ପୋଥି ବାହାରେ ଜ୍ଞାନ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ଚଳିତ ବର୍ଷ ଆମ୍ବର ପାଳକ ବହୁତ ଭଲ ଥିଲା । ଗଛ ଗୁଡ଼ିକ ଭରି ହୋଇଥିଲା ଆମ୍ବରେ । ଆମେ ପ୍ରଚୁର ଆମ୍ବ ଖାଇଲେ । ଏବେ ଆମେ ସ୍ୱଳ୍ପ ବୃଷ୍ଟିକୁ ଭୋଗୁଛେ । ଚାଷବାସ ପାଇଁ ପାଣି ହେଉନାହିଁ । ଧାନ ରୁଆରୁଇ ବେଳକୁ ଜମିରେ ପାଣି ନାହିଁ । ସରକାରଙ୍କ ଘୋଷଣା ଅନୁସାରେ ଆମ ରାଜ୍ୟର ୨୭ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇସାରିଲାଣି ।

ତିନି ମାସ ତଳେ ଯେତେବେଳେ ଗଛରେ ପ୍ରଚୁର ଆମ୍ବ ଲଦି ହୋଇଥିଲା, ସେତେବେଳେ ରାୟଗଡ଼ାର କନ୍ଧ ଆଦିବାସୀମାନେ ତାଙ୍କ ପାରମ୍ପରିକ ଜ୍ଞାନରୁ ଜାଣିସାରିଥିଲେ, ଏବର୍ଷ ବର୍ଷା କମ୍ ହେବ ଓ ଖରା ବେଶି ହେବ । କମ୍ ବର୍ଷାକୁ ତ ଏବେ ଆମେ ଅଙ୍ଗେ ଲିଭାଉଛେ । ଆଉ କେତେ ମାସ ପରେ ଖରାର ପ୍ରକୋପକୁ ମଧ୍ୟ ଦେଖିବା ।

ଆଦିବାସୀ ସମାଜ ପାଖରେ ଗଛର ଫଳ, ଫୁଲ, ଜୀବ ଜନ୍ତୁଙ୍କ ବ୍ୟବହାରକୁ ଦେଖି ପରିବେଶ, ପାଣିପାଗ ଆଦିକୁ ଆକଳନ କରିବା ଓ ଆହୁରି ଅନେକ ପ୍ରକାର ଜ୍ଞାନର ଭଣ୍ଡାର ଦେଖିବାକୁ ମିଳେ । ଏସବୁ ଜ୍ଞାନ କେଉଁ ପୋଥିରେ ମିଳିବ ନାହିଁ । ଏହା ପରମ୍ପରାଗତ ଭାବେ
ଲୋକମାନଙ୍କ ପାଖରେ ଅଛି । କନ୍ଧ ଆଦିବାସୀ ସମାଜର ପାରମ୍ପରିକ ଜ୍ଞାନ ଅନୁସାରେ ଯେଉଁ ବର୍ଷ ପ୍ରଚୁର ଆମ୍ବହେବ, ସେ ବର୍ଷ ବର୍ଷା କମ୍ ହେବ ଓ ଖରା ବେଶି ହେବ । ଆଦିବାସୀମାନେ ତାଙ୍କର ଏହି ଜ୍ଞାନର ଆଧାରରେ ପାଣିପାଗକୁ ଆକଳନ କରି ନିଜର ଚାଷବାସ ଯୋଜନା କରିଥାନ୍ତି । ଯଦି ସେମାନେ ଜାଣିଲେ ଯେ, ଏହି ବର୍ଷ ବର୍ଷା କମ୍ ହେବ, ସେମାନେ ସେହି ହିସାବରେ କମ୍ ପାଣି ଆବଶ୍ୟକ କରୁଥିବା ଫସଲ କରିବାକୁ ଯୋଜନା କରନ୍ତି । ଏହା ସେମାନେ ବର୍ଷ ବର୍ଷ ଧରି କରିଆସୁଛନ୍ତି । ଏହା ଭିନ୍ନ କଥା ଯେ, ସେମାନଙ୍କର ଏହି ଜ୍ଞାନକୁ ଆଜିର ସଭ୍ୟ ସମାଜ ମାନ୍ୟତା ଦେଇନାହିଁ । କିନ୍ତୁ ଆଦିବାସୀମାନେ ଦୃଢ଼ ନିଶ୍ଚିତ ଯେ, ସେମାନଙ୍କର ଏହି ଜ୍ଞାନ ଶତ ପ୍ରତିଶତ ଠିକ୍ ବୋଲି ପ୍ରମାଣିତ ହୋଇ ଆସୁଛି ।

