ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ବନ୍ଦେ ମାତରମ୍
ସୁଜଳାମ୍ ସୁଫଳାମ୍ ମଲୟଜ ଶୀତଲମ୍
ଶସ୍ୟ ଶ୍ୟାମଲାମ୍ ମାତରମ୍…..
ସ୍ୱାଧୀନତା ସଂଗ୍ରାମର ଘନଘଟା ମଧ୍ୟରେ ୧୮୮୨ ମସିହାରେ ବଙ୍କିମ୍ଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଆନନ୍ଦ ମଠ’ରେ ପ୍ରକାଶ ପାଇଥିଲା ଏହି ପ୍ରେରଣାଦାୟୀ ରାଷ୍ଟ୍ରୀୟ ସଙ୍ଗୀତ । ତେବେ ଏହାର ମୂଳ ରଚନା ଢେର୍ ପୂର୍ବରୁ ହୋଇଥିଲା । ଇଂରେଜମାନଙ୍କ କବଳରୁ ଦେଶକୁ ସ୍ୱାଧୀନ କରିବା ଲାଗି ଯେଉଁ ଦୀର୍ଘ ଲଢ଼େଇ ଚାଲିଲା ସେଥିରେ ବନ୍ଦେ ମାତରମ୍ ଧ୍ୱନି ଅନେକଙ୍କୁ ଆକର୍ଷିତ କରିଥିଲା । ଏହି ଦୁଇପଦ ଶବ୍ଦର ପ୍ରଭାବଶାଳୀ ଯାଦୁକରୀ ଶକ୍ତିରେ କେତେ ଯେ ଯୁବକ ଛାତ୍ର ନିଜ ଜୀବନକୁ ଦେଶମାତୃକା ପାଇଁ ବାଜି ଲଗାଇ ସହିଦ ହୋଇଛନ୍ତି, ଜେଲ୍ ଯାଇଛନ୍ତି, ଚରମ ନିର୍ଯାତନା ଭୋଗିଛନ୍ତି ତାହାର ହିସାବ ନାହିଁ । ସମସ୍ତ ଅସମ୍ଭବକୁ ସମ୍ଭବ କରିବାର ଅସୁମାରି ସମ୍ଭାବନାରେ ସମୃଦ୍ଧ କାଳଜୟୀ ରାଷ୍ଟ୍ର ଗାନ ବନ୍ଦେ ମାତରମ୍ ।
୧୮୯୬ରେ ରହିମତୁଲ୍ଲା ଏମ୍. ସାୟାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଲିକତା କଂଗ୍ରେସ ଅଧିବେଶନ କାଳରେ ପ୍ରଥମ ଥର ପାଇଁ ବନ୍ଦେ ମାତରମ୍ ବୋଲା ଯାଇଥିଲା । ଏହି ରାଷ୍ଟ୍ରୀୟ ସଙ୍ଗୀତର ସ୍ୱର ଦେଇଥିଲେ ନିଜେ କବିଗୁରୁ ରବୀନ୍ଦ୍ରନାଥ ଠାକୁର । ପରବର୍ତ୍ତୀ ସମୟରେ ବଙ୍ଗ ଭଙ୍ଗ ଆନ୍ଦୋଳନ କାଳରେ ବନ୍ଦେ ମାତରମ୍ ସଙ୍ଗୀତ ଚାରିଆଡ଼େ ଝଙ୍କୃତ ହୋଇଥିଲା । ଏ ପରିପ୍ରେକ୍ଷୀରେ ବରିସାଲଠାରେ ୧୯୦୬ରେ ଅନୁଷ୍ଠିତ ବେଙ୍ଗଲ ପ୍ରୋଭିନ୍ସିଆଲ୍ କନ୍ଫରେନ୍ସରେ ବେଶ୍ ଉନ୍ମାଦନାର ସହ ଏହି ସଙ୍ଗୀତ ଗାନ କରାଯାଇଥିଲା । କବିଗୁରୁ ବେଶ୍ ଆବେଗମୟ ସ୍ୱରରେ ବନ୍ଦେ ମାତରମ୍ ଗାଉଥିବା ବେଳେ ହିନ୍ଦୁ ମୁସଲମାନଙ୍କ ସମେତ ସବୁ ବର୍ଗର ଉପସ୍ଥିତ ପ୍ରତିନିଧିମାନେ ତାଙ୍କ ସହ ସ୍ୱର ମିଳାଇଥିଲେ ।
