Latest Odisha News

BREAKING NEWS

ବ୍ୟାଙ୍କ ଅଫ୍ ଇଣ୍ଡିଆରୁ କୋଟି କୋଟି ଟଙ୍କା ଚେକ୍ କ୍ଲୋନିଂ ଠକେଇ, କିଏ ଏବଂ କେମିତି କରିଥିଲା?

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେକ୍ କ୍ଲୋନିଂ ମାମଲାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଅଭିଯୁକ୍ତ ପମେଶ ତେମ୍ଭରେଙ୍କୁ ଏପ୍ରିଲ ୨୬ ତାରିଖରେ ମଧ୍ୟପ୍ରଦେଶର ଏକ ଗାଁରୁ ଠାବ କରି ଗିରଫ କରାଯାଇଛି। ଏବେ ଓପିଆଇଡି ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ବିଚାର ହେବ।

ମୟୂରଭଞ୍ଜ ଭଞ୍ଜପୁର ପୁଲିସଠାରୁ ଇଓଡବ୍ଲ୍ୟୁ ମାମଲା ହାତକୁ ନେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ବାରିପଦା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ପ୍ରବନ୍ଧକ ମୟୂରଭଞ୍ଜ ଜିଲ୍ଲା ପରିଷଦ ର ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟର ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କାର ବେଆଇନ କାରବାର ହୋଇଥିବା ଅଭିଯୋଗ କରିଥିଲେ। ୨୦୨୪ ଏପ୍ରିଲ ୧୦ରୁ ଏପ୍ରିଲ ୧୮ ମଧ୍ୟରେ ୪ଟି ନକଲି ବା କ୍ଲୋନ୍ ଚେକ୍ ଜରିଆରେ ଏହି ଠକେଇ ଘଟଣା ଘଟିଥିଲା।

ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଟ୍ରଷ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରିପଦା ଶାଖାରେ ନିଜର ସଞ୍ଚୟ ଖାତା ରଖିଥାଏ। ଠକମାନେ ନିଜ ଠକେଇ ବିଦ୍ୟା ଜରିଆରେ ଦୁଇଟି ଭିନ୍ନ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିଥିଲେ। ପିଟି କନଷ୍ଟ୍ରକ୍ସନ ଆଣ୍ଡ୍ ସପ୍ଲାୟର୍ (ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ରହିଛି) ଏବଂ ଏସ୍ କେ ଏଣ୍ଟରପ୍ରାଇଜେସ୍ (ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କରେ ରହିଛି)।

ପରବର୍ତ୍ତୀ ସମୟରେ ବେଆଇନ ଭାବେ ଟ୍ରାନ୍ସଫର ହୋଇଥିବା ଟଙ୍କାକୁ ଆହୁରି ଏକାଧିକ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ୫,୦୪,୦୬,୯୦୦ ଟଙ୍କା ସଫଳତାର ସହ ବ୍ଲକ୍ ହୋଇଥିବା ବେଳେ ୩୩ଟି ଆକାଉଣ୍ଟରେ ୧୩,୫୬,୯୪୮ ଟଙ୍କା ଫ୍ରିଜ୍ କରାଯାଇଛି।

ଅଭିଯୁକ୍ତ ପମେଶ ତେମ୍ଭରେ ପିଟି କନଷ୍ଟ୍ରକସନ୍ ଆଣ୍ଡ୍ ସପ୍ଲାୟର୍ସର ମାଲିକ ଓ ଦସ୍ତଖତକାରୀ କର୍ତ୍ତୃପକ୍ଷ ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆକାଉଣ୍ଟକୁ ବେଆଇନ ଭାବେ ୨ କୋଟି ୬୮ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଛି। ଦସ୍ତଖତକାରୀ କର୍ତ୍ତୃପକ୍ଷ ଭାବରେ, ଟେମ୍ଭରେ ନିଜେ ଟଙ୍କା ଉଠାଇବା ବ୍ୟତୀତ ଅନ୍ୟ ବିଭିନ୍ନ ଆକାଉଣ୍ଟକୁ ଅତିରିକ୍ତ ସ୍ଥାନାନ୍ତର / ଡାଇଭର୍ସନ୍ ଯୋଜନା କରିଥିଲେ।

ଏହି ଘଟଣା ପରେ ପମେଶ ତେମ୍ଭରେ ନିଜ ମୋବାଇଲ୍ ଫୋନକୁ ବନ୍ଦ ରଖି ଲୁଚି ଯାଇଥିଲେ। ଇଓଡବ୍ଲ୍ୟୁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ସହଯୋଗରେ ନକ୍ସଲ ପ୍ରଭାବିତ ଏକ ଗ୍ରାମରେ ତାଙ୍କୁ ସଫଳତାର ସହ ଠାବ କରି ଗିରଫ କରିଛି।

ଗିରଫ ଅଭିଯୁକ୍ତ ଏକ ବୃହତ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ଯାହାର ଏକ ଜଟିଳ ନେଟୱର୍କ ଛତିଶଗଡ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବ୍ୟାପିଛି । ଚେକ୍ କ୍ଲୋନିଂ, ବହୁସ୍ତରୀୟ ଟଙ୍କା ଟ୍ରାନ୍ସଫର ଏବଂ ଏକାଧିକ ଖଚର ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ସମେତ ସୁଚିନ୍ତିତ ଭାବେ ଯୋଜନାବଦ୍ଧ ଠକେଇ ସେମାନଙ୍କ କାର୍ଯ୍ୟପ୍ରଣାଳୀରେ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.