Latest Odisha News

BREAKING NEWS

ଓଡ଼ିଶାରେ ନାରୀ ଜାଗରଣ ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ 

ସ୍ୱାଧୀନୋତ୍ତର ଭାରତ ବର୍ଷରେ ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ବିଚାରପତି,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଶାସିକା, ବୈଜ୍ଞାନିକ, ସାମ୍ବାଦିକ ଆଦି ବିଭିନ୍ନ ପଦପଦବୀ ମଣ୍ଡନ କରିଛନ୍ତି । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ କାଳରେ ପରିସ୍ଥିତି ଭିନ୍ନ ଥିଲା । ବିଚାରପତି ହେବା ତ ଦୂରର କଥା ମହିଳାମାନଙ୍କୁ ଓକିଲାତି କରିବା ପାଇଁ ଲାଇସେନ୍ସ ମିଳୁନଥିଲା । ଏମିତିକି ୟୁରୋପର ଅନେକ ରାଷ୍ଟ୍ରରେ ମହିଳାମାନଙ୍କର ଭୋଟ୍‍ ଦେବାର ଅଧିକାର ନ ଥିଲା । ପରଦା ଆଢୁଆଳରେ ମହିଳାମାନଙ୍କୁ ରଖାଯାଉଥିବା ବେଳେ ବାଲ୍ୟ ବିବାହ ପ୍ରଥା ବସ୍ତୁତଃ ବାଲ୍ୟ ବିଧବା ତିଆରି କାରଖାନାରେ ପରିଣତ ହୋଇଥିଲା । ଜନ ଆନ୍ଦୋଳନରେ ମହିଳାମାନଙ୍କର ବିଶେଷ ଭାଗିଦାରୀ ନ ଥିଲା । ଏମିତିକି ଖୁବ୍‍ କ୍ୱଚିତ୍‍ ଝିଅଙ୍କ ଭାଗ୍ୟରେ ଉଚ୍ଚଶିକ୍ଷାର ସୁଯୋଗ ଜୁଟୁଥିଲା । ସାଧାରଣ ମହିଳା ତ ଦୂରର କଥା ପୁରୀ ଗଜପତି ପରିବାରର ରାଜମାତା ସମ୍ମୁଖକୁ ନ ଆସି ଶ୍ରୀମନ୍ଦିର ଓ ଗଜପତି ପରମ୍ପରାର ସୁରକ୍ଷା ପାଇଁ ମଧୁବାବୁଙ୍କ ସହ କବାଟ ଆଢୁଆଳରେ ରହି ଆଲୋଚନା କରୁଥିଲେ । ଅନେକ ସମାଜ ସଂସ୍କାରକଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଏବଂ ସର୍ବୋପରି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପାଇଁ ମାତୃଶକ୍ତିକୁ ମହାତ୍ମା ଗାନ୍ଧୀଙ୍କ ନିବେଦନ ଫଳରେ ଦେଶରେ ଯେଉଁ ଅଦ୍ଭୂତପୂର୍ବ ଜାଗରଣ ଓ ଶିହରଣ ସୃଷ୍ଟି ହେଲା ସେଥିରେ ଓଡ଼ିଶା ନାରୀ ସମାଜ ଆଗକୁ ବାହାରି ସେବା, ସଂଗ୍ରାମ ଓ ସାଧନାର ତ୍ରିବେଣୀ ସଙ୍ଗମ ସୃଷ୍ଟି କଲା ।

