Latest Odisha News

ବାଲି ମାଫିଆଙ୍କ ଆକ୍ରମଣରେ ଉପଜିଲ୍ଲାପାଳ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଶୁକ୍ରବାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ାଠାରେ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଚୌହାନ ଫୁଲାଡ଼ିରୁ ବାଲେଶ୍ୱର ଯାଉଥିବା ବେଳେ ଫୁଲାଡ଼ି ବ୍ରିଜ୍ ଉପରେ ଏକ ବାଲି ବୋଝେଇ ଟ୍ରକ୍ ଅଟକି ରହିଥିବା ଦେଖିଥିଲେ। କାଗଜପତ୍ର ଯାଞ୍ଚ କରିବା ପାଇଁ ଚୌହାନ ନିଜ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ।

ତେବେ ହଠାତ୍ ଚେକିଂ କରିବାରୁ ଉତ୍ତ୍ୟକ୍ତ ହୋଇ ବାଲି ମାଫିଆମାନେ ଚୌହ୍ୱାନ ଓ ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ମାଫିଆମାନେ ଏକ ପଥରରେ ତାଙ୍କ ମୁଣ୍ଡକୁ ବାଡେଇ ଗୁରୁତର ଆହତ କରିଥିଲେ। ମାଫିଆମାନେ ଉପଜିଲ୍ଲାପାଳଙ୍କ ସରକାରୀ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ଆକ୍ରମଣ ପରେ ସୀତାରାମ ଚୌହାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ବେଆଇନ ବାଲି ଉତ୍ତୋଳନ ନେଇ ସୂଚନା ମିଳିବା ପରେ ଆମେ ମନ୍ଦରପୁର ଏବଂ ଦହପଦା ଅଞ୍ଚଳରେ ଗତକାଲି ରାତିରେ ଚଢ଼ଉ କରି ଅନେକ ଟିପ୍ପର ଟ୍ରକ୍, ଟ୍ରାକ୍ଟର ଏବଂ ଜେସିବି ଜବତ କରିଥିଲୁ। ଆଜି ପୁଣି ଉପଜିଲ୍ଲାପାଳଙ୍କୁ ସେହି ଅଞ୍ଚଳକୁ ପଠାଯାଇ ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଜବତ ମେସିନ୍ ଓ ଗାଡିର ହିସାବ କରାଯାଇଥିଲା। ସେ ଆହୁରି କହିଛନ୍ତି, ଦହପଡ଼ା ନିକଟରେ ବାଲି ମାଫିଆ ଓ ସେମାନଙ୍କ କିଛି ସମର୍ଥକ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ।

ତେବେ ଉପଜିଲ୍ଲାପାଳ ଆକ୍ରମଣର ଶିକାର ହୋଇଥିବା ନେଇ ସୂଚନା ପାଇବା ପରେ ବାଲେଶ୍ୱର ଏସପି ଡାକ୍ତରଖାନାରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.