ନୂଆଦିଲ୍ଲୀ: ମରିସସରେ ଭୋଜପୁରୀ ପ୍ରତି ଭଲ ପାଇବା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମରିସସରେ ପହଞ୍ଚିବା ପରେ ନିଜ ସ୍ବାଗତ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରୁ ଇଂରାଜୀ, ହିନ୍ଦୀ ସହ ଭୋଜପୁରୀ ଭାଷାରେ ବି ଭିଡିଓ ପୋଷ୍ଟ କରାଗଲା । ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଦିଙ୍କ ଭୋଜପୁରୀ ପ୍ରୀତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଭୋଜପୁରୀ ମତଦାତାଙ୍କୁ ମନାଇବାକୁ ବିଦେଶରେ ମୋଦି ଭୋଜପୁରୀ ପ୍ରତି ଭଲପାଇବା ଦେଖାଉଥିବା କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, ମରିସସରେ ମୋଦିଙ୍କ ଭୋଜପୁରୀ ପ୍ରୀତି କେବଳ ସଂଯୋଗ ନା ନିର୍ବାଚନ ପୂର୍ବରୁ ପ୍ରୟୋଗ ?
ମରିସସରେ ଭୋଜପୁରୀ ପ୍ରୀତି
ମରିସସରେ ମୋଦିଙ୍କୁ ସ୍ବାଗତର ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ କିଛି ମହିଳା ଭୋଜପୁରୀର ସ୍ବାଗତ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଗୀତକୁ ଆଗ୍ରହର ସହ ଶୁଣୁଥିବା ଦେଖିବାକୁ ମିଳୁଛି । ମରିସସରେ ଏବେବି ଭୋଜପୁରୀ ଭାଷା ସମୃଦ୍ଧ ରହିଥିବା ନେଇ ସେ ଖୁସି ପ୍ରକାଶ କରିଥିଲେ । ଏହାପରେ ଭୋଜପୁରୀ ଭାଷାରେ ହିଁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ମରିସସ ରାଜନୀତିର ଦୁଇ ବଡ଼ ଚେହେରା ନବୀନ ରାମଗୁଲାମ ଓ ପ୍ରବିନ୍ଦ୍ର ଜଗନ୍ନାଥଙ୍କ ପୂର୍ବଜ ବିହାର ଭୋଜପୁରୀ କ୍ଷେତ୍ରର । ଏହାସହ ମରିସସର ଭାରତୀୟ ମୂଳର ୭୦ପ୍ରତିଶତ ଜନସଂଖ୍ୟା ରହିଛନ୍ତି । ସେଥିପାଇଁ ଭାଷଣ ଆରମ୍ଭରୁ ଲୋକଙ୍କୁ ଭୋଜପୁରୀରେ ହାଲଚାଲ ପଚାରିଥିଲେ ମୋଦି। ଖାଲି ସେତିକି ନୁହେଁ ମରିସସ ପ୍ରଧାନମନ୍ତ୍ରୀଙ୍କୁ ବିହାରର ମଖାନା ଉପହାର ଦେଇଥିଲେ ।
ସଂଯୋଗ ନା ରାଜନୈତିକ ପ୍ରୟୋଗ ?
ଯେମିତି ଶ୍ରୋତା, ସେମିତି ଭାଷା । ଭାଷଣ କଳାର ଏହି ନିୟମ ଆଧାରରେ ମରିସସରେ ପ୍ରଧାନମନ୍ତ୍ରୀ ମୋଦି ଭୋଜପୁରୀ ଭାଷାରେ ଭାଷଣ ଆରମ୍ଭ କରିଥାଇପାରନ୍ତି । ତେବେ ଘଟଣାରେ ସଂଯୋଗ ଓ ପ୍ରୟୋଗର ନିୟମକୁ ଅଣଦେଖା କରାଯାଇ ପାରିବନି । ଆଉ ସେଥିପାଇଁ ଭୋଜପୁରୀ ଭାଷା ପ୍ରତି ଭଲପାଇବାକୁ ଆଗାମୀ ବିହାର ନିର୍ବାଚନ ସହ ଯୋଡି ଦେଖାଯାଉଛି। କୁହାଯାଉଛି, ଆଉ ୭ରୁ ୮ମାସ ମଧ୍ୟରେ ବିହାରରେ ନିର୍ବାଚନ ହେବାକୁ ଥିବା ବେଳେ ଭୋଜପୁରୀ ପ୍ରତି ମୋଦିଙ୍କ ଭଲ ପାଇବା ଭୋଟର ଭୁଲିବେନି । ମରିସସରେ ଭୋଜପୁରୀ ଭାଷାକୁ ପ୍ରମୋଟ କରି ମୋଦି ବିହାର ନିର୍ବାଚନର ବିଜୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି ।
ନିର୍ବାଚନ ପୂର୍ବକୁ ଭାଷା ଅସ୍ତ୍ର !
ବିହାରର ପ୍ରାୟ ୧୦ରୁ ୧୫ଟି ଜିଲ୍ଲାରେ ଭୋଜପୁରୀ ଭାଷା କୁହାଯାଏ । ଏହା ମଧ୍ୟରେ ରହିଛି ବକ୍ସର, ଆରା, ,ସାସାରାମ, କାରାକଟ ପରି ଜିଲ୍ଲା। ଏସବୁ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ପୂର୍ବ ନିର୍ବାଚନରେ ସେତେ ଭଲ ରହିନଥିଲା । ବିହାରର ଭୋଜପୁରୀ ବେଲଟରେ ପ୍ରାୟ ୧୦୦ ବିଧାନସଭା ସିଟ୍ ରହିଛି । ତେଣୁ ଭୋଜପୁରୀ ଭାଷାକୁ ଅସ୍ତ୍ର କରି ସେଠାକାର ଭୋଟରଙ୍କୁ ମନାଇବାକୁ ମୋଦି ଉଦ୍ୟମ କରୁଥିବା କୁହାଯାଉଛି । ସେପଟେ ମୈଥିଳୀ ଭାଷା ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାଶ୍ବତ ମିଥିଳା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ସୀତା ମାତାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହା । ସୋସିଆଲ ମିଡିଆ ଏକ୍ସରେ ବି ମୈଥିଳୀ ଭାଷାରେ ଟ୍ବିଟ୍ କରିଥିଲେ ଶାହା।
୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାର ଥିଲା । ସେ ସମୟରେ କୋଭିଡର ଦ୍ବିତୀୟ ଲହର ଚାଲିଥିବା ବେଳେ ଲମ୍ବା ଦାଢି ରଖିଥିଲେ । ମୋଦିଙ୍କ ଫଟୋର ସମାନତା ବଙ୍ଗାଳୀ ସମାଜର ଆଦର୍ଶ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ସହ ରହିଥିବା କୁହାଗଲା । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୋଦିଙ୍କ ଏହି ପ୍ରୟୋଗକୁ ବିରୋଧୀ ସମାଲୋଚନା କଲେ, ତେବେ ରାଜନୈତିକ ବିଶେଷଜ୍ଞ ଏହାକୁ ମୋଦିଙ୍କ ଦୂରଦର୍ଶିତା ବୋଲି କହିଲେ । ସେହିପରି ବିହାର ନିର୍ବାଚନ ପୂର୍ବରୁ ବିଦେଶରେ ଭୋଜପୁରୀ ଭାଷା ପ୍ରତି ଭଲପାଇବା ଦେଖାଇବାକୁ ନିର୍ବାଚନ ରାଜନୀତିର ବଡ ପ୍ରୟୋଗ ବୋଲି କୁହାଯାଉଛି ।
Comments are closed.