୧୯୨୧ ମାର୍ଚ୍ଚ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଓଡ଼ିଶାର ନାରୀ ଜାଗରଣର ଇତିହାସ ନୂଆ ମୋଡ଼ ନେଲା । କାଠଯୋଡ଼ିର ବାଲୁକା ଶଯ୍ୟାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଞ୍ଚ ଉପରେ ଅନ୍ୟମାନଙ୍କ ସହ ଉପସ୍ଥିତ ଥିଲେ କସ୍ତୂରବା । ଲୋକେ ଦେଖି ଆବାକାବା ହୋଇଗଲେ । ଗହଣା ଗାଣ୍ଠି କିଛି ନାହିଁ, ପୁଣି ଧଳା ଖଦି ଲୁଗା ଖଣ୍ଡେ ପିନ୍ଧି ସଭା ମଞ୍ଚରେ ନିରବ ସାଧିକା କସ୍ତୂରବାଙ୍କ ଉପସ୍ଥିତି ଖୁବ୍‍ ବଡ଼ ସନ୍ଦେଶ ଦେଲା । ଯଦି ମହାତ୍ମାଙ୍କ ପତ୍ନୀ କସ୍ତୂରବା ଦେଶ କାମ କରିବା ପାଇଁ ପରଦା ଫିଙ୍ଗି ଆଗକୁ ଆସିପାରୁଛନ୍ତି ତେବେ ସେମାନଙ୍କ ପରିବାରର ମହିଳାମାନେ କାହିଁକି ଏଭଳି କରିପାରିବେ ନାହିଁ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଲା । ମହିଳାମାନେ ବି ମଞ୍ଚରେ କସ୍ତୂରବାଙ୍କୁ ଦେଖି ଉତ୍ସାହିତ ହେଲେ । ଏହି ଅବସରରେ କଟକର ବିନୋଦ ବିହାରୀଠାରେ ଅନୁଷ୍ଠିତ ଏକ ମହିଳା ସଭାରେ ବି ମହାତ୍ମା ଓ କସ୍ତୂରବା ଯୋଗଦେଲେ । ଏହି ସଭାରେ ପ୍ରାୟ ୪୦ ଜଣ ମହିଳା ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ କୁଳମଣି ସାନ୍ତ୍ରାଙ୍କ ଭଉଣୀ ହୈମବତୀ ଦେବୀ, ଫକୀରମୋହନ ସେନାପତିଙ୍କ ଝିଅ ସରୋଜିନୀ ଚୌଧୁରୀ, ଭାଗିରଥୀ ମହାପାତ୍ରଙ୍କ ପତ୍ନୀ ସରଳା ଦେବୀ, ଅଧ୍ୟାପକ ମୋହିନୀ ମୋହନ ସେନାପତିଙ୍କ ପତ୍ନୀ ହରିଣମୟୀ ଦେବୀ, ଗୋପବନ୍ଧୁ ଚୌଧୁରୀଙ୍କ ପତ୍ନୀ ରମାଦେବୀ ପ୍ରମୁଖ ଉପସ୍ଥିତ ଥିଲେ । କଟକରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଗାନ୍ଧୀଜୀ ତାଙ୍କ ପ୍ରଥମ ଗସ୍ତ ବେଳେ ଭଦ୍ରକ, ସତ୍ୟବାଦୀ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ କସ୍ତୂରବାଙ୍କ ଉପସ୍ଥିତି ନାରୀ ସମାଜ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା । ସରଳାଦେବୀ ଆଦି ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ ।

