Latest Odisha News

BREAKING NEWS

ବିପଦ ସଙ୍କେତ ଉପରେ ବଂଶଧାରା ଜଳସ୍ତର, ଗଜପତି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ

କାଶୀନଗର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ି ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି ।

ଅନ୍ୟପକ୍ଷରେ ଗଜପତି ଜିଲ୍ଲା କାଶୀନଗରଠାରେ ଥିବା ବଂଶଧାରା ନଦୀ ଉପରମୁଣ୍ଡରେ ଥିବା ଗୁଡ଼ାରୀ, ଗୁଣୁପୁର, କୁଟାଗଡ଼, ମୋହନା, ମହେନ୍ଦ୍ରଗଡ଼ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ବର୍ତ୍ତମାନ କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହିଠାରେ ବିପଦ ସଙ୍କେତ ୫୩.୬୦ ମିଟର ଥିବା ବେଳେ ବନ୍ୟା ଜଳସ୍ତର ୫୩.୭୧ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବାର କେନ୍ଦ୍ରୀୟ ଦଳ ଆୟୋଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ଫଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେବାରେ ଲାଗି ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି ।

ତେବେ କାଶୀନଗର ତଳମୁଣ୍ଡରେ ପଡ଼ୋଶୀ ଆନ୍ଧ୍ରର ଗୋଟା ବ୍ୟାରେଜର ୨୨ଟି ଗେଟ୍ ଖୋଲିଦେବା ଦ୍ୱାରା ଏହି ଗେଟ ଦେଇ ପ୍ରତି ସେକେଣ୍ଡରେ ୧୬ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗୋଟା ବ୍ୟାରେଜ ସୂତ୍ରରୁ ଜଣାପଡ଼ିଛି ପ୍ରତି ସେକେଣ୍ଡରେ ଗୋଟା ବ୍ୟାରେଜରେ ୧୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ।

କାଶୀନଗର ବଂଶଧାରା ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥି୍ିତିକୁ ଦୃଷ୍ଟିରେ ରଖି ଦୁଇଦିନ ହେଲା କାଶୀନଗର ଠାରେ ମୁଣ୍ଡୁଳିରୁ ଏଣ୍ଡିଆରଏଫ ଇନିସପେକ୍ଟର ଚଣ୍ଡେଶ୍ୱର ପ୍ରସାଦଙ୍କ ନେତୃତ୍ୱରେ ଏସଆଇ ଗ୍ୟାନେନ୍ଦ୍ର ପ୍ରଧାନ ଓ ଏସଆରଆରପି ମୀନାଙ୍କ ସମେତ ୨୫ ଜଣ ଏଣ୍ଡଆରଏଫ ଜବାନ ଉଦ୍ଧାର କାର୍ଯ୍ୟ ଲାଗି ସତର୍କ ହୋଇ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.