Latest Odisha News

BREAKING NEWS

ବଲାଙ୍ଗୀରରେ ବିଗ୍ ଫାଇଟ୍

ଭୁବନେଶ୍ୱର: ବଲାଙ୍ଗୀର ଦେଖିବ ବଡ ଲଢେଇ । ବିଜେଡି, କଂଗ୍ରେସରୁ ନୂଆ ସିପାହୀ । ରାଣୀଙ୍କୁ ରିପିଟ୍ କଲା ବିଜେପି । କିଏ ଜିତିବ ବଲାଙ୍ଗୀର ବାଜି ? ପୁଣି ପଦ୍ମ ଫୁଟାଇବେ ସଂଗୀତା ସିଂହଦେଓ ? ନା ଶଙ୍ଖନାଦ କରିବେ ସୁରେନ୍ଦ୍ର ସିଂ ଭୋଇ ? କଂଗ୍ରେସକୁ କମବ୍ୟାକ୍ କରାଇ ପାରିବେ କି ମନୋଜ ମିଶ୍ର ? କାହାକୁ ଜିତାଇବେ ବଲାଙ୍ଗୀର ଜନତା ? କଣ କହୁଛି ସିଟର ରାଜନୈତିକ ସମୀକରଣ ?

ବଲାଙ୍ଗୀରରେ ଏଥର ରାଣୀ ବନାମ ଭେଟେରାନ୍ ନେତା ବନାମ ଫିଲ୍ମଷ୍ଟାର ଲଢେଇ । ସଂଗୀତା ସିଂହଦେଓଙ୍କୁ ପୁଣି ଭରସା କରିଛି ବିଜେପି ତ ଭେଟେରାନ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍ ଦେଇ ଚମକାଇଛି ବିଜେଡି । ସେପଟେ ସିନେମାରେ ସଫଳ ଇନିଂସ ଖେଳିବା ପରେ କଂଗ୍ରେସରୁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ମନୋଜ ମିଶ୍ର । ୧୯୯୮ରୁ ବଲାଙ୍ଗୀର ଲୋକସଭା ଆସନ ରାଜପରିବାର କବଜାରେ ରହିଛି । ୧୯୯୮ରୁ ୨୦୦୯ ଓ ୨୦୧୯ରେ ବଲାଙ୍ଗୀରରେ ବିଜୟୀ ହୋଇଛନ୍ତି ସଂଗୀତା ସିଂହଦେଓ । ସେହିପରି ୨୦୦୯ରୁ ୨୦୧୯ ଯାଏଁ ବଲାଙ୍ଗୀରରୁ ସାଂସଦ ରହିଛନ୍ତି କଳିକେଶ ସିଂହଦେଓ । ଏଥର କଳିକେଶଙ୍କୁ ବିଧାନସଭା ଟିକେଟ୍ ଦେଇ ସୁରେନ୍ଦ୍ର ସିଂ ଭୋଇଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ଗତ ଦୁଇଟି ନିର୍ବାଚନରେ ଟିଟିଲାଗଡ ବିଧାନସଭାରେ ବିଜେଡିର ଟୁକୁନି ସାହୁଙ୍କଠାରୁ ହାରିଛନ୍ତି ସୁରେନ୍ଦ୍ର । ତେବେ ଏଥର କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି । ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ କରି ବିଜେଡି ଭୋଟ୍ ସାଙ୍ଗକୁ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ହାତେଇବାକୁ ନଜର ରଖିଛି ବିଜେଡି । ସେଥିପାଇଁ କଳିକେଶଙ୍କ ଜାଗାରେ ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ପ୍ରାର୍ଥୀ କରିଛି ଦଳ ।

୨୦୧୯ରେ ବଲାଙ୍ଗୀର ଜିତିଥିଲେ ସଂଗୀତା ସିଂହଦେଓ । ଗତଥର ସଂଗୀତାଙ୍କୁ ୪ଲକ୍ଷ ୯୮ହଜାର ୮୬ଭୋଟ୍ ମିଳିଥିଲା । ଦିଅର କଳିକେଶ ନାରାୟଣ ସିଂହଦେଓ ୪ଲକ୍ଷ ୭୮ହଜାର ୫୭୦ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଅଳ୍ପ ମାର୍ଜିନରେ ବାଜି ମାରି ନେଇଥିଲେ ସଂଗୀତାା ଏଥର ସଂଗୀତାଙ୍କ ସାମନାରେ ନୂଆ ଚ୍ୟାଲେଞ୍ଜ ହୋଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । ମୋଦି ସରକାରଙ୍କ ବିକାଶମୂଳକ ଯୋଜନା ଓ ୫ବର୍ଷରେ ନିଜ କାମକୁ ନେଇ ପୁଣି ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ କରୁଛନ୍ତି ସଂଗୀତା । ସେପଟେ ମନୋଜ ମିଶ୍ରଙ୍କୁ ଓହ୍ଲାଇ କଂଗ୍ରେସ ଭିନ୍ନ ଗୋଟି ଚଳାଇଛି । ଓଡିଆରୁ ହିନ୍ଦୀ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନୋଜ ଏଥର ରାଜନୀତିରେ ନୂଆ ପାରି ଖେଳିବେ । ଦାଦନରୁ ବେକାରୀ, ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ମନୋଜ । ୨୦୧୯ରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର କଂଗ୍ରେସରୁ ଲଢିଥିଲେ ।
ତେବେ ଏଥର ସମରେନ୍ଦ୍ରଙ୍କୁ ବିଧାନସଭା ଟିକେଟ ଦେବା ସହ ଫିଲ୍ମଷ୍ଟାର ମନୋଜ ମିଶ୍ରଙ୍କୁ ଭରସା କରିଛି କଂଗ୍ରେସ ।

ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ ଓ କଣ୍ଟାବାଞ୍ଝି ବିଧାନସଭା ଆସନ । ୨୦୧୯ରେ ବୀରମହାରାଜପୁର, ସୋନପୁର, ପାଟଣାଗଡ ଓ ଟିଟିଲାଗଡ ଜିତିଥିଲା ବିଜେଡି । ଲୋଇସିଂହା ବିଜେପି ଖାତାକୁ ଯାଇଥିବା ବେଳେ ବଲାଙ୍ଗୀର ଓ କଣ୍ଟାବାଞ୍ଝି ବିଧାନସଭାରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । ତେବେ ଚବିଶ ସମୀକରଣ ଭିନ୍ନ । ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଓହ୍ଲାଇଥିବା ବେଳେ ରଣନୀତି ବି ବଦଳିଛି ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.