Latest Odisha News

BREAKING NEWS

୧୫ ଦିନ ଭିତରେ ଅର୍ଦ୍ଧନିର୍ମିତ ଡ୍ରେନ୍‌, ରାସ୍ତା କାମ ଶେଷ କରିବାକୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ବର୍ଷା ସମୟରେ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ନେଉଛି । ସୋମବାର ଏହାର ଉଦାହରଣ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲା ସହରରେ କେତେକ ରାସ୍ତା ଏବଂ ଡ୍ରେନ୍‌ ନିର୍ମାଣ ଚାଲିଥିବା ଯୋଗୁ ସମସ୍ୟା ଅଧିକ ସାଂଘାତିକ ହୋଇଯାଇଥିଲା । କାରଣ ବର୍ଷା ସମୟରେ ଅଧପନ୍ତରିଆ ଡ୍ରେନ୍‌ ଦେଇ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା । ସେହିଭଳି ନିର୍ମାଣାଧିନ ରାସ୍ତା ଯୋଗୁ ମଧ୍ୟ ବର୍ଷା ଜଳ ଜମି ରହିଥିଲା ।

ସୋମବାର ସହରର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଥିଲା । ଏହାକୁ ନେଇ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାନଗର ନିଗମର ନବନିଯୁକ୍ତ କମିଶନର ଜେ.ସୋନାଲ ବର୍ଷା ମୁକାବିଲା ସଂପର୍କରେ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧିନ ରାସ୍ତା ଏବଂ ଡ୍ରେନ୍‌ର କାମ ଆସନ୍ତା ୧୫ ଦିନ ଭିତରେ ଶେଷ କରିବାକୁ କମିଶନର ସୋନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଦିନରେ ବର୍ଷା ସମୟରେ ଯେମିତି ଜଳ ନିଷ୍କାସନରେ କୌଣସି ସମସ୍ୟା ସୃଷ୍ଟି ନ ହୁଏ, ପ୍ରତ୍ୟେକ ଯନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ଠିକାଦାରଙ୍କ ସହ ଆଲୋଚନା କରିବା ସହ ନିର୍ମାଣ କାର୍ଯ୍ୟକୁ ତୀବ୍ରତର କରିବାକୁ କମିଶନର ସୋନାଲ ନିର୍ଦେଶ ଦେଇଥିଲେ । ସେହିଭଳି ସହରରେ କେଉଁ ଅଞ୍ଚଳ‌େ‌ର ବର୍ଷା ଜଳ ଜମି ରହୁଛି, ସେନେଇ ମଧ୍ୟ ତଥ୍ୟ ମାଗିଥିଲେ । ଜଳ ନିଷ୍କାସନ ସମସ୍ୟାରୁ ସହରକୁ ମୁକ୍ତି ଦେବା ଉପରେ ସେ ଗୁରୁତ୍ବ ଦେଇଥିଲେ ।

ଅପରପକ୍ଷେ କମିଶନର ସୋନାଲ ମଙ୍ଗଳବାର ସହରର ବିଭିନ୍ନ ଅଞ୍ଚଳ ବୁଲି ଭିତ୍ତିଭୂମି ଦେଖିଛନ୍ତି। ପ୍ରଥମେ ରାମଲିଙ୍ଗେଶ୍ବର ଉଦ୍ୟାନକୁ ଯାଇଥିଲେ । ମ୍ୟୁଜିକାଲ ଫାଉଣ୍ଟେନ୍‌, ପରିଦର୍ଶକଙ୍କ ପାଇଁ ଥିବା ସୁବିଧାଗୁଡ଼ିକ ସଂପର୍କରେ ପଚାରି ବୁଝିଥିଲେ । ଏହା ପରେ ଗାନ୍ଧିନଗର ମୁଖ୍ୟ ରାସ୍ତାରେ ଚାଲିଥିବା ସ୍ମାର୍ଟ ରୋଡ ପ୍ରକଳ୍ପ ବୁଲି ଦେଖିଥିଲେ । ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ସର୍ବଦା ଗାଡ଼ି ମୋଟର ଗହଳି ହେଉଛି ।

ଆଗାମୀ ଦିନରେ ଏହି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉତ୍କଟ ହେବାର ଆଶଙ୍କା ରହିଛି । ଏଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଟ୍ରାଫିକ ସଜାଡ଼ିବା ପାଇଁ ପାର୍କିଂ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ନିଗମର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ବୈକୁଣ୍ଠନଗର ସ୍ପୋର୍ଟସ ଏରେନା ବୁଲି ଦେଖିଥିଲେ । ଏଠାରେ କେଉଁ ସବୁ କ୍ରୀଡ଼ା ଭିତ୍ତିଭୂମି ରହିଛି, ସେନେଇ ପଚାରିଥିଲେ । ସ୍ବଚ୍ଛତାକୁ କମିଶନର ସୋନାଲ ଗୁରୁତ୍ବ ଦେଇଥିଲେ ।

କ୍ରୀଡ଼ାବିତ୍‌ କିମ୍ବା ବ୍ୟାୟାମ ପାଇଁ ଆସୁଥିବା ବ୍ୟକ୍ତିମାନେ ଯେମିତି ବାହାରୁ ଖାଦ୍ୟ ନ ଆଣନ୍ତି, ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଏସଂପର୍କିତ ଏକ ବୋର୍ଡ ଲଗାଇବାକୁ କହିଥିଲେ । ସ୍ପୋର୍ଟସ ଏରେନା ଭିତରେ ପାଇବା ପାଣି ବ୍ୟବସ୍ଥା ରହିଛି । ବାହାରୁ ଲୋକମାନେ ପାଣି ଆଣିବାର ମଧ୍ୟ ଆବଶ୍ୟକତା ନାହିଁ । ସେହିଭଳି ପରିସରରେ ଖାଲି ଜାଗାଗୁଡ଼ିକରେ କେମିତି ବ୍ୟାୟାମ ପାଇଁ ଅଧିକ ଉପକରଣ ଲାଗିବ, ସେଦିଗରେ ଧ୍ୟାନ ଦେବାକୁ କହିଥିଲେ ।

ଇନ୍‌ଡୋର୍‌ ହଲ୍‌ ସହ ସ୍ପୋର୍ଟସ ଏରେନା ପରିସରରେ ନିର୍ମିତ ଅନ୍ୟାନ୍ୟ ଉପକରଣଗୁଡ଼ିକ ମଧ୍ୟ ଦେଖିଥିଲେ । ପରେ ପରେ ନିକଟସ୍ଥ ପୋଖରୀ ଏବଂ ବୈକୁଣ୍ଠନଗର ଭେଣ୍ଡିଂଜୋନ୍‌ ମଧ୍ୟ ପରିଦର୍ଶନ କରିଥିଲେ ଆୟୁକ୍ତ ସୋନାଲ । ଏହି ସମୟରେ ୧୭ ନମ୍ବର ୱାର୍ଡର କର୍ପୋରେଟର ଦୁର୍ଗା କୁମାର ଲାୟକ, ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢ଼ୀ, ଯନ୍ତ୍ରୀ ରାଜୀବ ପଣ୍ଡା, ରଞ୍ଜନ ପଣ୍ଡା, ତପନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.