କେବଳ ସେତିକି ନୁହେଁ ୧୯୨୨ରେ ଗୟାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ବି ରମାଦେବୀଙ୍କ ସମେତ ଓଡ଼ିଶାର କିଛି ମହିଳା ପ୍ରତିନିଧି ଯୋଗ ଦେଲେ । ଏଠାରେ ଉଲ୍ଲେଖନୀୟ ଯେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ବେଳେ କଟକରେ ତାଙ୍କ ସଭାରେ ଯେଉଁ ଅଳ୍ପ କେତେଜଣ ମହିଳା ଯୋଗ ଦେଇଥିଲେ ସେମାନେ ବାଉଁଶ ପାତିଆର ଚିକ ଆଢୁଆଳରେ ଓଢଣାଟାଣି ବସିଥିଲେ । ୧୯୨୪ରେ କଟକରେ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରାଦେଶିକ କଂଗ୍ରେସ ସମ୍ମିଳନୀରେ ଦୁଇବର୍ଷ କାରାଦଣ୍ଡ ଭୋଗି ଫେରିଥିବା ଦାସେ ଆପଣେଙ୍କୁ ସେ ଉତ୍କଳମଣି ଭାବେ ସମ୍ବୋଧନ କରିଥିଲେ । ଏହି ଅଧିବେଶନରେ ଉପସ୍ଥିତ ଥିବା ସରଳା ଦେବୀ ଚିକ ଆଢୁଆଳରୁ ବାହାରି ମଞ୍ଚ ଉପରକୁ ଯାଇ ଭାଷଣ ଦେବାର ପରାକ୍ରମ ଦେଖାଇଥିଲେ । ଜଣେ ମହିଳା ସାଧାରଣ ସଭାରେ ଭାଷଣ ଦେବା ଘଟଣା ସେତେବେଳେ ହଇଚଇ ସୃଷ୍ଟି କରିଥିଲା । ପରେ ଉତ୍କଳମଣି ସ୍ୱରାଜ ଆଶ୍ରମରେ ଅନ୍ୟ ଏକ ମହିଳା ସଭା ଡକାଇ ପରଦା ପ୍ରଥାର ଅପକାରିତା ସମ୍ପର୍କରେ ବୁଝାଇଥିଲେ ଓ ଏହି ସଭାରେ ହୈମବତୀ ଦେବୀ ଜାତୀୟ ଆନ୍ଦୋଳନ ଓ ସମାଜ ସଂସ୍କାରରେ ମହିଳାମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ମର୍ମସ୍ପର୍ଶୀ ବକ୍ତବ୍ୟ ରଖିଥିଲେ । ସେହିବର୍ଷ ସରଳାଦେବୀଙ୍କ ଉଦ୍ୟମରେ ଗଞ୍ଜାମ ଜିଲ୍ଲାରେ ଅନ୍ୟ ଏକ ମହିଳା ସମ୍ମିଳନୀ ହୋଇଥିଲା ଯେଉଁଥିରେ ଈଶ୍ୱରୀମଣି ଦେବୀ, ସ୍ୱର୍ଣ୍ଣଲତା ଦେବୀ, ହଇମବତୀ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୨୫ରେ ବୋଲଗଡ଼ଠାରେ ସୁନାମଣି ଦେବୀଙ୍କ ଉଦ୍ୟମରେ ଅନୁଷ୍ଠିତ ମହିଳା ସମାବେଶ ମଧ୍ୟ ବେଶ୍‍ ସଫଳ ହୋଇଥିଲା । ଆଉ ପାଦେ ଆଗକୁ ଯାଇ ୧୯୨୬ରେ ପୁରୀରେ ଏକ ବିଧବା ଆଶ୍ରମ ଖୋଲିଲା ଯେଉଁଥିରେ ସୁନାମଣି ଦେବୀ, ଶ୍ରୀମତୀ ବିଦ୍ୟା, ଅନ୍ନପୂର୍ଣ୍ଣା ସାହୁ ଆଦି ପ୍ରମୁଖ ଭୂମିକା ଗ୍ରହଣ କଲେ । ଜାହ୍ନବୀ ଦେବୀ୧୯୨୮-୨୯ ବେଳକୁ ବାଲେଶ୍ୱରରେ ନାରୀ ରକ୍ଷା ସମିତି ସ୍ଥାପନ କରି କେତେକ ଝିଅଙ୍କୁ ପତିତାଳୟରୁ ଉଦ୍ଧାର କରି ଥଇଥାନ କରିଥିଲେ । ୧୯୨୮ରେ ଅନୁଷ୍ଠିତ କଲିକତାର କଂଗ୍ରେସ ଅଧିବେଶନରେ ଓଡ଼ିଶାରୁ ଅନ୍ୟୁନ ୮ ଜଣ ମହିଳା ପ୍ରତିନିଧି ଯୋଗ ଦେଇଥିଲେ । ପରେ କରାଚୀ, ଲାହୋର, ଲକ୍ଷ୍ନୌ, ବମ୍ବେ ସମେତ ଦେଶର ଯେଉଁଠି କଂଗ୍ରେସ ଅଧିବେଶନ ହେଲା ସେଥିରେ ଓଡ଼ିଶାର ମହିଳା ପ୍ରତିନିଧିମାନେ ଅଂଶଗ୍ରହଣ କଲେ । ଏମିତିକି କରାଚୀ ଅଧିବେଶନରେ ସରଳା ଦେବୀ ବକ୍ତବ୍ୟ ରଖିଥିଲେ ।

 

ପରବର୍ତ୍ତୀ ସମୟରେ ମାଳତୀ ଚୌଧୁରୀଙ୍କ ଭଳି ନାରୀନେତ୍ରୀ ପ୍ରଦେଶ କଂଗ୍ରେସର ସଭାପତି ଓ ସମ୍ବିଧାନ ପ୍ରଣୟନ ସଭର ସଦସ୍ୟ ହାଇଥିଲେ । ସୁନାମଣି ଦେବୀ, ଅନ୍ନପୂର୍ଣ୍ଣା ସାହୁ, ସୁମିତ୍ରା ଚୌଧୁରୀ, ଉତ୍ତରା, ଅନ୍ନପୂର୍ଣ୍ଣା ମହାରାଣା ଆଦି ଆଶ୍ରମ ଯାଇ ଗାନ୍ଧୀଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ୍‍ ବି ନେଇଥିଲେ । ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ପୁରୀ, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସେତେବେଳେ କରାଯାଇଥିବା ମହିଳା ସମ୍ମିଳନୀ ବାସ୍ତବରେ ସ୍ୱାଧୀନତା ଆନ୍ଦୋଳନକୁ ନୂଆ ମୋଡ ଦେଇଥିଲା ।
ଓଡ଼ିଶାର ନାରୀ ସମାଜ ସେମାନଙ୍କ ଅସୀମ ଶକ୍ତି ପ୍ରଦର୍ଶନର ସୁଯୋଗ ପାଇଲେ ଲବଣ ସତ୍ୟାଗ୍ରହ ବେଳେ । ସରଳାଦେବୀ, ରମାଦେବୀ, ମାଳତୀ ଚୌଧୁରୀ, କିରଣବାଳା ସେନ୍‍ ଆଦି ଅବିଭକ୍ତ ବାଲେଶ୍ୱର, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଲବଣ ସତ୍ୟାଗ୍ରହକୁ ବ୍ୟାପକ କରିଥିଲେ । ବ୍ରିଟିଶ୍‍ ଧମକକୁ ଖାତିର୍‍ ନ କରି କୁଜଙ୍ଗ ରାଣୀ ଏମାନଙ୍କ ସହ ମିଶି ଲୁଣ ମାରିଲେ । କେତେକ ସ୍ଥାନରେ ମହିଳାମାନେ ବି ପୁଲିସ ଅତ୍ୟାଚାରକୁ ସାମ୍‍ନା କଲେ । ଲବଣ ସତ୍ୟାଗ୍ରହରେ ଓଡ଼ିଆଣୀଙ୍କ ଭୂମିକା ଦେଖି ଗୀତ ବୋଲାହେଲା, ‘ଶୁଣି ଯେ ଡରାଇ ମେଘ ଘଡ଼ଘଡ଼ି/ବାହାରିନଥିଲା ଘରୁ ଗୋଡ଼କାଢ଼ି/ସେହି ନାରୀ ଆଜି ସମୁଦ୍ରପନ୍ତାରେ ଲୁଣ ଲାଗି ଜାଳ ଭାଙ୍ଗୁଛି/ ଶୟନେ ସ୍ୱପନେ କିବା ଜାଗରଣେ ସେହି ଗାନ୍ଧୀକଥା ଭାବୁଛି/ କିମନ୍ତର କଲା ସଭିଁଙ୍କୁ ଟାଣିଲା ବଡ଼ ଆଚମ୍ବିତ ଲାଗୁଛି ।’ ସେତେବେଳେ ଜଞ୍ଜାଳୀ, ସୁନ୍ଦରମଣି, ବୀଣାପାଣି, ସୁନାମଣି, ରାଧିଙ୍କ ଭଳି ମହିଳାମାନେ ଲବଣ ସତ୍ୟାଗ୍ରହ ସହ ବିଦେଶୀ ବସ୍ତ୍ର ପୋଡ଼ି ଓ ମଦ ଦୋକାନ ଆଗରେ ଧାରଣା ଦେଇ ହଇଚଇ ସୃଷ୍ଟି କରିଥିଲେ । ଦେଶର ସ୍ୱାଧୀନତା ଆନ୍ଦୋଳନରେ କାରାବାସ ଭଳି ପବିତ୍ର ପ୍ରବାସର ସୁଯୋଗକୁ ମିଳିଥିଲା ଉତ୍କଳୀୟ ନାରୀଙ୍କୁ ଏହି ସମୟରେ । ଜେଲ୍‍ରୁ ମୁକଳିବା ପରେ ଓଡ଼ିଶାର ବୀରାଙ୍ଗନାମାନେ ଚାରିଆଡ଼େ ଖେଦିଗଲେ । ପୁରୀ, ସମ୍ବଲପୁର, କଟକ, ବାଲେଶ୍ୱର, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରେ ମହିଳା ସମ୍ମିଳନୀମାନ ଆୟୋଜିତ ହେଲା । ଉତ୍କଳଭାରତୀ ଡାକ୍ତର କୁନ୍ତଳାକୁମାରୀ ସାବତ ବାଲେଶ୍ୱର ସମ୍ମିଳନୀରେ ଅଧ୍ୟକ୍ଷତା କଲେ । ତାଙ୍କ ଅଗ୍ନିବର୍ଷୀ ଜାତୀୟ କାବ୍ୟ ‘ଆହ୍ୱାନ’କୁ ବ୍ରିଟିଶ୍‍ ସରକାର ନିଷିଦ୍ଧ କରିଥିଲେ ମଧ୍ୟ ଏହା ଲୋକେ ଉନ୍ମାଦନାର ସହ ବୋଲିଲେ । ଜାହ୍ନବୀ ଦେବୀ ଏହି ସମ୍ମିଳନୀର ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷା ଥିଲେ । କୋକିଳ ଦେବୀ ବାଲେଶ୍ୱର ଜିଲ୍ଲା ସାରା ଗସ୍ତ କରିଥିଲେ । ପୁରୀରେ ୧୯୩୨ରେ ଜାତୀୟ କଂଗ୍ରେସ ଅଧିବେଶନ ପାଇଁ ପ୍ରସ୍ତାବ ଥିବା ବେଳେ ବହୁ ମହିଳା ସ୍ୱେଚ୍ଛାସେବୀ ପ୍ରସ୍ତୁତି ପର୍ବରେ ସାମିଲ ହୋଇଥିଲେ । ଏମିତିକି ପୁରୀରେ ଅନୁଷ୍ଠିତ ସ୍ୱେଚ୍ଛାସେବିକା ତାଲିମ୍‍ ଶିବିରରେ ୮୮ ଜଣ ଝିଅ ଯୋଗଦେଇ ହଜାର ହଜାର ଦର୍ଶକଙ୍କ ଆଗରେ ଡ୍ରିଲ୍‍ ଓି ଛୁରା ଖେଳ ଆଦି ପ୍ରଦର୍ଶନ ସହ ବୋଲିଲେ, ‘ନଜାଗିଲେ ଆଉ ଭାରତରମଣୀ/ଜାଗିବ ନାହିଁ ଟି ଏ ଭାରତ ପୁଣି ।’


ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ୧୯୩୦ରୁ ଜାନୁଆରୀ ୨୬କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିଲା ଓ ଏଥିରେ ସ୍ୱାଧୀନତାର ସଂକଳ୍ପପତ୍ର ପାଠ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରେ ଅନେକ ମହିଳା ହୁଲ୍‍ସ୍ତୁଲ୍‍ ସୃଷ୍ଟି କରିଥିଲେ । ସ୍ୱାଧୀନତା ଆନ୍ଦୋଳନ କାଳରେ କଟକ, ପୁରୀ, ବାଲେଶ୍ୱର ଆଦି ଜେଲ୍‍ର ମହିଳା ୱାର୍ଡରେ ଏତେସଂଖ୍ୟକ ମହିଳା ସଂଗ୍ରାମୀ ପଶିଲେ ଯେ ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସରକାର ସ୍ଥାନ ଅଭାବ ଯୋଗୁ ଭାଗଲପୁର, ହଜାରିବାଗ ଆଦି ଜେଲ୍‍କୁ ପଠାଇଲେ ।
