ନୂଆଦିଲ୍ଲୀ: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଲୁଚିସ୍ତାନ । ପ୍ରଶ୍ନ ଉଠୁଛି, ନିଜ ଦେଶ ପାକିସ୍ତାନ ବିରୋଧରେ କାହିଁକି ଏଭଳି ବିଦ୍ରୋହ କରୁଛି ବଲୁଚିସ୍ତାନ? କାହିଁକି ନିଜ ଦେଶର ଲୋକଙ୍କୁ ବନ୍ଦୀ ବନାଇବାକୁ ବି ପଛାଉ ନାହାନ୍ତି ବଲୁଚ ବିଦ୍ରୋହୀ ? ପାକିସ୍ତାନ ସହ ବିବାଦ ପଛରେ କଣ ରହିଛି କାରଣ? ପାକିସ୍ତାନର ସବୁଠୁ ବଡ଼ ପ୍ରାନ୍ତ ବଲୁଚିସ୍ତାନ । ପାକିସ୍ତାନର ମୋଟ କ୍ଷେତ୍ରଫଳର ପ୍ରାୟ ୪୪ପ୍ରତିଶତ ସ୍ଥାନରେ ରହିଛି ବଲୁଚିସ୍ତାନ। ଏହାର ସୀମାରେ ରହିଛି ଇରାନ, ଆଫଗାନିସ୍ତାନ ଓ ଆରବ ସାଗର ।
କାହିଁକି ବଲୁଚିସ୍ତାନରେ ବିଦ୍ରୋହ?
ବଲୁଚିସ୍ତାନରେ ବଲୁଚ, ପସ୍ତୁନ ସହ ଅନ୍ୟ ଛୋଟ ଜାତି ସମୁହ ବସବାସ କରନ୍ତି । ବଲୁଚ ସମୁଦାୟର ନିଜସ୍ବ ଭାଷା, ସଂସ୍କୃତି ଓ ପରିଚୟ ରହିଥିବା ବେଳେ ଏହାକୁ ନେଇ ପାକିସ୍ତାନ ସହ ଟକ୍କର ହୋଇଆସୁଛି । ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ବଲୁଚିସ୍ତାନ ପାକିସ୍ତାନର ସବୁଠୁ ସମୃଦ୍ଧ ଅଞ୍ଚଳ । ତେବେ ପାକିସ୍ତାନ ରାଜନୀତିରେ ଦଖଲ ରଖିଥିବା ପଞ୍ଜାବୀ ବର୍ଗ ଏହାର ଫାଇଦା ନେଉଥିବା ବେଳେ ଦାରିଦ୍ର୍ୟ ସହ ଯୁଝୁଛି ବଲୁଚିସ୍ତାନ। ବଲୁଚ ବିଦ୍ରୋହୀଙ୍କ ମନରେ ଏହାକୁ ନେଇ ବର୍ଷ ବର୍ଷ ଧରି ଅସନ୍ତୋଷ ରହିଛି । ପୂର୍ବରୁ ବାଂଲାଦେଶରେ ମଧ୍ୟ ଏହିପରି ଅସନ୍ତୋଷ ଧିରେ ଧିରେ ବଡ ବିଦ୍ରୋହର ରୂପ ନେଇଥିଲା । ଯାହା ପରବର୍ତ୍ତୀ ସମୟରେ ନୂଆ ଦେଶ ପାଇଁ ସଂଗ୍ରାମର ବାଟ ଖୋଲିଥିଲା ।
ବଲୁଚିସ୍ତାନ ହେବ କି ଆଉ ଏକ ବାଂଲାଦେଶ ?
