Latest Odisha News

BREAKING NEWS

ଅବଶିଷ୍ଟ ଆସନ ଘୋଷଣା ପୂର୍ବରୁ ତିନି ଦଳ ମଧ୍ୟରେ ଛକାପଞ୍ଝା, ଜାଣନ୍ତୁ କେଉଁ ଦଳକୁ କ’ଣ ଚିନ୍ତା?

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେତେକ ଆସନରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। କାରଣ ଏଭଳି କିଛି ଆସନ ରହିଛି ଯେଉଁଠି ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ରଘୁନାଥପଲ୍ଲୀ, ହିନ୍ଦୋଳ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା, ବାଙ୍ଗିରିପୋଷି, ଭୋଗରାଇ, ନୀଳଗିରି, ବରୀ, କୋରେଇ, ବାଲିକୁଦା-ଏରସମା ଓ କାକଟପୁର ବିଧାନସଭା ଆସନ ପାଇଁ ଶାସକ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ଜୟପୁର, ତେଲକୋଇ, ଘସିପୁରା, ଚମ୍ପୁଆ, ହିନ୍ଦୋଳ, ବାରବାଟୀ-କଟକ, ବେଗୁନିଆ, ଖୋର୍ଦ୍ଧା, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ସାଲେପୁର ଓ କେନ୍ଦ୍ରାପଡ଼ା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।

ଅନ୍ୟପକ୍ଷରେ ଛତ୍ରପୁର, ପାଲଲହଡା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡ଼ଚଣା, ଜଗତସିଂହପୁର ଓ କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ସେହିପରି କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଦଳକୁ ପ୍ରାର୍ଥୀ ଘୋଷଣା କରିନି।

ବିଜେଡିକୁ ନିର୍ବାଚିତ ବିଧାୟକଙ୍କ ଟିକେଟ୍ କାଟିଲେ ବିଦ୍ରୋହ ଭୟ

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ଏହି ନିର୍ବାଚନ ମଣ୍ଡଳୀର ଅଧିକାଂଶ ବିଧାୟକଙ୍କୁ ବଦଳାଇବାକୁ ବିଚାର କରୁଛି। ଏବଂ ତେଣୁ ପ୍ରାର୍ଥୀ ଚୟନରେ ବା ଟିକେଟ ବଣ୍ଟନ ପ୍ରକ୍ରିୟାରେ ବିଳମ୍ବ ହେଉଛି। ରଘୁନାଥପଲ୍ଲୀ ଆସନ ପାଇଁ ବିଧାୟକ ସୁବ୍ରତ ତରାଇଙ୍କ ବ୍ୟତୀତ ପ୍ରଶାନ୍ତ ସେଠୀ ଓ ଜଗବନ୍ଧୁ ବେହେରା ରେସରେ ଅଛନ୍ତି। ହିନ୍ଦୋଳ ପାଇଁ ବର୍ତ୍ତମାନର ବିଧାୟକ ସୀମାରାଣୀ ନାୟକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବେଗୁନିଆରେ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ (୨୦୧୯ରେ କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ; ସେ ବିଜେଡିରେ ଯୋଗ ଦେଇଛନ୍ତି) ଏବଂ ଭୋଗରାଇରେ ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଓ ଗୌତମ ବୁଦ୍ଧ ଦାସ।

ସେହିପରି ବରୀ, ବାଲିକୁଦ ଓ କାକଟପୁରର ବର୍ତ୍ତମାନର ବିଧାୟକଙ୍କୁ ବଦଳାଇବାକୁ ଚାହୁଁଛି କାରଣ ସେମାନଙ୍କ ସର୍ଭେ ରିପୋର୍ଟ ଉତ୍ସାହଜନକ ନୁହେଁ। ତଥାପି ପ୍ରଭାବଶାଳୀ ବିକଳ୍ପ ଖୋଜିବା ପାଇଁ ସଂଘର୍ଷ କରୁଛି ଏବଂ ଏହି ଆସନ ଗୁଡ଼ିକୁ ଯଥାସମ୍ଭବ ଝୁଲାଇ ରଖିବାକୁ ଚାହୁଁଛି।

୨୦୧୯ରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ବିଜେପି ଉପରେ ଅସନ୍ତୁଷ୍ଟ ଥିବାରୁ ଖୋର୍ଦ୍ଧା ଉପରେ ମଧ୍ୟ ବିଜେଡିର ତୀକ୍ଷ୍ଣ ନଜର ରହିଛି। ପରିସ୍ଥିତି କେମିତି ଉପୁଜୁଛି ତାହାକୁ ଦେଖି ଦଳ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର କରିପାରେ। ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ଭାଗ୍ୟ ମଧ୍ୟ ଅଧାରେ ଝୁଲୁଛି।

ଆକାଶ ଦାସ ନାୟକ ବିଜେପିରେ ଯୋଗ ଦେବା ପରେ ଯାଜପୁର ରାଜନୀତିରେ ପ୍ରଭାବ ପକାଇଥିବା ଦୁଇଟି ପ୍ରମୁଖ ଗୋଷ୍ଠୀ କୋରେଇ ଆସନ ପାଇଁ ଲବି କରୁଥିବାରୁ ଦଳ ମଧ୍ୟ ଅଡୁଆରେ ପଡ଼ିଛି।

ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଯୋଜନା ଉପରେ ମଧ୍ୟ ନଜର ରଖାଯାଇଛି।

