Latest Odisha News

ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସମ୍ପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ।

ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କଳାକାରମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ଏଥିରେ ବ୍ଲକ ଓ ଜିଲ୍ଲା କଳା ସାଂସ୍କୃତିକ ସଂଘକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.