରିୟା ସ୍ୱତନ୍ତ୍ର ମାନକ ପ୍ରକ୍ରିୟା ବା ମାନଦଣ୍ଡ ମାଧ୍ୟମରେ ହିଁ ହୋଇଥାଏ ଯେଉଁଥିରେ ବ୍ୟକ୍ତିଗତ ପୂର୍ବାଗ୍ରହ ବା ପକ୍ଷପାତିହାର ସ୍ଥାନ ନଥାଏ ।

ଏହି ଚିକିତ୍ସା ବିଜ୍ଞାନରେ ଅନେକ ଗବେଷଣା ଚାଲୁରହିଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଗବେଷଣା ପରିଷଦ, ବିଭିନ୍ନ ହୋମିଓପ୍ୟାଥି ଶିକ୍ଷାନୁଷ୍ଠାନ, ବିଭିନ୍ନ ରାଜ୍ୟର ଗବେଷଣା ଅନୁଷ୍ଠାନ ଇତ୍ୟାଦି ମାନଙ୍କ ଦ୍ୱାରା ନିୟମିତ ଗବେଷଣା ଚାଲିବା ସହିତ ଗବେଷଣା ଲବ୍ଧ ସୂଚନାକୁ ବିଭିନ୍ନ ପତ୍ରିକାମାନଙ୍କରେ ପ୍ରକାଶ କରାଯାଉଛି । ବିଭିନ୍ନ ପ୍ରକାର ମୌଳିକ ଗବେଷଣା ସହିତ ଚିକିତ୍ସା ସମ୍ବଦ୍ଧିତ ଗବେଷଣାମାନ ନିୟମିତ ଜାରି ରହିଛି ।

ଉପରୋକ୍ତ ଆଲୋଚିତ ଦିଗ ବ୍ୟତୀତ ହୋମିଓପ୍ୟାଥି ଚିକିତ୍ସାର ଅନେକ ବିଜ୍ଞାନ ସମ୍ବତ ଏବଂ ଗବେଷଣା ସୁଲଭ ଦିଗରହିଛି । ଏହି ଚିକିତ୍ସାର ମୂଳ କଥା ହେଉଛି ସମସ୍ତ ସମୟରେ ସତ୍ୟପ୍ରତି ଉତ୍ତର ଦାୟୀ ରହିବା ଏବଂ କୌଣସି ପୂର୍ବାଗ୍ରହ ବା ବ୍ୟକ୍ତିଗତ ଅନୁଭୂତିକୁ ଗୁରୁତ୍ୱ ନଦେବା ଯାହାକି; ପ୍ରତ୍ୟେକ ଗବେଷଣାର ପୃଷ୍ଠଭୂମି । ଏପରି ସ୍ଥଳେ ହୋମିଓ ଚିକିତ୍ସାକୁ ଅପ୍ରାମାଣିକ ବା ବିଜ୍ଞାନ ଅସମ୍ମତ କହିବା ଆଦୌ ପ୍ରାସଙ୍ଗିକ ନୁହେଁ ।

 

ପ୍ରାଧ୍ୟାପକ,

ଡା. ଅଭିନଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ,

ଭୁବନେଶ୍ୱର

Comments are closed.