ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ସାରା ଦେଶରେ ‘ବସନ୍ତ ପଞ୍ଚମୀ’ ଭାବେ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ ଏହି ଦିନରୁ ବସନ୍ତ ଋତୁର ଆଗମନ ହୋଇଥାଏ।
ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ସାହିତ୍ୟ ଏବଂ ସଙ୍ଗୀତ ପ୍ରେମୀଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ୱ ମଧ୍ୟ ରହିଛି। ଜ୍ଞାନ ଦେବୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଏକ ପବିତ୍ର ପର୍ବ ଭାବରେ ବିବେଚନା କରାଯାଇଥାଏ। ଖାସକରି ଏହି ଦିନରୁ ପିଲାମାନଙ୍କୁ ପାଠ ପଢାଇବା ଶୁଭ ବୋଲି ବିବେଚନା କରାଯାଏ। ଏପରିକି ସଂଗୀତଜ୍ଞମାନେ ଏହି ଦିନ ସେମାନଙ୍କର ବାଦ୍ୟଯନ୍ତ୍ର ପୂଜା କରନ୍ତି।
ବିଶ୍ୱାସ କରାଯାଏ, ଏହି ଦିନ ଜ୍ଞାନର ଦେବୀ ସରସ୍ୱତୀ ହାତରେ ଏକ ବୀଣା, ପୁସ୍ତକ ଏବଂ ପୁଷ୍ପମାଲ୍ୟରେ ଧରାବତରଣ କରିଥିଲେ। ଏହି କାରଣରୁ ଭାରତୀୟ ସଂସ୍କୃତିରେ ଏହି ଦିନ ଲୋକମାନେ ଜ୍ଞାନର ଦେବୀ ସରସ୍ୱତୀଙ୍କୁ ପୂଜା କରିଥାନ୍ତି।
ବସନ୍ତ ପଞ୍ଚମୀକୁ ମଧ୍ୟ ‘ବାସନ୍ତୋତ୍ସବ’, ‘ମଦନୋତ୍ସବ’, ‘କାମୋତ୍ସବ’ ପର୍ବ ପାଳନ କରାଯାଇଥାଏ।
ଆହୁରି ମଧ୍ୟ ବସନ୍ତ ପଞ୍ଚମୀଙ୍କୁ ‘ଶ୍ରୀ ପଞ୍ଚମୀ’ କୁହାଯାଇଥାଏ। ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ। ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ।
କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି। କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି। ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ, ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଯେଉଁମାନଙ୍କର ବିବାହ ହେଇପାରୁନି, ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।