ସେହିପରି ଆଦିବାସୀମାନଙ୍କର ପାରମ୍ପରିକ ଜ୍ଞାନ ଅନୁସାରେ ଯେଉଁ ବର୍ଷ ଅଧିକାଂଶ ବାଉଁଶ ଗଛରେ ଫୁଲ ହେବ, ସେ ବର୍ଷ
ମରୁଡ଼ି ପରିସ୍ଥିତି ଦେଖା ଦେବା ନିଶ୍ଚିତ । ତେଣୁ ସେମାନେ ବାଉଁଶ ଫୁଲକୁ ସଂଗ୍ରହ କରି ରଖନ୍ତି ଅଭାବ ସମୟରେ ଖାଇବା ପାଇଁ । ଏତଦ୍ ବ୍ୟତୀତ ଆଦିବାସୀ ମାନେ ପିମ୍ପୁଡ଼ି ମାନଙ୍କର ମତିଗତି ଦେଖି ବର୍ଷା ହେବ କି ନହେବ ଜାଣିଥାନ୍ତି । ପିମ୍ପୁଡିମାନେ ଯଦି ତାଙ୍କ ଅଣ୍ଡାକୁ ଧରି ଖୁବ୍ ଦ୍ରୁତ ଗତିରେ ଉଚ୍ଚ ସ୍ଥାନ ବା କୌଣସି ଗଛ ଉପରକୁ ଚଢ଼ୁଛନ୍ତି, ତେବେ ଖୁବ୍ ଶୀଘ୍ର ବର୍ଷା ହେବାର ସମ୍ଭାବନା ଅଛି । ପିମ୍ପୁଡ଼ି ମାନେ ଯଦି ତାଙ୍କ ଅଣ୍ଡାକୁ ଧରି ଧୀର ଗତିରେ ଉପର ସ୍ଥାନକୁ ଯାଉଥାନ୍ତି, ତେବେ ବର୍ଷା ତ ହେବ । କିନ୍ତୁ ଟିକେ ବିଳମ୍ବରେ । ଅର୍ଥାତ୍ ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ହେବା ନିଶ୍ଚିତ । ଏହି ସବୁ ସଂକେତକୁ ଦେଖି କନ୍ଧ ଆଦିବାସୀମାନେ ନିଜ ଜୀବନଚର୍ଯ୍ୟା ସଜାଡ଼ିଥାନ୍ତି ।

କୁଈ ଭାଷାରେ ପିପଡ଼ିଅ ନାମକ ଏକ ଚଢ଼େଇ ଅଛି । ସେହି ଚଢ଼େଇ ଯଦି ଅଧିକାଂଶ ସମୟ ଉତର ଓ ପଶ୍ଚିମ ଦିଗକୁ ମୁହଁ କରି
ବସୁଥିବ ଓ ଆକାଶ ଆଡ଼କୁ ଦେଖୁଥିବ, ତେବେ ସେ ବର୍ଷ ପ୍ରଚୁର ବର୍ଷା ହେବାର ସମ୍ଭାବନା ଥାଏ । ପିପଡ଼ିଅ ଚଢ଼େଇ ଯଦି ପୂର୍ବ ଓ ଦକ୍ଷିଣ ଦିଗକୁ ମୁହଁ କରି ବସୁଥିବ, ତେବେ ଅନାବୃଷ୍ଟିର ସମ୍ଭାବନା ଥାଏ । କୁଈ ଭାଷାରେ କାଡ଼ାକୁମ୍ବେ ନାମକ ଏକ ଗଛ ନଦୀ କୂଳରେ ହୋଇଥାଏ । ଯେଉଁ ବର୍ଷ ସେହି ଗଛର ଉପର ଡାଳ ମାନଙ୍କରେ ଫୁଲ ହୋଇଥାଏ, ସେ ବର୍ଷ ବର୍ଷା ଋତୁ ଆରମ୍ଭରୁ ବର୍ଷା ହୋଇଥାଏ । ଯଦି ସେହି ଗଛରେ ଫୁଲ ମଝି କିମ୍ବା ମୂଳ ଡାଳରେ ହୋଇଥାଏ, ତେବେ ଋତୁର ବିଳମ୍ବରେ ବର୍ଷାର ସମ୍ଭାବନା ଥାଏ ।

ଏସବୁ ସଙ୍କେତରୁ ସେମାନେ ନିଜର ଚାଷ ବାସର ଯୋଜନା କରିଥାନ୍ତି । ଏତଦ୍‌ବ୍ୟତୀତ କନ୍ଧ ଆଦିବାସୀମାନେ ଫସଲକୁ ପୋକରୁ ବଂଚେଇବା ପାଇଁ ଜମିରେ ସଲପ ଡାଳ ପୋତିଥାନ୍ତି ଓ ପୋକ ଦାଉରୁ ଜମିକୁ ରକ୍ଷା କରନ୍ତି । ରୋଗ ପୋକରୁ ରକ୍ଷା ପାଇବା ପାଇଁ ସେମାନେ କୋରଡ଼ା ପତ୍ର ମଧ୍ୟ ହଳ ସମୟରେ ଜମିରେ ପକାନ୍ତି । ଏହି ସବୁ ସ୍ଥାନୀୟ ଜ୍ଞାନର ବ୍ୟବହାରର ସୁପରିଣାମ ଆମେ ନିଜେ ଦେଖିଛୁ । କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅଣଆଦିବାସୀ ଅଞ୍ଚଳମାନଙ୍କରେ ବି ଏହିପରେ ଅନେକ ସ୍ଥାନୀୟ ଜ୍ଞାନ ଅଛି । ଯାହାର ଆଧାରରେ ଲୋକମାନେ ନିଜ ଜୀବନକୁ ଗଢ଼ି ଆସୁଛନ୍ତି । ଏହି ସବୁ ସ୍ଥାନୀୟ ପାରମ୍ପରିକ ଜ୍ଞାନକୁ ହେୟଜ୍ଞାନ କରିଦେବା ଉଚିତ୍ ନୁହେଁ ।

ପିଢ଼ୀ ପିଢ଼ୀ ଧରି ସେମାନେ ଏହାକୁ ହାସଲ କରିଆସିଛନ୍ତି ଓ ତାହାର ପ୍ରାସଙ୍ଗିକତା ପ୍ରମାଣ ହୋଇଆସୁଛି । ଏହି ସବୁ ସ୍ଥାନୀୟ ଓ ପାରମ୍ପରିକ ଜ୍ଞାନକୁ ଦସ୍ତାବିଜକରଣ କରି ତା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ନହେଲେ ଏହିସବୁ ଜ୍ଞାନ ଲୋପ ପାଇଯିବାର ସମ୍ଭାବନାକୁ ଏଡ଼େଇ ଦେଇ ହେବ ନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