ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ଭୟାନକ ଖବର ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଦେଶରେ ଲଗାତର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହା ସାରା ଦେଶକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ମାତ୍ର ଗୋଟିଏ ମିନିଟ୍ର ବ୍ୟବଧାନରେ ଆସିଥିବା ଦୁଇଟି ପ୍ରଳୟଙ୍କାରୀ ଭୂମିକମ୍ପ ଯୋଗୁଁ ରାଜଧାନୀ କାରାକାସ୍ ସମେତ ବିଭିନ୍ନ ପ୍ରାନ୍ତରେ ଶତାଧିକ ବହୁତଳ ପ୍ରାସାଦ ଓ ଘର ତାସ ଭଳି ଭୁଶୁଡ଼ି ପଡ଼ିଛି। ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଭେନେଜୁଏଲାରେ ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି।
ଆମେରିକାର ଭୂତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ପରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳବର୍ତ୍ତୀ ମୋରୋନ୍ ସହର ନିକଟରେ ଥିଲା। ଏହି ପ୍ରଥମ ଝଟକାର ଠିକ୍ ୪୦ ସେକେଣ୍ଡ ପରେ, ଅର୍ଥାତ୍ ମାତ୍ର ଗୋଟିଏ ମିନିଟ୍ ଭିତରେ ଦ୍ୱାର ଦେଶରେ ପହଞ୍ଚିଥିଲା ଦ୍ୱିତୀୟ ମହା-ଝଟକା। ଏହାର ତୀବ୍ରତା ପ୍ରଥମ ଅପେକ୍ଷା ଆହୁରି ଅଧିକ ଅର୍ଥାତ୍ ୭.୫ ଥିଲା। ମାଟି ଏଭଳି ଭାବେ ଦୋହଲିଥିଲା ଯେ, ଏହାର କମ୍ପନ ପଡ଼ୋଶୀ ଦେଶ କଲୋମ୍ବିଆ ଏବଂ ବ୍ରାଜିଲ୍ ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହୋଇଛି। ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ ଭର୍ଜିନ୍ ଦ୍ୱୀପପୁଞ୍ଜ ଏବଂ ଡୋମିନିକାନ୍ ରିପବ୍ଲିକ୍ ପାଇଁ ‘ସୁନାମି ଆଲର୍ଟ’ ମଧ୍ୟ ଜାରି କରାଯାଇଛି।
ସନ୍ଧ୍ୟା ସମୟରେ ଯେତେବେଳେ ସହରର ବଜାର, ରେଷ୍ଟୁରାଣ୍ଟ ଓ କାର୍ଯ୍ୟାଳୟଗୁଡ଼ିକ ବ୍ୟସ୍ତ ରହିଥିଲା, ସେତିକିବେଳେ ବିପତ୍ତି ଆସିଥିଲା। ପ୍ରଳୟର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ କାରାକାସ୍ର ବଡ଼ ବଡ଼ କୋଠାର କାନ୍ଥଗୁଡ଼ିକ ସମ୍ପୂର୍ଣ୍ଣ ଖସି ପଡ଼ିଥିଲା, ଯାହାଫଳରେ ଘର ଭିତରେ ଥିବା ଆସବାବପତ୍ର ବାହାର ରାସ୍ତାରୁ ସ୍ପଷ୍ଟ ଦେଖାଯାଉଥିଲା। ଚାରିଆଡ଼େ କେବଳ ଧୂଳିର ଆସ୍ତରଣ ଜମିଯାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଭୟଭୀତ ହୋଇ ନିଜ ପୋଷା ଜୀବମାନଙ୍କୁ ଧରି ରାସ୍ତା ଉପରକୁ ପଳାଇ ଆସିଥିଲେ। ଭୂମିକମ୍ପ ପରେ ପରେ ସହରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ମୋବାଇଲ୍ ନେଟୱର୍କ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଡିଓସଡାଡୋ କ୍ୟାବେଲୋ ସରକାରୀ ଟେଲିଭିଜନରେ ଦେଶବାସୀଙ୍କୁ ସମ୍ବୋଧିତ କରି ସତର୍କ ରହିବାକୁ ଅପିଲ୍ କରିଛନ୍ତି। ବିଶେଷ କରି ଆଲ୍ଟାମିରା ଏବଂ ଲୋସ୍ ପାଲୋସ୍ ଗ୍ରାଣ୍ଡେସ୍ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରିଫାଇନାରୀ ଏବଂ ଗ୍ୟାସ୍ ପାଇପ୍ଲାଇନରେ ଅଗ୍ନିକାଣ୍ଡ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସାରା ସହରର ଗ୍ୟାସ୍ ସପ୍ଲାଇ ବନ୍ଦ କରିଦିଆଯାଇଛି ଏବଂ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।
ଯଦିଓ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ମୃତାହତଙ୍କ ସଠିକ୍ ସଂଖ୍ୟା ଘୋଷଣା କରାଯାଇ ନାହିଁ, ତେବେ ୟୁଏସଜିଏସର (USGS) ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ପ୍ରଳୟରେ ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ୧ ଲକ୍ଷ ମଧ୍ୟରେ ହେବାର ଆଶଙ୍କା ରହିଛି। କାରାକାସ୍ର ମୁଖ୍ୟ ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ରେଜ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବାହିନୀ, ମିଲିଟାରୀ ଏବଂ ସ୍ୱେଚ୍ଛାସେବୀମାନେ ଜୀବନ୍ତ କବର ପାଲଟିଥିବା କୋଠାଗୁଡ଼ିକର କଂକ୍ରିଟ୍ ତଳୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
