Latest Odisha News

ପ୍ରଥମାଷ୍ଟମୀରେ ଅଢେଇ ବର୍ଷର ଶିଶୁକନ୍ୟା ନିଖୋଜ !

ବାଲେଶ୍ୱର: ପ୍ରଥମାଷ୍ଟମୀ ପାଇଁ ଉତ୍ସବମୁଖର ଥିଲା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗାଁ । ହଠାତ୍ ଚହଳ ପଡିଥିଲା ଅଢେଇ ବର୍ଷର ଶିଶୁ ସାଇସ୍ମିତା ପ୍ରଧାନ ନିଖୋଜ ହୋଇଯାଇଛି । ଏହି ଘଟଣାକୁ ନେଇ ନିଖୋଜ ଶିଶୁକନ୍ୟାର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଅନ୍ୟପଟେ ସ୍ଥନୀୟ ଅଂଚଳରେ ଛୋଟ ପିଲାଙ୍କ ସୁରକ୍ଷା ନେଇ କୋକୁଆ ଭୟ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରଥମାଷ୍ଟମୀ ପୂଜା ପରେ ଉମାକାନ୍ତ ପ୍ରଧାନଙ୍କ ଝିଅ ସାଇସ୍ମିତା ପ୍ରଥମେ ବଡବାପା ଓ ପରେ ମାମୁଁ ଘରକୁ ଯାଇଥିଲା । ସେଠାରେ ଘର ଦାଣ୍ଡରେ ଖଟ ଉପରେ ବସି ଟିଭି ଦେଖୁଥିଲା । ଅନ୍ୟପଟେ ସାଇସ୍ମିତାଙ୍କ ମାମୁଁ ଘର ଲୋକେ ନିତିଦିନିଆ କାମରେ ବ୍ୟସ୍ତ ରହିଥିଲେ । ତେବେ କିଛି ସମୟ ପରେ ସାଇସ୍ମିତାଙ୍କୁ ଖୋଜ ଖବର ନମିଳିବା ପରେ ତାଙ୍କ ମାଇଁ ଆଖପାଖରେ ଖୋଜାଖୋଜି କରିଥିଲେ ।

ସାଇସ୍ମିତାଙ୍କ ନିଖୋଜ ଖବର ଶୁଣି ତାଙ୍କ ପରିବାର ଲୋକେ ଆଖପାଖ ଅଂଚଳରେ ପୁନର୍ବାର ଖୋଜାଖୋଜି କରିଥିଲେ । ହେଲେ ସାଇସ୍ମିତାଙ୍କ ଖୋଜ ଖବର ନମିଳିବା ପରେ ପରିବାର ଲୋକେ ବସ୍ତା ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଁ ବସ୍ତା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁକନ୍ୟାକୁ ଫେରାଇଦେବା ଲାଗି ସାଇସ୍ମିତାଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.