Latest Odisha News

BREAKING NEWS

ପାକିସ୍ତାନକୁ ପ୍ରତିରକ୍ଷା ଜ୍ଞାନକୌଶଳ ନଦେବାକୁ ଭାରତକୁ ବେଲଜିୟମର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପାକିସ୍ତାନ ସହିତ କୌଣସି ପ୍ରକାରର ସାମରିକ କିମ୍ବା ପ୍ରତିରକ୍ଷା ସହଯୋଗ କରାଯିବ ନାହିଁ ଏବଂ କୌଣସି ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରାଯିବ ନାହିଁ ବୋଲି ବେଲଜିୟମ ଭାରତକୁ ସ୍ପଷ୍ଟ ଆଶ୍ୱାସନା ଦେଇଛି। ନୂଆଦିଲ୍ଲୀଠାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବେଲଜିୟମର ପ୍ରତିରକ୍ଷା ଓ ଥିଓ ଫ୍ରାଙ୍କେନଙ୍କ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଏହି ପ୍ରତିଶ୍ରୁତି ମିଳିଛି।

ବୈଠକ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବେଲଜିୟମର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ ପାକିସ୍ତାନ ହାତକୁ ଯିବାର ସମ୍ଭାବନାକୁ ନେଇ ଭାରତର ଗଭୀର ଚିନ୍ତା ପ୍ରକଟ କରିଥିଲେ। ଏହା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ପାଇଁ ଭାରତର ସୁରକ୍ଷା ଓ ସମ୍ବେଦନଶୀଳତାକୁ ଧ୍ୟାନରେ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏହାର ଉତ୍ତରରେ ବେଲଜିୟମ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବେଲଜିୟମ ଭାରତ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ପାକିସ୍ତାନ ସହିତ କୌଣସି ସାମରିକ ସହଯୋଗର ପ୍ରଶ୍ନ ହିଁ ଉଠୁନାହିଁ।

୧୦ଟି ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି:

ଏହି ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ଓ ସାମରିକ ସହଯୋଗକୁ ଆଗକୁ ନେବା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ସମ୍ମତି ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିଗୁଡ଼ିକ ଅଧୀନରେ ରକେଟ୍, ସାମରିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍ ନିରୋଧୀ ପ୍ରଯୁକ୍ତିବିଦ୍ୟା, ନୌସେନା ମାଇନ୍ ୱାରଫେୟାର୍ ଏବଂ ସାମରିକ ଯାନବାହନ ପାଇଁ ଆବଶ୍ୟକୀୟ ଉପକରଣ ମିଳିତ ଭାବେ ନିର୍ମାଣ କରାଯିବ।

‘ମେକ୍ ଇନ୍ ଇଣ୍ଡିଆ’କୁ ମିଳିବ ବଳ:

ଏହି ମିଳିତ ସହଯୋଗ ମାଧ୍ୟମରେ ବେଲଜିୟମର ଆଧୁନିକ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ମେକ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ରେ ଦୁଇ ଦେଶ ଏକାଠି କାମ କରିବେ। ଏହା ଦ୍ୱାରା ଆଗାମୀ ଦିନରେ ଦୁଇ ଦେଶର କୂଟନୈତିକ ଓ ସାମରିକ ସମ୍ପର୍କ ଆହୁରି ସୁଦୃଢ଼ ହେବା ସହ ଭାରତ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବ।

Leave A Reply

Your email address will not be published.