Latest Odisha News

BREAKING NEWS

ସୌମ୍ୟ ବାବୁଙ୍କର ସାହାସ ଅଛି, ସେ ସତକଥା ସାମ୍ନାକୁ ଆଣିଛନ୍ତି-ସାଂସଦ ଅପରାଜିତା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାହାସ ଅଛି । ସେ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ରହିଛି । ଜ୍ଞାନ ରହିଛି । ସେ ଭଲ ଲେଖାଲେଖି କରନ୍ତି । ସେ  ସାହାସ କରି ସତ କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏମିତି କହି ସୌମ୍ୟଙ୍କ ସମର୍ଥନ ଦେଲେ ସାଂସଦ ଅପରାଜିତା ।

ନିଜ ଦଳରେ ବିବାଦରେ ଫସି ଯାଇଥିବା ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ମିଳୁଛି ବିରୋଧୀ ଦଳର ସମର୍ଥନ । ପୂର୍ବରୁ ପିସିସି ସଭାପତି  ଶରତ ପଟ୍ଟନାୟକ ସୌମ୍ୟରଞ୍ଜନଙ୍କୁ  ଏ ନେଇ ସମର୍ଥନ କରିଥିବାବେଳେ ବିଜେପି ବିଧାୟକ ଦଳ ନେତା ଜୟନାରାଣ ମିଶ୍ର ମଧ୍ୟ ସମର୍ଥନ କରିଥିଲେ ।

ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୌମ୍ୟ ପଟ୍ଟନାୟକଙ୍କୁ ଜଣେ ସାହାସୀ, ସ୍ୱାଭିମାନୀ ଲୋକ ବୋଲି କହିବା ସହ ସତ ସାମ୍ନାକୁ ଆଣିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୌମ୍ୟ ପଟ୍ଟନାୟକଙ୍କର ଏକ ଲେଖାକୁ ନେଇ ବିଜେଡି ହଇଚଇ ସୃଷ୍ଟି ହୋଇଯାଇଛି । ଲେ୍ଖା ପ୍ରକାଶ ପାଇବାର ୧୫ ଦିନ ପରେ ଦଳର ନେତାମାନେ ବିଧାୟକ ସୌମ୍ୟଙ୍କୁ କଡା ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଏ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ  ସାସଂଦ ଅପରାଜିତା ବିଜେଡି ଉପରେ ବର୍ଷିଛନ୍ତି । ସାଂସଦ କହିଛନ୍ତି, ଯଦିଓ ଏ ପ୍ରସଙ୍ଗ ବିଜେଡିର ଦଳୀୟ ପ୍ରସଙ୍ଗ  ତେବେ ଜଣେ ସାଧାରଣ ନାଗରିକ ଭାବେ ଏକଥା କହିବି, ‘ ସୋମ୍ୟ ବାବୁ ସାହସର ସହ ଯେଉଁ ସତକୁ ସାମ୍ନାକୁ ଆଣିଛନ୍ତି, ବିଜେଡି ନେତାମାନେ ସକରାତ୍ମକ ଭାବେ ଏହାକୁ ଗ୍ରହଣ କରି ବିଚାର କରିବା  ଅନୁକରଣ କରିବାର କଥା । ଏହା କରିପାରିଥିଲେ, ଗଭର୍ଣ୍ଣାନ୍ସ ମଡେଲକୁ ନେଇ ଯେପରି ,  ବିଜେଡି ଉପହସିତ ହେଉଛି ସେପରି ହୋଇ ନ ଥାନ୍ତା ।

ଦଳ ତାର ସ୍ୱାଭିମାନ, ମର୍ଯ୍ୟାଦା ହରାଇ ସାରିଲାଣି । ତେଣୁ ସୌମ୍ୟ ବାବୁଙ୍କ କଥାକୁ ସକାରାତ୍ମକ ଭାବେ ଦଳ ଗ୍ରହଣ  କରୁନି ବୋଲି କହିଛନ୍ତି ସାଂସଦ ଅପରାଜିତା ।

ସୂଚନାଥାଉ କି, ସମ୍ବାଦ ଖବରକାଗଜର ସମ୍ପାଦକ  ସୌମ୍ୟ ପଟ୍ଟନାୟକଙ୍କର ଏକ ସମ୍ପାଦକକୁ ନେଇ ପ୍ରଥମେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ନାଁ ନ ନେଇ ଟ୍ୱିଟ୍ କରି ସମାଲୋଚନା କରିଥିଲେ । ୨୦୧୯ରେ ସୌମ୍ୟ କିପରି ବିଧାୟକ ଟିକଟ ପାଇଁ ନବୀନ ନିବାସରେ ଅନୁରୋଧ କରିଥିଲେ, ବିଧାୟକ ହେବା ପରେ ତାଙ୍କର ମନ୍ତ୍ରୀ ହେବାର ଇଚ୍ଛା ଅଛି ବୋଲି କିପରି ଅନୁରୋଧ କରୁଥିଲେ ସେ ବିଷୟରେ କହି କଟାକ୍ଷ କରିଥିଲେ ।

ଗତକାଲି  ସମାନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ ସୌମ୍ୟଙ୍କ କଡା ସମାଲୋଚନା କରି କହିଥିଲେ, ସୌମ୍ୟରଂଜନ ଆଜିକାଲି ବିଚଳିତ ଅବସ୍ଥାରେ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି ମାଟି, ପାର୍ଟି କଥା କହୁଛନ୍ତି । ମନ୍ତ୍ରୀ ହେବାର ସ୍ୱପ୍ନ ଭାଙ୍ଗିଯିବା ପରେ ହତାଶ ହୋଇ ସୌମ୍ୟ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।

ଅରୁଣ ସାହୁଙ୍କ ପରେ ପରେ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ ସୌମ୍ୟ ପଟ୍ଟନାୟକଙ୍କ ବୟାନକୁ ଦଳ ବିରୋଧୀ କାମ ବୋଲି କହିବା ସହ  ସୌମ୍ୟ ବାବୁ ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, ଯଦି ୫ଟି ସଚିବ ସବୁ ଜିଲ୍ଲା ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗର ସମାଧନା କରୁଛନ୍ତି ତେବେ ଏଥିରେ ସମସ୍ୟା କେଉଁଠି ରହିଲା ? ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ଲୋକଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ଅତନୁ ।

ଅନ୍ୟପକ୍ଷେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ  ଆଜି ସୌମ୍ୟଙ୍କୁ ସମାଲୋଚନ କରି କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ  ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ ବୋଲି କୁହାଯାଇପାରେ ବୋଲି କହିଛନ୍ତି ମନ୍ତ୍ରୀ ।  ଯଦି ସମାଲୋଚନା କରିବାର ଅଛି, ତାହା ହେଲେ ଦଳରୁ ବାହାରିଯାଇ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.