୧୯୨୫ରେ ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀଙ୍କ କଟକ ଗସ୍ତ, ୧୯୨୭ରେ ଅବିଭକ୍ତ ଗଞ୍ଜାମ, ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାରେ ଖଦି ଗସ୍ତ, ୧୯୨୮ରେ ସମ୍ବଲପୁର ଗସ୍ତ ଓଡ଼ିଶାର ସଂଗ୍ରାମୀମାନଙ୍କ ମଧ୍ୟରେ ନୂଆ ଉଦ୍ଦିପନା ସୃଷ୍ଟି କରିଥିଲା । ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ଦୀର୍ଘ ଓଡ଼ିଶା ଗସ୍ତ ବିଶେଷକରି ଅପ୍ରତ୍ୟାଶିତ ଭାବେ ମେ-ଜୁନ୍‍ ମାସର ଟାଣ ଖରାରେ ପଦଯାତ୍ରା ସେବା ଓ ସଂଗ୍ରାମର ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଲା । ଏହି ପଦଯାତ୍ରାର ଅନ୍ୟତମ ବ୍ୟବସ୍ଥାପିକା ଥିଲେ ରମାଦେବୀ । ଏଥିରେ ଉମା ବଜାଜ୍‍, ପ୍ରଭାବତୀ ଦେବୀ, ମୀରାବେନ୍‍ଙ୍କଠାରୁ ଆରମ୍ଭ କରି ସୁଶୀଳା ଦେବୀ,ମଙ୍ଗଳା ଦେବୀ, ଅନ୍ନପୂର୍ଣ୍ଣା ଚୌଧୁରୀ(ପରେ ମହାରାଣା), ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ଆଦି ସକ୍ରିୟ ଭୂମିକା ଗ୍ରହଣ କରି ଗାଁ ଗହଳରେ ନାରୀ ଜାଗରଣର ନୂଆ ଦିଗନ୍ତ ସୃଷ୍ଟି କରିଥିଲେ । ଏହି ପଦଯାତ୍ରା ବେଳେ ଗାନ୍ଧୀଙ୍କୁ ଓଡ଼ିଆ ଭାଷା ଓ ଲିପି ଶିଖାଇଥିଲେ ଗୋଦାବରୀ ଦେବୀ । ପଦଯାତ୍ରା ଶେଷରେ ଗାନ୍ଧୀଜୀ ଓଡ଼ିଶାର କଷ୍ଟ ସହିଷ୍ଣୁ ମହିଳା କର୍ମୀଙ୍କ କୁଶଳତାକୁ ପ୍ରଶଂସା କରି କହିଥିଲେ, ‘ଭାରତରେ ହଜାର ହଜାର ମହିଳାଙ୍କ ସାଙ୍ଗେ ମିଶିଛି, ସେମାନଙ୍କର କାମ ଦେଖିଛି; କିନ୍ତୁ ରମାଦେବୀ ଓ ତାଙ୍କ ଛୋଟିଆ ଦଳଟି ଯେପରି ସ୍ୱଭାବ ସୁଲଭ ଓ ସୁତୁରାରେ କାମ କରୁଥିଲେ ସେଭଳି କାମ ମୁଁ ଅନ୍ୟ କେଉଁଠି ଦେଖିନାହିଁ । ସେମାନେ ନିଜ ପାଇଁ କେବେ ହେଲେ ବିଶେଷ ସୁବିଧା ଲୋଡ଼ିନାହାନ୍ତି ବା ଦାବି କରିନାହାନ୍ତି । ଏମାନଙ୍କର କଷ୍ଟ ସହିବାର ଶକ୍ତି ଦେଖି ମୁଁ ମୁଗ୍ଧ । ଯାହା ଆଶା କରିନଥିଲି ତା’ଠାରୁ ବଳି ଏମାନଙ୍କ କଷ୍ଟ ସହିବା ଦେଖି ମନ ଆନନ୍ଦରେ ଭରପୂର ହୋଇଯାଉଛି ।’

