ଭୁବନେଶ୍ୱର: ଆଷାଢ଼ ମାସ ଚାଲିଥିଲେ ମଧ୍ୟ ଆକାଶରେ ମେଘ ଓ ବର୍ଷାର ସେହି ପୁରୁଣା ରୂପ ଦେଖିବାକୁ ମିଳୁନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକଠାରୁ ବହୁତ କମ୍ ରହିବ। ଏଲ୍ ନିନୋ ପ୍ରଭାବ ଯୋଗୁଁ ରାଜ୍ୟରେ ଜଳ ସଙ୍କଟ ଏବଂ ମରୁଡ଼ି ସଦୃଶ ସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଇଛି।
ଏହି ବଡ଼ ପ୍ରାକୃତିକ ଆହ୍ୱାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ କ୍ଷେତକୁ ମରୁଡ଼ି ମୁଖରୁ ବଞ୍ଚାଇବା ପାଇଁ ଏକ ବ୍ୟାପକ ଜରୁରୀକାଳୀନ ଯୋଜନା ବା ‘କଣ୍ଟିନଜେନ୍ସି ପ୍ଲାନ୍’ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ରାଜ୍ୟରେ ଏହି ରଣନୀତିକୁ ଜୋରଦାର କରାଯାଇଛି। ପାଣିପାଗର ଏହି ଅନିଶ୍ଚିତତା ଯୋଗୁଁ ଓଡ଼ିଶାର ୮ଟି ଜିଲ୍ଲା ଯଥା; ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁରକୁ ‘ହାଇ-ଆଲର୍ଟ’ ବା ସ୍ୱତନ୍ତ୍ର ନଜରରେ ରଖାଯାଇଛି।
ସୁନ୍ଦରଗଡ଼ ଭଳି କେତେକ ଜିଲ୍ଲାରେ ଜୁନ୍ ମାସରେ ପ୍ରାୟ ୭୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚାଷୀଙ୍କୁ ଏହି ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ଚଳିତ ଖରିଫ ଋତୁରେ ୫୭.୮୮ ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯଦି ବର୍ଷା ଆହୁରି ବିଳମ୍ବ ହୁଏ, ତେବେ ଚାଷୀମାନଙ୍କୁ ପାରମ୍ପରିକ ଧାନ ଚାଷ ବଦଳରେ କମ୍ ପାଣି ଆବଶ୍ୟକ କରୁଥିବା ବିକଳ୍ପ ଫସଲ ଯେପରିକି ମାଣ୍ଡିଆ, ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି।
ଏଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ସରକାର ୧୪,୩୫୦ କ୍ୱିଣ୍ଟାଲ୍ ସ୍ୱତନ୍ତ୍ର ବିକଳ୍ପ ବିହନ ମଧ୍ୟ ମହଜୁଦ ରଖିଛନ୍ତି, ଯାହାକି ମରୁଡ଼ି ସହ୍ୟ କରିପାରିବ।
ଏହି ଯୋଜନାରେ ସବୁଠାରୁ ବଡ଼ ଗୁରୁତ୍ୱ ‘ଜଳ ସଂରକ୍ଷଣ’ ଉପରେ ଦିଆଯାଇଛି। ଗ୍ରାମାଞ୍ଚଳରେ ଥିବା ଚାଷ ପୋଖରୀ, ଚେକ୍ ଡ୍ୟାମ୍ ଏବଂ ଜଳାଶୟଗୁଡ଼ିକର ତୁରନ୍ତ ମରାମତି କରି ବର୍ଷା ଜଳର ପ୍ରତ୍ୟେକ ବୁନ୍ଦାକୁ ସଞ୍ଚୟ କରିବା ପାଇଁ ଇଡକୋ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସରକାର ‘କ୍ଷେତ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀଙ୍କ ଭାଗର ସମସ୍ତ ପ୍ରିମିୟମ ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ। ଚାଷୀଙ୍କୁ ମାତ୍ର ୧ ଟଙ୍କାର ଟୋକନ ଫି’ ଦେଇ ନିଜ ଫସଲର ସମ୍ପୂର୍ଣ୍ଣ ସୁରକ୍ଷା କବଚ ମିଳିପାରିବ।
ସାର ଓ ବିହନର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ କଡ଼ା ନଜର ରଖିବାକୁ କୁହାଯାଇଥିବା ବେଳେ, ପ୍ରଶାସନିକ ସ୍ତରରେ ଏକ ସ୍ୱତନ୍ତ୍ର ‘ଏଲ୍ ନିନୋ ମନିଟରିଂ ସେଲ୍’ ମଧ୍ୟ ଗଠନ କରାଯାଇଛି।