୧୯୩୭ରେ କଂଗ୍ରେସ କାର୍ଯ୍ୟକାରୀ ସମିତି ମୌଲାନା ଅବୁଲ୍ କାଲାମ୍ ଆଜାଦ୍, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ ନେଇ ଏକ ଉପସମିତି ଗଠନ କରିଥିଲେ । ରବୀନ୍ଦ୍ର ନାଥ ଠାକୁରଙ୍କ ସହ ଏହି ଉପସମିତି ଆଲୋଚନା କରି ରାଷ୍ଟ୍ରଗାନ ଚୂଡ଼ାନ୍ତ କରିବାକୁ ସ୍ଥିର ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ବନ୍ଦେ ମାତରମ୍ ଗାନର ପ୍ରଥମ ଦୁଇଟି ପଦକୁ ରାଷ୍ଟ୍ରଗାନରେ ରଖିବା ପାଇଁ ମତ ପ୍ରକାଶ ପାଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ୱରର ମାଧୁର୍ଯ୍ୟକୁ ଆଖି ଆଗରେ ରଖି ରବୀନ୍ଦ୍ରନାଥଙ୍କ ରଚିତ “ଜନ ଗଣ ମନ” ରାଷ୍ଟ୍ରୀୟ ସଙ୍ଗୀତର ମର୍ଯ୍ୟାଦା ପାଇଲା । ୧୯୪୭ରେ ଜାତିସଂଘକୁ ଯାଇଥିବା ଭାରତର ପ୍ରତିନିଧି ଦଳ ଏକ ଗ୍ରାମ୍ଫୋନ୍ ରେକର୍ଡରେ ଜନଗଣମନର ଯେଉଁ ସୁଲଳିତ ବାଦ୍ୟ ସଙ୍ଗୀତ ଶୁଣାଇଥିଲେ ତାହା ଜାତିସଂଘର ଅନ୍ୟ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ଚମକାଇ ଦେଇଥିଲା ।
୧୯୫୦ ଜାନୁଆରୀ ୨୪ରେ ସମ୍ବିଧାନ ପ୍ରଣୟନ ସଭା ଜନଗଣମନକୁ ରାଷ୍ଟ୍ରୀୟ ସଙ୍ଗୀତର ମର୍ଯ୍ୟାଦା ଦେବାକୁ ପ୍ରସ୍ତାବ ଗ୍ରହଣ କଲେ । ଏ ପରିପ୍ରେକ୍ଷୀରେ ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସ୍ପଷ୍ଟ କରିଦେଇଥିଲେ ଯେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ବନ୍ଦେ ମାତରମ୍ ଏକ ଐତିହାସିକ ଭୂମିକା ନିଭାଇଥିଲା । ତେଣୁ ବନ୍ଦେ ମାତରମ୍ ଗାନକୁ ମଧ୍ୟ ଜନଗଣମନ ଭଳି ସମାନ ସମ୍ମାନ ଦିଆଯିବ । ବନ୍ଦେ ମାତରମ୍ ଧ୍ୱନି ଓ ରାଷ୍ଟ୍ରଗାନକୁ ବାରମ୍ବାର ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରଶଂସା କରିଆସିଛନ୍ତି । ୟଙ୍ଗ ଇଣ୍ଡିଆର ୧୯୨୦ ସେପ୍ଟେମ୍ବର ୮ ତାରିଖ ସଂସ୍କରଣରେ ‘ଥ୍ରି ନ୍ୟାସନାଲ୍ କ୍ରାଇଜ୍’ ଶୀର୍ଷକ ଏକ ଲେଖାରେ ଗାନ୍ଧୀଜୀଙ୍କ ଆଭିମୁଖ୍ୟ ଏ ପ୍ରସଙ୍ଗରେ ସ୍ପଷ୍ଟ ।