୧୯୩୮ ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ବେରବୋଇ ଗାଁ ଗହିରରେ ନିର୍ମିତ ଅସ୍ଥାୟୀ କୁଡ଼ିଆରେ ରହୁଥିଲେ ଗାନ୍ଧୀ, କସ୍ତୂରବାଙ୍କ ସମେତ ସର୍ଦ୍ଦାର ବଲ୍ଲଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ପ୍ରଫୁଲ୍ଲ ଘୋଷ, ମୌଲାନା ଆଜାଦ୍‍, ଆଚାର୍ଯ୍ୟ କୃପାଳିନୀ, ମହାଦେବ ଦେଶାଇ, ଆର୍‍ଆର୍‍ ଦିବାକରଙ୍କ ଭଳି ଅଗ୍ରଗଣ୍ୟ ନେତାମାନେ । ଗାନ୍ଧୀଜୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଏବଂ ରାଜ୍ୟର ପ୍ରମୁଖ ନେତାମାନଙ୍କ ନିରବଚ୍ଛିନ୍ନ ସାଧନାର ପ୍ରତିଫଳନ ଦେଖିବାକୁ ମିଳିଲା ୧୯୪୨ର ଭାରତଛାଡ଼ ଆନ୍ଦୋଳନ ବେଳେ । ଇରମ୍‍, ମାଥିଲି, ପାପଡ଼ାହାଣ୍ଡି, ଲୁଣିଆ, ତୁଡ଼ିଗଡ଼ିଆ, ଖଇରାଡିହି, କାଇପଡ଼ା-କଳାମାଟିଆ, ସୁବର୍ଣ୍ଣପୁର, ନିମାପଡ଼ା, ନୟାଗଡ଼, ନୀଳଗିରି, ତାଳଚେର ଆଦିରେ ଅନ୍ୟୁନ ୮୦ ଜଣ ସଂଗ୍ରାମୀ ପୁଲିସ୍‍ ଗୁଳିରେ ସହିଦ ହେଲେ । ବ୍ରହ୍ମପୁର ଜେଲ୍‍ରେ ଲକ୍ଷ୍ମଣ ନାୟକ ଫାଶୀଖୁଣ୍ଟରେ ଝୁଲିଲେ । ଗାନ୍ଧୀଜୀ କେବେ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିନଥିଲେ । କିନ୍ତୁ ଗାନ୍ଧୀ ବିଚାରର ପ୍ରଭାବ ଏହି ଜିଲ୍ଲାରେ ଏତେ ବ୍ୟାପକ ହୋଇଥିଲା ଯେ ଏଠି ଗୁଳି, ଲାଠି, ଫାଶୀ ସହ ନିର୍ଯାତନାରେ ଜେଲ୍‍ ଭିତରେ ଓ ବାହାରେ ୮୦ରୁ ଅଧିକ ଲୋକ ସହିଦ ହେଲେ । କର ବା ମର ଆନ୍ଦୋଳନରେ ଓଡ଼ିଶାରେ ଯେଉଁମାନେ ସହିଦ ହେଲେ ସେମାନଙ୍କ ଭିତରେ ବି କିଛି ମହିଳା ଥିଲେ ।

ଅନେକ ମହିଳା ସଂଗ୍ରାମୀ ସେ ସମୟରେ ସପରିବାର, ସବାନ୍ଧବ କାରାବରଣ କରିଥିଲେ । ଏହି ଅଗ୍ରଗଣ୍ୟାମାନଙ୍କ ଭିତରେ ଥିଲେ ସରଳାଦେବୀ, ପ୍ରିୟମ୍ବଦା ଦାସ, ରମାଦେବୀ, କ୍ଷେତ୍ରମଣି ଦେବୀ, ଆଶାଲତା ଆଚାର୍ଯ୍ୟ, ମାଳତୀ ଚୌଧୁରୀ, ଅମ୍ବିକା ଦେବୀ, ଗୁଣମଞ୍ଜରି ଦେବୀ, ପ୍ରଭା ଦେବୀ, ଯଶୋଦା ଦେବୀ, ଚମ୍ପା ଦେବୀ, ସୁନ୍ଦରମଣି ଚ୍ୟାଉପଟ୍ଟନାୟକ, ଜମ୍ବୁବତୀ ଦେବୀ, ରାଧାମଣି