ପାକିସ୍ତାନ ଯେଉଁଭଳି ଭାବେ ବାଂଲାଦେଶୀଙ୍କ ଭାଷା ଓ ସାଂସ୍କୃତିକ ପରିଚୟକୁ ଉପେକ୍ଷା କରିଥିଲା, ସମାନ ସ୍ଥିତି ଏବେ ବଲୁଚିସ୍ତାନରେ ବି ରହିଛି। ବଲୁଚ ଭାଷା ଓ ସଂସ୍କୃତିକୁ ପାକିସ୍ତାନୀ ସରକାର ପ୍ରାଥମିକତା ଦେଉନାହାନ୍ତି । ଏପରିକି ଏହାଦ୍ବାରା ସେମାନଙ୍କ ପରିଚୟକୁ ଶେଷ କରିବାକୁ ଉଦ୍ୟମ ହେଉଥିବା ବଲୁଚ ସମୁଦାୟ ମନେ କରୁଛନ୍ତି । ୧୯୭୧ ମସିହାରେ ପାକିସ୍ତାନୀ ସେନା ଅପରେସନ୍ ସର୍ଚ୍ଚଲାଇଟ୍ ଆରମ୍ଭ କରିଥିଲା । ଏଥିରେ ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବାଂଲାଦେଶରେ ବ୍ୟାପକ ନରସଂହାର ଓ ମାନବାଧିକାର ଉଲ୍ଲଂଘନ ହୋଇଥିଲା । ବଲୁଚିସ୍ତାନରେ ବି ଅନେକ ସେନା ଅଭିଯାନ ଚଳାଇଛି ପାକିସ୍ତାନ । ଏପରିକି ବଲୁଚିସ୍ତାନର ଶହ ଶହ ଲୋକ ଗାଏବ ହୋଇଯାଇଛନ୍ତି । ଏହାପଛରେ ପାକିସ୍ତାନ ସେନାର ହାତ ଥିବା କୁହାଯାଉଛି ।
ସ୍ବାଧୀନ ବଲୁଚିସ୍ତାନ ପାଇଁ ସଂଗ୍ରାମ
ବଲୁଚିସ୍ତାନରେ ବେକାରୀ ଓ ଗରିବୀ ଅଧିକ ଥିବା ବେଳେ ପାକିସ୍ତାନ ବଜେଟରେ କମ୍ ଅନୁଦାନ ମିଳୁଛି । ପ୍ରାକୃତିକ ସଂପଦରେ ଭରପୂର ଥାଇ ବି ଦାରିଦ୍ର୍ୟ ସହ ଯୁଝୁଛି ବଲୁଚିସ୍ତାନ । ସ୍ବାଧୀନ ବାଂଲାଦେଶ ପାଇଁ ଯେଉଁପରି ଶେଖ୍ ମୁଜିବୁର ରେହମାନ ଦାବି କରୁଥିଲେ ସେହିପରି ସ୍ବତନ୍ତ୍ର ବଲୁଚିସ୍ତାନ ପାଇଁ ଦାବି କରୁଛନ୍ତି ବଲୁଚ ଲିବରେସନ୍ ଆର୍ମୀ, ବଲୁଚ ଲିବରେସନ୍ ଫ୍ରଣ୍ଟ, ମଜିଦ ବ୍ରିଗେଡ ପରି ସଂଗଠନ । ଭୌଗଳିକ ସ୍ଥିତି ଦେଖିଲେ ବାଂଲାଦେଶ ଭାରତ ସୀମାରେ ରହିଛି । ସେଥିପାଇଁ ୧୯୭୧ ଯୁଦ୍ଧରେ ବାଙ୍ଗଲା ବିଦ୍ରୋହୀଙ୍କୁ ସେନା ଓ ରଣନୈତିକ ସହାୟତା କରିଥିଲା ଭାରତ । ତେବେ ବଲୁଚିସ୍ତାନ ପାକିସ୍ତାନ ଭିତରେ ରହିଛି । ଏହାର ସମୁଦ୍ର ସୀମା ରଣନୈତିକ ଗୁରୁତ୍ବ ବହନ କରୁଛି ।
ବଲୁଚିସ୍ତାନ ଆନ୍ଦୋଳନର ବଡ଼ ଚେହେରା ରହିଥିଲେ ନଓ୍ବାବ ଅକବର ଖାନ ବୁଗତି । ୨୦୦୫ରେ ବୁଗତି ପାକିସ୍ତାନ ସରକାର ଆଗରେ ୧୫ସୂତ୍ରୀ ଦାବି ରଖିଥିଲେ । ବଲୁଚିସ୍ତାନର ପ୍ରାକୃତିକ ସଂପଦ ଉପରେ ସେଠାକାର ଲୋକଙ୍କ ନିୟନ୍ତ୍ରଣ ପାଇଁ ସେ ଦାବି କରିଥିଲେ । ତେବେ ଏହା ଶୁଣିନଥିଲେ ପରଭେଜ ମୁଶରଫ । ପାକିସ୍ତାନ ସେନାର ଆକ୍ରମଣରେ ବୁଗତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ବଲୁଚ ଆନ୍ଦୋଳନ ଆହୁରି ଜୋରଦାର ହୋଇଥିଲା । ବିଏଲଏ ମଜିଦ୍ ବ୍ରିଗେଡ ନାଁରେ ଆତ୍ମଘାତୀ ସଂଗଠନ ଆରମ୍ଭ କରିଥିଲା, ଯାହାକୁ ହାଇପ୍ରୋଫାଇଲ୍ ହମଲାରେ ନିୟୋଜିତ କରାଯାଉଛି । ବୁଗତିଙ୍କ ହତ୍ୟା ପରେ ବଲୁଚ ଆନ୍ଦୋଳନକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହୋଇଥିଲା । ମାନବାଧିକାର ସଂଗଠନ ପାକିସ୍ତାନ ସରକାରଙ୍କ ସମାଲୋଚନା କରିବା ସହ ବଲୁଚିସ୍ତାନରେ ସେନାର ଦମନଲୀଳାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
Comments are closed.