ବେଜୱାଡ଼ା ଗସ୍ତରେ ଥିବା ବେଳେ ଲୋକେ ମହାତ୍ମା ଗାନ୍ଧୀକି ଜୟ ଏବଂ ମହମ୍ମଦ ଅଲ୍ଲୀ ଓ ସୌକତ ଅଲ୍ଲି କି ଜୟ ବୋଲି ଧ୍ୱନି ଦେଉଥିଲେ । ବ୍ୟକ୍ତି ବିଶେଷଙ୍କ ଜୟ ଜୟକାର ନ କରି ହିନ୍ଦୁ-ମୁସଲମାନ କି ଜୟ ବୋଲି ଧ୍ୱନି ଦେବାକୁ ଗାନ୍ଧୀଜୀ ପରାମର୍ଶ ଦେଇଥିଲେ । ତେବେ ସୌକତ ଅଲ୍ଲୀ ଲକ୍ଷ୍ୟ କଲେ ଯେ ଏଭଳି ଧ୍ୱନି ଅପେକ୍ଷା ହିନ୍ଦୁମାନେ ବନ୍ଦେ ମାତରମ୍ ଓ ମୁସଲମାନମାନେ ଆଲ୍ଲା ହୋ ଆକବର୍ ଧ୍ୱନି ଦେଉଛନ୍ତି । ବିସ୍ତୃତ ଆଲୋଚନା କରି ଗାନ୍ଧୀଜୀ ଲେଖିଲେ ବନ୍ଦେ ମାତରମ୍ ଅର୍ଥ ମାତୃଭୂମିର ବନ୍ଦନା କରିବା । ଆଲ୍ଲା ହୋ ଆକବର ଅର୍ଥ ଭଗବାନ ହିଁ ସବୁଠାରୁ ବଡ଼ ଓ ଅନ୍ୟ କେହି ନୁହେଁ । ଏହି ଦୁଇଟି ଧ୍ୱନି ସହିତ ହିନ୍ଦୁ ମୁସଲମାନ କି ଜୟ ଧ୍ୱନି ନ ରହିଲେ ଭାରତ ମାତାର ଜୟ ହୋଇପାରିବ ନାହିଁ । ଏମିତିକି ଭାରତ ମାତାକି ଜୟ ଧ୍ୱନି ଅପେକ୍ଷା ବନ୍ଦେ ମାତରମ୍ ଧ୍ୱନି ତାଙ୍କ ପ୍ରାଣରେ ଅଧିକ ଶିହରଣ ସୃଷ୍ଟି କରୁଛି ବୋଲି ଗାନ୍ଧୀ ସେତେବେଳେ ଉଲ୍ଲେଖ କରିଥିଲେ ।
୧୯୩୯ ଜୁଲାଇ ପହିଲାରେ ବନ୍ଦେ ମାତରମ୍ ପ୍ରସଙ୍ଗରେ ହରିଜନ ପତ୍ରିକାରେ ଗାନ୍ଧୀଜୀ ଅନ୍ୟ ଏକ ପ୍ରେରଣାଦାୟୀ ଆଲେଖ୍ୟ ପ୍ରକାଶ କରିଥିଲେ । ଆନନ୍ଦ ମଠ ଓ ବଙ୍କିମଚନ୍ଦ୍ରଙ୍କ ବିଷୟରେ ସେ ପିଲାଦିନେ କିଛି ଜାଣିନଥିବା ବେଳେ କିନ୍ତୁ ବନ୍ଦେ ମାତରମ୍ ଧ୍ୱନି ତାଙ୍କ ମନରେ ଶିହରଣ ସୃଷ୍ଟି କରୁଥିଲା । ଏହି ସଙ୍ଗୀତ ଓ ଧ୍ୱନିରେ ପବିତ୍ର ଜାତୀୟ ଭାବନା ଭରି ରହିଛି । ଏହା ହିନ୍ଦୁଙ୍କ ଗୀତ କିମ୍ବା ହିନ୍ଦୁମାନେ ଗାଇବା ପାଇଁ ଏକ ଗୀତ ବୋଲି ତାଙ୍କ ମନରେ କେବେ ବି ଧାରଣା ଆସିନଥିଲା । ବଙ୍ଗ ଭଙ୍ଗ ଆନ୍ଦୋଳନ ପୂର୍ବରୁ ଓ ପରେ ଉଭୟ ହିନ୍ଦୁ ଓ ମୁସଲମାନ ଜାତୀୟ ଆନ୍ଦୋଳନରେ ବନ୍ଦେ ମାତରମ୍ ଧ୍ୱନି ଭିତରେ ନିଜର ଧର୍ମୀୟ ଭାବନାକୁ ହଜାଇ ଦେଇ ରାଷ୍ଟ୍ରୀୟ ସ୍ରୋତରେ ସାମିଲ ହେଉଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବନ୍ଦେ ମାତରମ୍ ଧ୍ୱନି ଓ ସଙ୍ଗୀତ ଦେଶାତ୍ମବୋଧ ଭାବନାରେ ଉଦ୍ବୁଦ୍ଧ କରୁଥିଲା । ଏ ପରିପ୍ରେକ୍ଷୀରେ ବନ୍ଦେ ମାତରମ୍କୁ ନେଇ କୌଣସି ବିବାଦ ଉପୁଜିବାକୁ ଗାନ୍ଧୀଜୀ ପସନ୍ଦ କରୁନଥିଲେ ।
୧୯୪୫ ଡିସେମ୍ବରରେ ‘ଡିସ୍କସନ୍ ୱିଥ୍ ପଲିଟିକାଲ୍ ୱାର୍କର୍ସ’ ଶୀର୍ଷକ ଲେଖାରେ ବନ୍ଦେ ମାତରମ୍ ସଂକ୍ରାନ୍ତରେ ଗାନ୍ଧୀଜୀଙ୍କ ମତ ବେଶ୍ ପ୍ରାସଙ୍ଗିକ । କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମା ଗାନ୍ଧୀରେ ଏହା ସ୍ଥାନିତ ହୋଇଛି । ‘ବନ୍ଦେ ମାତରମ୍’ ପରିବେର୍ତ୍ତ ‘କଦମ୍ କଦମ୍’ ଭଳି ପ୍ରେରଣାଦାୟୀ ଦେଶାତ୍ମବୋଧ ସଙ୍ଗୀତ ରାଷ୍ଟ୍ରଗାନ କରିବା ପ୍ରସଙ୍ଗରେ ଉଠିଥିବା ଏକ ପ୍ରଶ୍ନର ଉତ୍ତରରେ ଗାନ୍ଧୀଜୀ କହିଥିଲେ ଯେ ତ୍ୟାଗ ଓ ବଳିଦାନର ଗୌରବାବହ ଇତିହାସ ସୃଷ୍ଟି କରିଥିବା ବନ୍ଦେ ମାତରମ୍କୁ କଦାପି ବଦଳାଯାଇପାରିବ ନାହିଁ । ବନ୍ଦେ ମାତରମ୍କୁ ଛାଡ଼ିବା ଅର୍ଥ ଜଣେ ତା’ର ମା’କୁ ପରିତ୍ୟାଗ କରିବା । କେବଳ ସେତିକି ନୁହେଁ ଗାନ୍ଧୀଜୀଙ୍କ ପ୍ରେରିତ ବହୁ ପତ୍ରର ଶେଷରେ ସେ ବନ୍ଦେ ମାତରମ୍ ମଧ୍ୟ ବ୍ୟବହାର କରିଥିବା ଦେଖିବାକୁ ମିଳେ ।
ତେବେ ଭାରତ ବିଭାଜନ ସହ ସାମ୍ପ୍ରଦାୟିକ ବିଦ୍ୱେଷ ବୃଦ୍ଧି ପାଇଁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମୁସଲିମ୍ ଲିଗ୍ ଓ ହିନ୍ଦୁ ମହାସଭା ଯେପରି ଭାତୃ ରକ୍ତରେ ହୋଲି ଖେଳ ଆରମ୍ଭ କରିଦେଲେ ତାହା ଆମର ଗୌରବାବହ ରାଷ୍ଟ୍ରଗାନକୁ ବି ସାମ୍ପ୍ରଦାୟିକ ବିଦ୍ୱେଷ ଭିତରକୁ ଟାଣିଆଣିଲା । ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀ ବାରମ୍ବାର ଖେଦୋକ୍ତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ମା’ ଓ ମାତୃଭୂମିକୁ ବିବାଦ ମଧ୍ୟକୁ ନ ଟାଣିବା ପାଇଁ ଉଭୟ ଗୋଷ୍ଠୀଙ୍କୁ ନିବେଦନ କରିଆସୁଥିଲେ । ବନ୍ଦେ ମାତରମ୍ ରାଷ୍ଟ୍ରୀୟ ଧ୍ୱନି ଥିବା ବେଳେ ସ୍ୱାଧୀନତା ସଂଗ୍ରାମକୁ ନୂଆ ମୋଡ଼ ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆରମ୍ଭ କଲେ ଜୟ ହିନ୍ଦ୍ ନାରା । ଏହା ବି ସଂଗ୍ରାମୀମାନଙ୍କ ଦ୍ୱାରା ଆଦୃତ ହେଲା । ଗାନ୍ଧୀଜୀ ଉଭୟ ବନ୍ଦେ ମାତରମ୍ ଓ ଜୟ ହିନ୍ଦ୍ ନାରାକୁ ମଧ୍ୟ ଗ୍ରହଣ କରୁଥିଲେ । ତେବେ କାହାର ଇଚ୍ଛା ବିରୋଧରେ ଏହି ନାରାକୁ ଅନ୍ୟ କାହା ଉପରେ ଚାପି ନ ଦେବା ଲାଗି ତାଙ୍କର ସ୍ପଷ୍ଟ ମତ ଥିଲା ।
କଲିକତାଠାରୁ କରାଚି ପର୍ଯ୍ୟନ୍ତ ବିଭିନ୍ନ କଂଗ୍ରେସ ଅଧିବେଶନରେ ସମ୍ମାନର ସହ ବନ୍ଦେ ମାତରମ୍ ଗାନ କରାଯାଉଥିଲା। ବେରବୋଇଠାରୁ ବାରମୂଳା ପର୍ଯ୍ୟନ୍ତ ବିଭିନ୍ନ ସଭା ସମିତିରେ ବି ଏହା ବୋଲା ଯାଉଥିଲା । ସ୍ୱାଧୀନତା ଆନ୍ଦୋଳନ କାଳରେ ନେତା ଓ ଜନତା ସେମାନଙ୍କ ଭାଷଣରେ ବନ୍ଦେ ମାତରମ୍ ଧ୍ୱନି ଦେଉଥିଲେ । ନମସ୍କାର ପରିବର୍ତ୍ତେ ଅନେକ ପରସ୍ପରକୁ ବନ୍ଦେ ମାତରମ୍ କହି ସମ୍ମାନ ଜଣାଉଥିଲେ । ଆମ ଜାତୀୟ ପତାକାର ଇତିହାସରେ ବି ବନ୍ଦେ ମାତରମ୍ର ଭୂମିକା ରହିଛି । ଭଗିନୀ ନିବେଦିତା ୧୯୦୫ରେ ପ୍ରସ୍ତୁତ କରିଥିବା ପତାକାରେ ରଖିଥିଲେ ବନ୍ଦେ ମାତରମ୍ । ୧୯୦୬ରେ ବଙ୍ଗର ବିପ୍ଳବୀମାନେ ଏକ ନୂଆ ପତାକା ତିଆରି କରି ପାର୍ସି ବାଗାନ୍ ଛକରେ ତାହା ଉତ୍ତୋଳିତ କରିଥିଲେ । ଏହି ତ୍ରିରଙ୍ଗା ଝଣ୍ଡାରେ ବି ବନ୍ଦେ ମାତରମ୍ ରହିଥିଲା । ମାଡାମ୍ ଭିକାଜି ରୁସ୍ତମ୍ କାମା ୧୯୦୭ରେ ଜର୍ମାନୀର ଷ୍ଟାଟ୍ଗାର୍ଟ ସହରରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଭାରତର ଯେଉଁ ଝଣ୍ଡା ଉଡ଼ାଇଥିଲେ ତାହାର ମଧ୍ୟ ଭାଗରେ ବି ଲେଖାଥିଲା ବନ୍ଦେ ମାତରମ୍ ।