ଦେବୀ, ସୁଭଦ୍ରା ମହତାବ, ଉତ୍ତରା ଚୌଧୁରୀ, ଅନ୍ନପୂର୍ଣ୍ଣା ଚୌଧୁରୀ, କୁମୁଦିନୀ ଦେବୀ, ନିରୁପମା ଜେନା, କୃଷ୍ଣକାମିନୀ ଦେବୀ, ଛାୟା ପରିଡ଼ା, ସରସ୍ୱତୀ ଦେବୀ, ହାରାମଣି କାନୁନ୍‍ଗୋ, ଅଧରମଣି ଦେବୀ, ଶଶୀବାଳା କାନୁନ୍‍ଗୋ, ଶୋଭାବତୀ ଦେବୀ, କିରଣଲେଖା ମହାନ୍ତି, ମାଳତୀ ଦେବୀ, ସକୁନ୍ତଳା ଦାସ, ବିମଳା ଦେବୀ, ଗୋଦାବରୀ ଦେବୀ, ଶରତ କୁମାରୀ, ଶୋଭାବତୀ ପଣ୍ଡା, ବେଲଦେଈ, ପାର୍ବତୀ ଗିରି ଆଦି ଶତାଧିକ ବୀରାଙ୍ଗନା ।

୧୯୩୪ ପଦଯାତ୍ରା ଶେଷରେ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ଭିତରେ କାମ କରିବା ପାଇଁ ଗାନ୍ଧୀଜୀ ପରାମର୍ଶ ଦେଇଥିଲେ । ତେବେ ଗାଁରେ ଆମେ କି କାମ କରିବୁ ବୋଲି ଜଣେ ଭଉଣୀ ପ୍ରଶ୍ନ କରିବାରେ ଗାନ୍ଧୀଜୀ ମେଣ୍ଢାପଲରେ ବଢ଼ିଥିବା ସିଂହ ଶିଶୁ ପରବର୍ତ୍ତୀ ସମୟରେ ନିଜ ବିକ୍ରମ ସମ୍ପର୍କରେ କିପରି ଜାଗ୍ରତ ହେଲା ସେହି ଗପଟିକୁ ଶୁଣାଇଥିଲେ । ଏହାପରେ ଅନ୍ୟ ରଚନାତ୍ମକ କର୍ମୀମାନଙ୍କ ସହ ଓଡ଼ିଶାର ଶହ ଶହ ନାରୀ ଗାଁ ଗହଳରେ ଲୋକଙ୍କ ଭିତରେ ଥିବା ସୁପ୍ତ ସିଂହର ପରାକ୍ରମ ଜାଗ୍ରତ କରାଇବାରେ ସ୍ୱାଧୀନତା ଆନ୍ଦୋଳନ ନୂଆ ମୋଡ଼ ନେଇଥିଲା । କେବଳ ସେତିକି ନୁହେଁ ଅନେକ ମହିଳା କର୍ମୀ ନିଜ ଜୀବନକୁ ଦେଶପାଇଁ ଉତ୍ସର୍ଗ କରି ସେବା ଓ ସାମାଜିକ କ୍ରାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାମ କଲେ । ସ୍ୱାଧୀନତା ସଂଗ୍ରାମର ସଫଳତା ପାଇଁ ଗାନ୍ଧୀଜୀ ମାତୃଶକ୍ତିର ଆଶୀର୍ବାଦ ଲୋଡ଼ିଥିବା ବେଳେ ଓଡ଼ିଶା ସମେତ ଦେଶର ମାତୃଶକ୍ତି ଏହା ଅଜାଡ଼ିଦେବା ସହ ଜୀବନ ପଣକରି ସେବା, ସଂଗ୍ରାମ, ସଂସ୍କାର କ୍ଷେତ୍ରରେ ସମର୍ପିତ ମନୋଭାବ ନେଇ ଯେପରି ନିସ୍ୱାର୍ଥପର ଭାବେ କାମ କରିଗଲେ ତାହା ଆଜି ବି ଇତିହାସ ଡାକି ଡାକି କହୁଛି ।

E-mail: prahalladsinha@gmail.com
ଫୋନ : ୯୪୩୭୦୧୭୩୯୫
(ସୂତ୍ର:- ଗାନ୍ଧୀ ଓ ଉତ୍କଳ, ଗାନ୍ଧୀଜୀଙ୍କ ଉତ୍କଳରେ ପଦଯାତ୍ରା, ସ୍ୱାଧୀନତା ଆନ୍ଦୋଳନରେ ଉତ୍କଳୀୟ ନାରୀ)

Comments are closed.