Latest Odisha News

BREAKING NEWS

ବିସ୍ଫୋରଣ ଉଦ୍ୟମ ପଣ୍ଡ: ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ

ବେଙ୍ଗାଲୁରୁ: ଏକ ବଡ଼ ଧରଣର ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କଲା ସିସିବି। ଗୁଇନ୍ଦା ସୂତ୍ରରୁ ଖବର ପାଇ କର୍ଣ୍ଣାଟକରୁ ୫ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କଲା ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ। ବେଙ୍ଗାଳୁରୁରେ ସିରିଜ୍‌ ବିସ୍ଫୋରଣ ପାଇଁ କରୁଥିଲେ ଯୋଜନା। ଏହି ଘଟଣାରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ, ଜୀବନ୍ତ ଗୁଳି, ୱାକି ଟକି ଏବଂ ମୋବାଇଲ୍ ଫୋନ୍ ଜବତ କରିଥିବା ପୋଲିସ କମିଶନର ବି ଦୟାନନ୍ଦ ସୂଚନା ଦେଇଛନ୍ତି।

ବେଙ୍ଗାଲୁରୁ ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ପାଞ୍ଚଜଣ ଅଭିଯୁକ୍ତଙ୍କ ବ୍ୟତୀତ ଜଣେ ପ୍ରଧାନ ଅଭିଯୁକ୍ତ ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏହି ଛଅ ଜଣ ମିଳିତ ଭାବେ ବେଙ୍ଗାଲୁରୁ ସହରରେ ବଡ଼ ଧରଣର ଆକ୍ରମଣ କରିବାର ଯୋଜନା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହାରେ ଉକ୍ତ ୬ ଜଣଙ୍କୁ ହତ୍ୟା ମାମଲାରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା। ଏହି ସମୟରେ ସେ ୨୦୦୮ ବେଙ୍ଗାଲୁରୁ ବିସ୍ଫୋରଣର ଅଭିଯୁକ୍ତ ତଥା LET ଅପରେଟିଭ୍ ଟି ନଜିରଙ୍କୁ ଭେଟିଥିଲେ। ପ୍ରାରମ୍ଭିକ ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଲା ଯେ ନଜିର ଏହି ୬ ଜଣ ସନ୍ଦିଗ୍ଧଙ୍କ ବ୍ରେନ୍ ୱାଶ କରିଥିଲା।

ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚର ଅଧିକାରୀ କହିଛନ୍ତି ଯେ ଏହି ୫ ସନ୍ଦିଗ୍ଧ ଆତବାଦୀଙ୍କ ନାମ ସୟଦ ସୁହେଲ, ଉମର, ଜନିଦ, ମୁଦାସିର ଏବଂ ଜାହିଦ ରୂପେ ଜଣାପଡିଛି। ବର୍ତ୍ତମାନ ବିଦେଶରେ ରହୁଥିବା ଅଭିଯୁକ୍ତ ବାକି ୫ ଅଭିଯୁକ୍ତଙ୍କ ସହ ମିଶି ଏକ ଟିମ୍ ଗଠନ କରିଥିଲା। ବିଦେଶ ଯିବା ପରେ ଏହି ଅଭିଯୁକ୍ତ ଉକ୍ତ ୫ ଜଣଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦେଇଥିଲା। ଯାହା ଆଧାରରେ ଏହି ସନ୍ଦିଗ୍ଧ ବ୍ୟକ୍ତି ବେଙ୍ଗାଲୁରୁ ସହରରେ ବଡ ଧରଣର ହମଲା କରିବାର ଯୋଜନା କରିଥିଲେ। କିନ୍ତୁ ସମୟ କ୍ରମେ ପୋଲିସ ଏହି ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବର୍ତ୍ତମାନ ବିଦେଶରେ ରହୁଥିବା ମାଷ୍ଟରମାଇଣ୍ଡ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଛି। ନଗର ପୋଲିସ ମଧ୍ୟ ଘଟଣାର ସମସ୍ତ ବିବରଣୀ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସହ ସେୟାର କରିଛି। ପୋଲିସ କହିଛି ଯେ ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ କର୍ଣ୍ଣାଟକ ରାଜଧାନୀର ବିଭିନ୍ନ ଅଞ୍ଚଳର। ପୋଲିସ ସନ୍ଦେହ କରୁଛି ଯେ ସେମାନେ ସହରକୁ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।

Leave A Reply

Your email address will not be published.