ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦିନ ପୁଣି ଏକ ଐତିହାସିକ ସଫଳତା ହାସଲ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ପ୍ରଥମ ‘ଜିଓ-ଇମେଜିଂ ସାଟେଲାଇଟ୍’ ତଥା ଅତ୍ୟାଧୁନିକ ଅର୍ଥ ଅବଜରଭେସନ୍ ସାଟେଲାଇଟ୍ (EOS-05) କୁ ସଫଳତାର ସହ ଲଞ୍ଚ କରାଯାଇଛି ।
୨୭ ଘଣ୍ଟିଆ କାଉଣ୍ଟଡାଉନ୍ ଶେଷ ହେବା ପରେ, ଶୁକ୍ରବାର ଭୋର୍ ୨ଟା ୫୫ ମିନିଟ୍ରେ ଲଞ୍ଚ ପ୍ୟାଡ୍-୨ ରୁ ବିଶାଳକାୟ GSLV-F17 ରକେଟ୍ ସାହାଯ୍ୟରେ ଏହି ଉପଗ୍ରହ ମହାକାଶକୁ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର ପ୍ରାୟ ୧୮ ମିନିଟ୍ ପରେ ରକେଟ୍ ନିଜର ତୃତୀୟ ପର୍ଯ୍ୟାୟ ତଥା ସ୍ୱଦେଶୀ କ୍ରାୟୋଜେନିକ୍ ଷ୍ଟେଜ୍ ଅତିକ୍ରମ କରି ଉପଗ୍ରହଟିକୁ ସଠିକ୍ ଭାବେ ନିର୍ଦ୍ଧାରିତ କକ୍ଷପଥରେ (ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍) ସ୍ଥାପିତ କରିବାରେ ସକ୍ଷମ ହୋଇଥିଲା ।
ଏହି ଅତ୍ୟାଧୁନିକ ଉପଗ୍ରହ ପୃଥିବୀ ପୃଷ୍ଠରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚରେ (ଜିଓସିଙ୍କ୍ରୋନସ୍ ଅର୍ବିଟ୍) ଅବସ୍ଥାପିତ ରହିବ ଏବଂ ପୃଥିବୀର ଘୂର୍ଣ୍ଣନ ଗତି ସହ ତାଳ ମିଳାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ସ୍ଥିର ରହି କାର୍ଯ୍ୟ କରିବ। ଏହାର ମୋଟ ଓଜନ ହେଉଛି ୨,୩୬୭ କିଲୋଗ୍ରାମ। ଇସ୍ରୋ ମୁଖ୍ୟ ଭି. ନାରାୟଣନ୍ ଏହି ଅବସରରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏହା ହେଉଛି ଭାରତୀୟ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (GSLV) ର ୧୯ତମ ଉଡ଼ାଣ। ମହାକାଶ ଗବେଷଣା କ୍ଷେତ୍ରରେ ଏହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି, କାରଣ ଆଜି ପର୍ଯ୍ୟନ୍ତ GSLV ଦ୍ୱାରା ଉତକ୍ଷେପଣ ହୋଇଥିବା ଏହା ସବୁଠାରୁ ଓଜନିଆ ଉପଗ୍ରହ ଅଟେ। ୫୧.୭ ମିଟର ଉଚ୍ଚତା ବିଶିଷ୍ଟ ଏହି ରକେଟ୍ର ମୋଟ ଓଜନ ଥିଲା ପ୍ରାୟ ୪୨୦.୫ ଟନ୍।
ଏହି ମିଶନ ସହିତ ଜଡିତ ବରିଷ୍ଠ ବୈଜ୍ଞାନିକମାନେ EOS-05 କୁ “ଆକାଶରେ ଥିବା ଦେଶର ତୃତୀୟ ଆଖି” (Eye in the sky) ବୋଲି ବର୍ଣ୍ଣନା କରିଛନ୍ତି। ସାଧାରଣ ଲୋ-ଅର୍ଥ ଅର୍ବିଟ୍ (LEO) ଉପଗ୍ରହଗୁଡ଼ିକ ତୁଳନାରେ ଏହା ଭାରତୀୟ ଭୂଖଣ୍ଡ ଉପରେ ଲଗାତାର ନଜର ରଖିପାରିବ । ବିଶେଷ କରି ଶତ୍ରୁ ଦେଶର ଗତିବିଧି, ଦେଶର ସୀମା ଓ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ସମେତ ପାଣିପାଗ ଉପରେ ଏହା ରିଅଲ୍ ଟାଇମ୍ ନଜର ରଖିବ। କୃଷି କ୍ଷେତ୍ରର ବିକାଶ ସହ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶାସନକୁ ତୁରନ୍ତ ତଥ୍ୟ ଯୋଗାଇବାରେ ଏହା ବିଶେଷ ସହାୟକ ହେବ। ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ସମାନ ଧରଣର ଏକ ମିଶନ (GSLV-F10/EOS-03) ରକେଟର କ୍ରାୟୋଜେନିକ୍ ଇଞ୍ଜିନରେ ତ୍ରୁଟି କାରଣରୁ ବିଫଳ ହୋଇଥିଲା । ତେଣୁ ସମ୍ପୂର୍ଣ୍ଣ ନୂତନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି EOS-05 ସାଟେଲାଇଟ୍ର ସଫଳ ଲଞ୍ଚ ଇସ୍ରୋ ପାଇଁ ଏକ ଐତିହାସିକ ପ୍ରତ୍ୟାବର୍ତ୍ତନ ସାବ୍ୟସ୍ତ ହୋଇଛି ।


Comments are closed.