ଆମ କଷ୍ଟଲବ୍ଧ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁରିବାକୁ ଯାଉଥିବାବେଳେ କୃତଜ୍ଞତାର ସହ ରାଷ୍ଟ୍ର ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ଏ ପରିପ୍ରେକ୍ଷୀରେ ମାତୃଭୂମିର ମାନ ରଖିବା ପାଇଁ ଯେଉଁମାନେ ସହିଦ୍ ହେଲେ ଏବଂ କାରା ଓ ନିର୍ଯ୍ୟାତନା ବରଣ କରି ସ୍ୱରାଜ ପାଇଁ ସାଧନା କଲେ ସେମାନଙ୍କୁ ସ୍ମରଣ କରିବା ସହ ସ୍ୱାଧୀନତାର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ । ବନ୍ଦେ ମାତରମ୍ ସହ ସ୍ୱାଧୀନତା ସଂଗ୍ରାମର ଗରିମାମୟ ଇତିହାସ ଜଡିତ । ପ୍ରାୟ ଦେଢ଼ଶହ ବର୍ଷ ତଳେ ରଚନା କରାଯାଇଥିବା ପ୍ରେରଣାଦାୟୀ ଦେଶାତ୍ମବୋଧକ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ଲୋକପ୍ରିୟ ହୋଇ ରହିଛି ଓ ରହିଥିବ ମଧ୍ୟ । ଜୟ ହିନ୍ଦ୍ ଓ ବନ୍ଦେ ମାତରମ୍ ଧ୍ୱନିର ଗ୍ରହଣୀୟତା ବଢ଼ିଛି । ଜନଗଣମନ ଜାତୀୟ ସଙ୍ଗୀତ ହୋଇଥିଲେ ବି ଜନପ୍ରିୟ ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ମାତରମ୍ ରାଷ୍ଟ୍ରଗାନ ଭାବେ ସମାନ ସମ୍ମାନ ପାଉଛି । ଏହି ଧ୍ୱନି ଓ ସଙ୍ଗୀତ ଆଜିର ଦିନରେ ବି ରାଷ୍ଟ୍ରପ୍ରେମୀମାନଙ୍କ ମନରେ ଅଦ୍ଭୂତପୂର୍ବ ଶିହରଣ ସୃଷ୍ଟି କରେ । ଆମ ଦେଶର ସଂସ୍କୃତି କୁହେ ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପୀ ଗରିୟସୀ’ । ବେଦ ଉଦ୍ଘୋଷଣା କରେ ‘ମାତା ଭୂମି ପୁତ୍ରୋହଂ ପୃଥିବ୍ୟାଃ’ । ମା’ ଓ ମାତୃଭୂମିକୁ ଛାଡ଼ିଦେଲେ ଆମର ଅସ୍ତିତ୍ୱ ନାହିଁ । କେବଳ କଥାରେ ନୁହେଁ, ବନ୍ଦେ ମାତରମ୍କୁ କାମରେ କରି ଦେଖାଇବାକୁ ପଡ଼ିବ ।
ଫୋନ : ୯୪୩୭୦୧୭୩୯୫
Comments are closed.