Latest Odisha News

BREAKING NEWS

ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଲୋକାର୍ପିତ

ଭୁବନେଶ୍ୱର: ବରମୁଣ୍ଡା ଠାରେ ନବନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅତ୍ୟାଧୁନିକ ବସ ଟର୍ମିନାଲ ରାଜ୍ୟର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ଭାବେ ମାନ୍ୟତା ପାଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିଥିଲେ । ଲୋକାର୍ପଣ ପରେ ବସ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ଆହାର କେନ୍ଦ୍ରକୁ ଯିବା ସହ ଖାଦ୍ୟ ମଧ୍ୟ ପରଶିଥିଲେ ।

ଏଠାରେ କହି ରଖୁ କି ବରମୁଣ୍ଡା ବସଷ୍ଟାଣ୍ଡର ନବୀନକରଣ ପରେ ଏହି ଅତ୍ୟାଧୁନିକ ରୂପରେଖରେ ସଜାଯାଇଛି ଏହି ବାବା ସାହେବ ଆମ୍ବେଦକର ବସଷ୍ଟାଣ୍ଡକୁ। ଏହି ବସଷ୍ଟାଣ୍ଡରେ ହାଇଟେକ ବ୍ୟବସ୍ଥା କରାଯାଇଛି। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଫୁଡ଼ କୋର୍ଟ, ଏସକେଲେଟର(ବୈଦୁତିକ ସିଡ଼ି)ଲିଫ୍ଟର ବ୍ୟବସ୍ଥା କରାଯାଇଛି। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସ୍‌‌ର ସମସ୍ତ ବିବରଣୀ ଏହି ଏଲ୍‌‌ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍‌‌, ଏଟିଏମ୍‌‌, ଆହାର କେନ୍ଦ୍ର ଭଳି ସେବା ମିଳିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ।ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍‌‌ ହୋଟେଲ୍‌‌ ଭଳି ସୁବିଧା ମିଳିବ।

ସେହିପରି ଏଠାରେ ଯାତ୍ରୀଙ୍କୁ ମିଶନ ଶକ୍ତି କାଫେ, ଓରମାନ ଓ ମିଲେଟ କାଫେରେ ହାତ ତିଆରି ରନ୍ଧା ଖାଦ୍ୟ ମିଳିବ। କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍‌‌ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍‌‌ ବେ ସହ ୨୦୦ ବସ୍‌‌ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି।

 

Leave A Reply

Your email address will not be published.