ନୂଆଦିଲ୍ଲୀ: ଭାରତ ବିରୋଧରେ ଚାଲିଛିକି ବଡ଼ ଷଡ଼ଯନ୍ତ୍ରୀ? କାରଣ ବାଂଲାଦେଶର କଟ୍ଟରପନ୍ଥୀ ସଂଗଠନ ‘ଜମାତ-ଏ-ଇସଲାମୀ’ ଏବଂ ତା’ର ସହଯୋଗୀ ୧୧ଟି ବିରୋଧୀ ଦଳ ଭାରତ ବିରୋଧରେ ଏକ ବଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ଭାରତ ଆଡକୁ ମାଡ଼ି ଆସୁଛନ୍ତି ହଜାର ହଜାର କଟ୍ଟରପନ୍ଥୀ। ଏହାକୁ ନେଇ ଭାରତ ବର୍ଡରରେ ହାଇଆଲର୍ଟ ଜାରି ହୋଇଛି। ଏହି ମେଣ୍ଟରେ ନ୍ୟାସନାଲ ସିଟିଜେନ୍ସ ପାର୍ଟି (NCP) ଅନ୍ତର୍ଭୁକ୍ତ, ଯାହା ଶେଖ ହସିନା ବିରୋଧୀ ଛାତ୍ର ଆନ୍ଦୋଳନରୁ ଉଭା ହୋଇଛି। ଏହି ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଭାରତ ବଳପୂର୍ବକ ଲୋକମାନଙ୍କୁ ସୀମା ପାର ପଠାଉଛି ଏବଂ ବାଂଲାଦେଶୀ ନାଗରିକମାନେ ସୀମା ପାଖରେ ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମ ଜମାତ-ଏ-ଇସଲାମି ମୁଖ୍ୟ ଶଫିକୁର ରହମାନ ଘୋଷଣା କରିଛନ୍ତି।
ସଂଘ କହିଛି ଯେ ଜୁନ୍ ୧୨ ତାରିଖ ଶୁକ୍ରବାର ଦିନ ବାଂଲାଦେଶର ହଜାର ହଜାର ଲୋକ ଭାରତ ସୀମା ଆଡ଼କୁ ମାର୍ଚ୍ଚ କରିବା ସହ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହା ପରେ ଜୁନ୍ ୧୫ ତାରିଖରେ ରାଜଧାନୀ ଢାକାରେ ଏକ ବଡ଼ ରାଲି ଏବଂ ଶୋଭାଯାତ୍ରା କରାଯିବ। ସଂଘ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ନେତୃତ୍ୱାଧୀନ BNP ସରକାରଙ୍କୁ ମଧ୍ୟ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଭାରତ ବଳପୂର୍ବକ ଲୋକମାନଙ୍କୁ ସୀମା ପାର ପଠାଇବାକୁ ଚେଷ୍ଟା କରୁଛି। ଏହା ମଧ୍ୟ ଦାବି କରିଛି ଯେ ଭାରତର ସୀମା ସୁରକ୍ଷା ବଳ (BSF) ଦ୍ୱାରା ଗୁଳିଚାଳନା ଯୋଗୁଁ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି।
ବାଂଲାଦେଶୀ ସଂଗଠନଗୁଡ଼ିକର ଅଭିଯୋଗ ଯେ, ଭାରତୀୟ ସୀମାରେ ବାଂଲାଦେଶୀ ନାଗରିକଙ୍କ ସହ ଅସଦାଚରଣ କରାଯାଉଛି ଏବଂ ବିଏସଏଫ୍ ଗୁଳିମାଡ଼ରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟୁଛି । ଏହା ସହ ଭାରତ ସରକାର ଜବରଦସ୍ତ ଲୋକଙ୍କୁ ବାଂଲାଦେଶ ସୀମା ଭିତରକୁ ପଠାଇ ଦେଉଥିବା ସେମାନେ ଦାବି କରିଛନ୍ତି । ବାଂଲାଦେଶର ସମସ୍ତ ସୀମାବର୍ତ୍ତୀ ଜିଲ୍ଲା ଏବଂ ଗୁରୁତ୍ୱପୂର୍ଣ୍ଣ ବର୍ଡର ପଏଣ୍ଟରେ ବିଶାଳ ର୍ୟାଲି ହେବ । ବାଂଲାଦେଶର ରାଜଧାନୀ ଢାକାରେ ଏକ ବଡ଼ ଧରଣର ସମାବେଶ ଓ ଶୋଭାଯାତ୍ରା ହେବ । ଭାରତ ସରକାର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତ ପକ୍ଷରୁ କୁହାଯାଇଛି ଯେ, କୌଣସି ଜବରଦସ୍ତ ‘ପୁଶ୍-ଇନ୍’ କରାଯାଉ ନାହିଁ, ବରଂ ଯେଉଁମାନେ ବେଆଇନ ଭାବେ ଭାରତରେ ରହୁଛନ୍ତି, ସେମାନଙ୍କର ସଠିକ୍ ପରିଚୟ ଯାଞ୍ଚ କରି ଆଇନଗତ ପ୍ରକ୍ରିୟା ଏବଂ ଦୁଇ ଦେଶର ଚୁକ୍ତି ଅନୁସାରେ ହିଁ ସେମାନଙ୍କୁ ଦେଶରୁ ବାହାର କରାଯାଉଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଅନୁସାରେ, ସୀମାବର୍ତ୍ତୀ ଅଞ୍ଚଳର ହୋଲ୍ଡିଂ ସେଣ୍ଟରରୁ ପ୍ରାୟ ୪,୮୦୦ ବେଆଇନ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇ ସାରିଛି ଏବଂ ଅନ୍ୟ ୮୩୬ ଜଣଙ୍କୁ ପଠାଇବା ପ୍ରକ୍ରିୟା ଜାରି ରହିଛି ।