କଂଗ୍ରେସକୁ ବରିଷ୍ଠ ନେତାଙ୍କ ଚିନ୍ତା

ଦଳର ଅନେକ ନେତା ଅନ୍ୟ ଦଳକୁ ଡେଇଁବା ପରେ କଂଗ୍ରେସ ଏବେ ସମ୍ଭାବ୍ୟ ପ୍ରାର୍ଥୀ ଖୋଜୁଛି। ଏବଂ ପ୍ରତିଦ୍ୱନ୍ଦ୍ୱୀ ଦଳରୁ କିଛିଙ୍କୁ ଆଣିବାକୁ ଲକ୍ଷ୍ୟ ରଖିଛି। ଯେପରିିକି କେନ୍ଦ୍ରାପଡା ଆସନ ପାଇଁ ବିଜେଡି ଛାଡି ଆସିଥିବା ନେତ୍ରୀ ସିପ୍ରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ବଡ଼ଚଣାର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ଓ ଜଗତସିଂହପୁରର ହେଭିୱେଟ୍ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିଥିବାରୁ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସମ୍ଭାବନା ଦୁର୍ବଳ ହୋଇଛି। ସେହିପରି ୨୦୧୯ରେ କାକଟପୁରରୁ ଦଳୀୟ ପ୍ରାର୍ଥୀ ହୋଇଥିବା ବିଶ୍ୱଭୂଷଣ ଦାସ ବିଜେପିରେ ଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ଜଳେଶ୍ୱର ଆସନ ପାଇଁ ସୁଦର୍ଶନ ଦାସଙ୍କ ସମେତ ଏକାଧିକ ଆଶାୟୀ ଲବି କରୁଛନ୍ତି। ବାଲେଶ୍ୱରର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଜଳେଶ୍ୱର, ବାଲେଶ୍ୱର ସଦର ଓ ନୀଳଗିରିରେ ବିଜୟୀ ସମ୍ଭାବନା ସମେତ ବିଭିନ୍ନ କାରଣକୁ ଆଧାର କରୁଛି ଦଳ। କାରଣ ଏହା ସେହି ଅଳ୍ପ କେତୋଟି ଆସନ ମଧ୍ୟରୁ ଅନ୍ୟତମ ଯେଉଁଠାରେ କଂଗ୍ରେସ ବିଜୟ ସମ୍ଭାବନା ରଖୁଛି।

ସେହିପରି ଏଚଆରଡିସି ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ବାରବାଟୀ-କଟକ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।

ପ୍ରତିପକ୍ଷ ଦଳର ରଣନୀତିକୁ ଅପକ୍ଷା କରିଛି ବିଜେପି

ଅଧିକାଂଶ ସ୍ଥାନରେ ବିଜେପି ପାଖରେ ଭଲ ପ୍ରାର୍ଥୀ ନାହାନ୍ତି କିମ୍ବା ବିଜେଡିର ପଦକ୍ଷେପକୁ ଅପେକ୍ଷା କରିଛି। ବାରବାଟୀ-କଟକ ଆସନକୁ ନେଇ ଦୁଇ ଦଳ ବଦଳକାରୀ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ ଏବଂ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ନିକଟରେ ବିଜେପି ଶିବିରରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ବେଗୁନିଆ ଓ ଖୋର୍ଦ୍ଧାରେ ଦଳ ସତର୍କତା ଅବଲମ୍ବନ କରୁଛି।

ବସ୍ତା ଓ କେନ୍ଦ୍ରାପଡ଼ାରେ ମଧ୍ୟ ବିଜେଡି ଅସନ୍ତୁଷ୍ଟଙ୍କୁ ଖୋଜୁଛି ବିଜେପି। ମହିଳା କାର୍ଡ ଖେଳି ବିଜେପି ବସ୍ତାରୁ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁବାଶିନୀ ଜେନାଙ୍କୁ ପ୍ରାର୍ଥୀ କରିଛି। ସେହିପରି ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ାରୁ ବିଧାୟକ ପ୍ରାର୍ଥୀ କରିବା ପରେ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇଥିବା କିଶୋର ଚନ୍ଦ୍ର ତରାଇଙ୍କୁ ବିଜେପି ପ୍ରାର୍ଥୀ କରିପାରେ।

ଢେଙ୍କାନାଳ ଲୋକସଭା ଆସନରୁ ଟିକେଟ ନ ମିଳିବାରୁ ବିଜେଡି ହିନ୍ଦୋଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ଯଦି ମହେଶ ସାହୁ ଟିକେଟ୍ ପାଇବାରେ ସଫଳ ହୁଅନ୍ତି, ତେବେ ବିଜେପି ବର୍ତ୍ତମାନର ବିଧାୟକ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିବାକୁ ଚେଷ୍ଟା କରିପାରେ। ଅନ୍ୟପଟେ ହିନ୍ଦୋଳରୁ ୩ ଥର ପୂର୍ବତନ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଥିବା ଅଞ୍ଜଳି ବେହେରା ମଧ୍ୟ ଏହି ଆସନ ପାଇଁ ଆଶାୟୀ ଅଛନ୍ତି।  ନୀଳଗିରିରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ବିଧାୟକ ସୁକାନ୍ତ ନାୟକଙ୍କ ସ୍ଥାନରେ ଦଳ ପ୍ରାର୍ଥୀ ଖୋଜୁଛି।

ସେପ୍ଟେମ୍ବର ୨୦୨୩ରେ ବିଜେଡି ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିରେ ଯୋଗ ଦେଇ ଘସିପୁରାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡି ମଧ୍ୟ ସୌମ୍ୟଙ୍କ ଗତିବିଧି ଉପରେ ନଜର ରଖିଥିବାରୁ ଏପର୍ଯ୍ୟନ୍ତ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

Leave A Reply

Your email address will not be published.