Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ପଦରୁ ବିଦା ହେବେ ଚେତନ ଶର୍ମା!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଫେବ୍ରୁଆରି ୧୭ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଜାତୀୟ ଗଣମାଧ୍ୟମ ‘ଜି ନ୍ୟୁଜ’ର ଏକ ଷ୍ଟିଙ୍ଗ ଅପରେସନରେ ବଡ଼ ବୟାନ ଦେଇଛନ୍ତି। ଯାହା ବିସିସିଆଇ ସମେତ ଅନେକ ଖେଳାଳିଙ୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ କହିଛନ୍ତି ‘ଭାରତୀୟ ଟିମର ଖେଳାଳି ଫିଟ ରହିବାକୁ ଇଞ୍ଜେକସନ ନିଅନ୍ତି’।

ମିଳିଥିବା ସୂଚନା ଅନୁସାରେ ଜାତୀୟ ଦଳର ଚୟନକର୍ତ୍ତା ଭାରତୀୟ କ୍ରିକେଟ୍ ବୋର୍ଡ ଦ୍ୱାରା ଅନୁବନ୍ଧିତ ହୋଇଥିବାରୁ ଏବଂ ଦଳ ସମ୍ବନ୍ଧୀୟ ବିଷୟ ଉପରେ ସର୍ବସାଧାରଣରେ ଆଲୋଚନା କରିବାକୁ ଅନୁମତି ନଥିବାରୁ ବିସିସିଆଇ ଏ ଦିଗରେ ଦୃଷ୍ଟି ଦେଉଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଥିସହ ଚେତନ ଶର୍ମାଙ୍କ ଭବିଷ୍ୟତ ଉପରେ ବିସିସିଆଇ ସଚିବ ଜୟ ଶାହ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଏବେ ବିସିସିଆଇର ଅଧିକାରୀମାନେ ଜି ନ୍ୟୁଜର ଷ୍ଟିଙ୍ଗ୍ ଅପରେସନ୍ ବାବଦରେ ସ୍ପଷ୍ଟୀକରଣ ରଖିପାରନ୍ତି। ଏହି ଘଟଣାରେ ବିସିସିଆଇର କୋଷାଧ୍ୟକ୍ଷ ଆଶିଷ ଶେଲାର କହିଛନ୍ତି ଯେ ବିସିସିଆଇ ଖୁବ ଶୀଘ୍ର ଏ ନେଇ ବିବୃତ୍ତି ଜାରି କରିବ। ପରେ ସେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଚେତନ ଶର୍ମାଙ୍କ ପଦ ଯିବା ପ୍ରାୟ ନିଶ୍ଚିତ। ବିସିସିଆଇ ଏହି ବିଷୟରେ ଚେତନ ଶର୍ମାଙ୍କ ସହ କଥା ହୋଇଛି ଏବଂ ତାଙ୍କଠାରୁ ଉତ୍ତର ମାଗିଛି।

ବିସିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି ଆହୁରି ମଧ୍ୟ କହିଛନ୍ତି, ପ୍ରଶ୍ନ ହେଉଛି ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଦଳ ଚୟନ ବୈଠକରେ ଚେତନଙ୍କ ସହ ବସିବାକୁ ପସନ୍ଦ କରିନପାରନ୍ତି। କାରଣ ଏଭଳି ଆଚରଣ ରଖୁଥିବା ବ୍ୟକ୍ତି ଦଳର କିମ୍ବା ବୋର୍ଡର ଆଭ୍ୟନ୍ତରୀଣ ସୂଚନା ସାର୍ବଜନୀନ କରିପାରନ୍ତି। କେବଳ ବିସିସିଆଇ ପାଇଁ ନୁହେଁ, ଭାରତର ସମସ୍ତ କ୍ରିକେଟ୍ ଜଗତ ପାଇଁ ଏହା ଏକ ଲଜ୍ଜାଜନକ ଖବର ବୋଲି ସେ କହିଛନ୍ତି।

ନିକଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦ୍ବିତୀୟ ଥର ପାଇଁ ଚେତନ ଶର୍ମା ନିଯୁକ୍ତି ପାଇଥିଲେ। ଏହାପରେ ଚେତନ ଶର୍ମା ଏକ ଷ୍ଟିଙ୍ଗ୍ ଅପରେସନରେ କହିଛନ୍ତି, ଭାରତୀୟ କ୍ରିକେଟର ଫିଟ୍ ରହିବା ପାଇଁ ଇଞ୍ଜେକସନ୍ ନିଅନ୍ତି ଏବଂ ସେ ଜାଣନ୍ତି କେଉଁ ଇଞ୍ଜେକସନ୍ ନେଲେ ଡୋପ୍ ଟେଷ୍ଟରେ ଧରାପଡ଼ିବେ ନାହିଁ। ସେହିପରି ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ବଡ଼ ବିବାଦ ଥିବା ସେ ଦାବି କରିଛନ୍ତି। ଏଥିସହ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦଳରୁ ବାଦ ଦେବା ପାଇଁ ବିଶ୍ରାମ ଦିଆଯିବା ଏକ ବାହାନା।

 

Leave A Reply

Your email address will not be published.