Latest Odisha News

BREAKING NEWS

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି କି ବାତ୍ୟା ‘ଅର୍ଣ୍ଣବ’?

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି, ଯାହାକୁ ନେଇ ଓଡ଼ିଶା ଉପକୂଳରେ ପୁଣି ଥରେ ବାତ୍ୟା ଭୟ ଖେଳିଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ତାଜା ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଥିବା ଏହି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଅଧିକ ସକ୍ରିୟ ହେଉଛି । ସେପ୍ଟେମ୍ବର ୨୧ ତାରିଖ ବେଳକୁ ଏହା ଏକ ଅବପାତ ଏବଂ ୨୨ ତାରିଖ ସୁଦ୍ଧା ଏକ ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଅତି ନିକଟବର୍ତ୍ତୀ ହେବାର ସମ୍ଭାବନା ରହିଛି ।

ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ଆକଳନକାରୀ ସଂସ୍ଥା ଏବଂ ମଡେଲ୍‌ ଅନୁମାନ କରୁଛନ୍ତି ଯେ, ଏହି ସିଷ୍ଟମ୍‌ଟି ସମ୍ଭବତଃ ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଯଦି ଏହା ବାତ୍ୟାର ରୂପ ନିଏ, ତେବେ ପୂର୍ବ ନିର୍ଦ୍ଧାରିତ ତାଲିକା ମୁତାବକ ବାଂଲାଦେଶ ଦ୍ୱାରା ଦିଆଯାଇଥିବା ନାମ ‘ଅର୍ଣ୍ଣବ’ ଅନୁସାରେ ଏହାକୁ ନାମିତ କରାଯିବ ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ, ବାତ୍ୟା ସୃଷ୍ଟି ହେବା ନେଇ ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ କିମ୍ବା ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ । ବର୍ତ୍ତମାନର ଗତିବିଧି ଅନୁଯାୟୀ ଏହା ଏକ ଗଭୀର ଅବପାତ ଭାବରେ ଉପକୂଳ ନିକଟରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ଏହି ଲଘୁଚାପ ଓ ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ବଦଳିଯିବ ଏବଂ ପ୍ରବଳ ବର୍ଷା ହେବ। ମଙ୍ଗଳବାରଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ, ବିଶେଷ କରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ବୁଧବାର ଓ ଗୁରୁବାର ଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଶୁକ୍ରବାର ଦିନ ଅତ୍ୟଧିକ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ବର୍ଷା ସହିତ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ସେପ୍ଟେମ୍ବର ମାସରେ ସାଧାରଣତଃ ସମୁଦ୍ରରେ ବାୟୁର ପ୍ରତିକୂଳ ସ୍ଥିତି ଯୋଗୁଁ ବାତ୍ୟା ସୃଷ୍ଟି ହେବାର ଆଶଙ୍କା କମ୍ ରହିଥାଏ। କିନ୍ତୁ ୨୦୨୧ ମସିହାରେ ଠିକ୍ ଏହି ସମୟରେ ବାତ୍ୟା ‘ଗୁଲାବ’ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ଏହି ଇତିହାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର କୌଣସି ପ୍ରକାର ଢିଲାପଣ ପ୍ରଦର୍ଶନ କରିବାକୁ ଚାହୁଁନାହାନ୍ତି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.